ETV Bharat / state

'ମିଗ୍‌ଜୋମ୍‌' ପ୍ରଭାବ: ଓଡ଼ିଶାରେ ୬ ଯାଏଁ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ

author img

By ETV Bharat Odisha Team

Published : Dec 4, 2023, 7:22 PM IST

Updated : Dec 4, 2023, 7:44 PM IST

ଓଡ଼ିଶାରେ ୬ ତାରିଖ ଯାଏଁ ପ୍ରବଳ ବର୍ଷିବ
ଓଡ଼ିଶାରେ ୬ ତାରିଖ ଯାଏଁ ପ୍ରବଳ ବର୍ଷିବ

ସାମୁଦ୍ରିକ ବାତ୍ୟା 'ମିଗଜୋମ (Michaung)' ପ୍ରଭାବରେ ଓଡ଼ିଶାରେ ୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୫ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ୬ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର: ବଙ୍ଗୋପସାଗରରୁ ବଳ ଗୋଟାଉଛି ବାତ୍ୟା 'ମିଗଜୋମ (Michaung)' । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଚ୍ଛଲିପଟନମ ମଧ୍ୟରେ ଆସନ୍ତାକାଲି (ଡିସେମ୍ବର ୫) ପୂର୍ବାହ୍ନରେ ଅତିକ୍ରମ କରିବ ଏହି ସାମୁଦ୍ରିକ ବାତ୍ୟା । ଅନ୍ୟପଟେ ଓଡିଶା ଏବଂ ତାମିଲନାଡୁରେ ମଧ୍ୟ ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ତାମିଲନାଡୁର ଏକାଧିକ ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଛି । ସେପଟେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବାବେଳେ ଆଜିଠାରୁ ୬ ତାରିଖ ଯାଏଁ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

୬ ତାରିଖ ଯାଏଁ ପ୍ରବଳ ବର୍ଷା: 'ମିଗଜୋମ' ପ୍ରଭାବରେ ଆଜିଠାରୁ ୬ ତାରିଖ ଯାଏଁ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ତେବେ ଗତକାଲି ରାଜ୍ୟର କିଛି ଅଞ୍ଚଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜିଠାରୁ ଏହି ବର୍ଷାର ପରିମାଣ ବଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ବାସ । ଆସନ୍ତାକାଲି ସକାଳ ୮:୩୦ ଘଣ୍ଟା ମଧ୍ୟରେ ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ଜଗତସିଂହପୁର, କଟକ, ଖୋର୍ଦ୍ଧା, କଳାହାଣ୍ଡି, ନୟାଗଡ଼, କନ୍ଧମାଳ ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି (୫ ତାରିଖ) ଦକ୍ଷିଣ ଉପକୂଳ ଓଡିଶାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନ ଓ ଅବଶିଷ୍ଟ ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉତ୍ତର ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୫ ଜିଲ୍ଲା କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ...ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପଡିବ 'ମିଗଜୋମ' ପ୍ରଭାବ ! 'ମୁକାବିଲା ପାଇଁ ପ୍ରସ୍ତୁତ ସରକାର'

ପ୍ରବଳ ବର୍ଷା ସମ୍ଭାବନା ନେଇ ଚେତାବନୀ ଜାରି କରାଯାଇଥିବା ବେଳେ ବିଲରେ ଫସଲ ଏବଂ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏହାକୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ସାମୟିକ ଭାବେ ପାଣି ଜମିବା ସହ କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବା ଏବଂ ଅସୁରକ୍ଷିତ ମାଟି କାନ୍ଥ ଭୁଶୁଡି ପଡିବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ବିଭାଗ । ଏଥିପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛି ବିଭାଗ । ସେପଟେ ସାମୁଦ୍ରିକ ବାତ୍ୟା ମିଗ୍‌ଜୋମକୁ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିଶନର ବା ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ବୈଠକରେ ବିଭିନ୍ନ ବିଭାଗର ସଚିବ, ସମ୍ଭାବ୍ୟ ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବାତ୍ୟା ପ୍ରଭାବରେ ବର୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତିର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଥିଲା । ଶସ୍ୟ ସୁରକ୍ଷା, ପଶୁ ସମ୍ପଦକୁ ସୁରକ୍ଷା ପ୍ରଦାନ କରିବା ଦିଗରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୈଠକ ପରେ ଏନେଇ ସୂଚନା ଦେଇଥିଲେ ଅତିରିକ୍ତ ସ୍ବତନ୍ତ୍ର ରଲିଫ୍‌ କମିଶନର ପଦ୍ମନାଭ ବେହେରା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 4, 2023, 7:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.