ETV Bharat / state

ରାଜ୍ୟରେ ୧ ହଜାର ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ୬ ଜିଲ୍ଲାରେ ନାହାନ୍ତି ଡେଙ୍ଗୁ ରୋଗୀ

author img

By

Published : Aug 4, 2023, 10:20 PM IST

huge surge in dengue cases in odisha
ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ରାଜ୍ୟରେ ୧ ହଜାର ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ୬ ଜିଲ୍ଲାରେ ନାହାନ୍ତି ଡେଙ୍ଗୁ ରୋଗୀ । ଅକ୍ଟୋବର ଯାଏଁ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି । ଚଳିତ ବର୍ଷ ରାଜ୍ୟରେ ୧ ହଜାର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଥିବା ବେଳେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ପ୍ରାୟ ୭୦ ପ୍ରତିଶତ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ ହଜାର ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ୧ ହଜାର ୧୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଅଗଷ୍ଟ ୨ ତାରିଖ ସୁଦ୍ଧା ଜିଲ୍ଲାର ତଥ୍ୟ ଦେଖିଲେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୬୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲା ଗୁଡିକକୁ ଦେଖିଲେ ଖୋର୍ଦ୍ଧା ଜିଲ୍ଲାର ପଛକୁ ରହିଛି ବାଲେଶ୍ୱର ଜିଲ୍ଲା । ଏହି ଜିଲ୍ଲାରେ ୮୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୪୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ୪୨, କଟକ ଜିଲ୍ଲାରେ ୪୬ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ୨୯, କେନ୍ଦୁଝର ଜିଲ୍ଲାରେ ୨୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୭ଟି ଜିଲ୍ଲାରେ ୨୦ରୁ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୬ଟି ଜିଲ୍ଲାରେ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Dengue: ଡେଙ୍ଗୁଠୁ ଛୁଆକୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି କି, ଆପଣାନ୍ତୁ ଏହ ଟିପ୍ସ

ତେବେ ବୌଦ୍ଧ, ଦେଓଗଡ଼, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶୂନ ଅଟେ । ରିପୋର୍ଟ ଅନୁଯାୟୀ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ନମୁନା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦେଖାଯାଉଛି । ବାରମ୍ବାର ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ, ସଚେତନତା ଆଦି କରାଯାଉଥିଲେ ମଧ୍ୟ ଡେଙ୍ଗୁ କମିବାରେ ନାଁ ନେଉନାହିଁ । ବିଶେଷ ଭାବରେ ଜୁଲାଇ ଏବଂ ଅଗଷ୍ଟ ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଥାଏ । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଆଧାରରେ ପୂର୍ବ ବର୍ଷ ୧୦୦୯ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଶୁକ୍ରବାର ସୁଦ୍ଧା ୧୧୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତିି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.