ETV Bharat / state

ବ୍ରାହ୍ମଣୀ ନଦୀର ହେବ ପୁନରୁଦ୍ଧାର, ଜଳ ସମ୍ପଦ ବିଭାଗ-IIT ଗୌହାଟୀ ମଧ୍ୟରେ ବୁଝାମଣା

author img

By ETV Bharat Odisha Team

Published : Nov 21, 2023, 12:59 PM IST

ବ୍ରାହ୍ମଣୀ ନଦୀର ହେବ ପୁନରୁଦ୍ଧାର ।ଏନେଇ ଜଳ ସମ୍ପଦ ବିଭାଗ ଏବଂ ଆଇଆଇଟି ଗୌହାଟୀ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି ।ଅଧିକ ପଢନ୍ତୁ

ବ୍ରାହ୍ମଣୀ ନଦୀର ହେବ ପୁନରୁଦ୍ଧାର
ବ୍ରାହ୍ମଣୀ ନଦୀର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ନଦୀର ହେବ ପୁନରୁଦ୍ଧାର । ଏନେଇ ଜଳ ସମ୍ପଦ ବିଭାଗ ଏବଂ ଆଇଆଇଟି ଗୌହାଟୀ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ସୂଚନା ମିଳିଛି । ତେବେ ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ ପାଇଁ ବୁଝାମଣା ହୋଇଛି । ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏବଂ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି ।

ସୋମବାର ଦିନ ଭୁବନେଶ୍ବର ସ୍ଥିତ ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ବ୍ରାହ୍ମଣୀ ନଦୀର ପୁନରୁଦ୍ଧାର ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ଓ ଆଇଆଇଟି ଗୌହାଟୀ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର ହୋଇଛି । ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଓ ଆଇଆଇଟି ଗୌହାଟୀ ପ୍ରଫେସର ଶିବାଶିଷ ଦତ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

ତେବେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ହେଉଛି ବ୍ରାହ୍ମଣୀ ନଦୀ । ଏହି ନଦୀ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଛି । ନଦୀର ୧୩୦ କିଲୋମିଟର ଦୂରରେ ରେଙ୍ଗାଲିରେ ଏକ ନଦୀବନ୍ଧ । ରେଙ୍ଗାଲି ଡ୍ୟାମର ପ୍ରାୟ ୩୫.୦୦ କିଲୋମିଟର ତଳ ମୁଣ୍ଡରେ ସମଲରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି । ବୁଝାମଣା ପତ୍ର ସ୍ୱାକ୍ଷର ପରିପ୍ରେକ୍ଷୀରେ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ଜଳପ୍ରବାହର ସ୍ଥିତି ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥାପନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ପ୍ରଦୂଷିତ ଗୋବରୀକୁ ପୁର୍ନରୁଦ୍ଧାର ପାଇଁ ଜିଲ୍ଲା ଜଜଙ୍କ ତାଗିଦ, ଜୀବନରେଖା ଏବେ ପ୍ରଦୂଷିତ

ନଦୀସ୍ତରରେ ବାଲି, ପଙ୍କ ଓ ପଟୁ ଆଦି ବସିବା ଦ୍ୱାରା ନଦୀରେ ଜଳସ୍ତର ଓ ପ୍ରବାହ କମ ରହୁଛି । ଫଳରେ ବନ୍ୟା ଜଳ ନିସ୍କାସନରେ ମଧ୍ୟ ସମସ୍ୟା ଉପୁଜୁଛି । ତେଣୁ ନଦୀରେ ଜଳ ସଞ୍ଚୟ ଏବଂ ପ୍ରବାହକୁ ନିଶ୍ଚିତ କରିବାକୁ ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଆବଶ୍ୟକ ସମୟରେ ଜଳର ଉପଲବ୍ଧତା ଦୃଷ୍ଟିରୁ ଯାଜପୁର ଜିଲ୍ଲାର ଜେନାପୁର ଓ ଯୋକଡିଆରେ ସମନ୍ୱିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ମାଧ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରି ଉଭୟ ନଦୀରେ ପ୍ରବାହ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ନଦୀ ପ୍ରଣାଳୀକୁ ପୁନରୁଦ୍ଧାର କରିବା ପାଇଁ ଢାଞ୍ଚାଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଏବଂ ଜଳ ପ୍ରବାହର ଆନୁପାତିକ ବଣ୍ଟନ ପାଇଁ ବୈଷୟିକ ଦିଗ ନିର୍ଣ୍ଣୟ କରିବା ପାଇଁ ଅନ୍ତଃନଦୀ ନିର୍ମାଣ ପୂର୍ବରୁ ମଡେଲ ଅଧ୍ୟୟନର ଆବଶ୍ୟକତାକୁ ଉପଲବ୍ଧ କରି ଆଇଆଇଟି ଗୌହାଟୀ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ଜଳ ସଂପଦ ବିଭାଗ ଲୋକମାଙ୍କର ଜଳର ଆବଶ୍ୟକତାକୁ ପୂରଣ ଦିଗରେ ସର୍ବଦା ପ୍ରୟାସ ଜାରି ରଖିଛି । ବିଭାଗ ତରଫରୁ ବ୍ରାହ୍ଣଣୀ ନଦୀରେ ପ୍ରସ୍ତାବିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂକ୍ରାନ୍ତରେ ଓ ନଦୀରେ ମାଟି, ପଙ୍କ ଆଦି ଜମି ନରହି ଜଳ ପ୍ରବାହକୁ ନିଶ୍ଚିତ କରିବାକୁ ଉଦ୍ଧିଷ୍ଟ ଏହି ବୁଝାମଣା ପତ୍ର ଏ କ୍ଷେତ୍ରରେ ବୈଷୟିକ ଅଧ୍ୟୟନ ପାଇଁ ଆମକୁ ସହାୟକ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.