ETV Bharat / state

ଅନ୍ଧାର ରାତିରେ ମାୟାବିନୀର ଚାଲ୍: ଲିଫ୍ଟ ମାଗି ଲୋକଙ୍କୁ ଲୁଟୁଥିଲା, ବାନ୍ଧିଲା ପୋଲିସ

author img

By

Published : Jul 25, 2023, 12:39 PM IST

ଭୁବନେଶ୍ବରରୁ ଲେଡି ଲୁଟେରା ଗିରଫ
ଭୁବନେଶ୍ବରରୁ ଲେଡି ଲୁଟେରା ଗିରଫ

ଭୁବନେଶ୍ବରରୁ ଜଣେ ଲେଡି ଲୁଟେରାକୁ ଗିରଫ କଲା ପାହାଳ ଥାନା ପୋଲିସ । ରାତିରେ ଲୋକଙ୍କୁ ଲିଫ୍ଟ ମାଗିବା ବାହାନାରେ ଲୁଟୁଥିଲା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ଧରାପଡିଲା ଲେଡି ଲୁଟେରା । ରାତି ହେଲେ ଛକ ଛକରେ ଛିଡା ହୋଇ ଲିଫ୍ଟ ମାଗୁଥିଲା । 'ଆଜ୍ଞା ଟିକେ ଲିଫ୍ଟ ଦିଅନ୍ତୁ' କହି ଗାଡିରେ ବସୁଥିଲା । ବାଟରେ ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କ ବ୍ୟାଗ୍ ଚେକ୍ କରୁଥିଲା ଏବଂ ଟଙ୍କା ପଇସା ସୁନା ଗହଣା ଯାହା ପାଉଥିଲା ଲୁଟି ନେଇ ଛୁ' ମାରୁଥିଲା । ଯଦି ଲୋକଟି ନଡରି କିଛି କହିଲା ତେବେ ତାକୁ ଅସଦାଚରଣ କରିଥିବାର ଧମକ ଦେଉଥିଲା । ଏଭଳି ଢଙ୍ଗରେ ଭୁବନେଶ୍ବରରେ ଲୁଟ୍‌ପାଟ୍‌ କରୁଥିବା ଜଣେ ମହିଳାଙ୍କୁ ଗତକାଲି(ସୋମବାର) ଗିରଫ କରିଛି କମିଶନରେଟ ପୋଲିସର ପାହାଳ ଥାନା ।

ଅଭିଯୁକ୍ତ ମହିଳାଙ୍କ ଘର ଜଗତସିଂହପୁର ତାରିକୁଣ୍ଡ ବଜାର ମଙ୍ଗୁଳି ଅଞ୍ଚଳରେ ବୋଲି ଜଣାପଡିଛି । ସେ ଭୁବନେଶ୍ବରର ଶହୀଦ ନଗରର ତାରିଣି ବସ୍ତିରେ ରହି ନିଜର‌ ଲୁଟ୍‌ ଅପରେସନ ଚଳାଇଥିଲା । କେତେବେଳେ ବାଲିଅନ୍ତା ନିଛାଟିଆ ରାସ୍ତାରେ ତ କେତେବେଳେ ବାଲିପାଟଣା ରୋଡ଼ରେ ଲିଫ୍ଟ ଆଳରେ ଲୋକଙ୍କୁ ଲୁଟୁଥିଲା । ଲେଡି ଲୁଟେରା ଜଣକ ନିଜର ପରିଚୟ ମଧ୍ୟ ବଦଳାଉଥିଲା । ନିଜକୁ କେବେ ଉର୍ମିଳା ମଲ୍ଲିକ, ପୁଣି କେବେ ଉଷାରାଣୀ ବାରିକ ଓ ମାଆ ବୋଲି ପରିଚୟ ଦେଉଥିଲା ।

ସମ୍ପୃକ୍ତ ଲେଡି ଲୁଟେରାଙ୍କ ବିରୋଧରେ ପଦିଆ ଦାସ ନାମକ ଜଣେ ବ୍ୟକ୍ତି ପାହାଳ ଥାନାରେ ଅଭିଯୋଗ କରିଥିଲେ । ପଦିଆ ପେଶାରେ ଏକ ଘରୋଇ କମ୍ପାନିରେ ଟେକ୍ନିସିଆନ ଭାବେ କାମ କରନ୍ତି । ସେ ଗତ ୩ ତାରିଖ ବିଳମ୍ବିତ ରାତିରେ ନିଜର ଦୁଇ ମାସର ଦରମା ଟଙ୍କା ନେଇ ଘରକୁ ଫେରୁଥିଲେ । ପାହାଳ ଛକ ଜଗନ୍ନାଥ ମନ୍ଦିର‌ ପାଖରେ ଏହି ମହିଳା ଜଣକ ତାଙ୍କୁ ଲିଫ୍ଟ ମାଗିଥିଲେ । ଏତେ ରାତିରେ ଜଣେ ମହିଳାଙ୍କୁ ସେ ଏକୁଟିଆ ଦେଖି ଲିଫ୍ଟ ଦେଇଥିଲେ । ମହିଳା ଜଣକ ତାଙ୍କ ଗାଡିରେ ବସି କିଛି ବାଟ ଯିବା ପରେ ଗାଡି ଅଟକାଇବାକୁ କହିଥିଲେ । ସେ ଜଣେ ଅଣ୍ଡରକଭର ଲେଡି ପୋଲିସ ଅଫିସର ଏବଂ ରାତିରେ ମହିଳାଙ୍କ ସହ ହେଉଥିବା ଅପରାଧ ରୋକିବାକୁ ସେ ବୁଲୁଛନ୍ତି ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ: କଲରା ପତରିଆ ବାଘ ଛାଲ ବିକ୍ରି ମାମଲା: ହସ୍ପିଟାଲରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଏହାପରେ ବ୍ୟାଗରେ କ'ଣ ଅଛି ଦେଖାଇବାକୁ ପଦିଆଙ୍କୁ କହିଥିଲେ । ବ୍ୟାଗ ଚେକ୍ କରିବାକୁ ନେଇ ସେଥିରେ ଥିବା ୩୫ ହଜାର ଟଙ୍କା ନେଇଯାଇଥିଲେ ଓ ତୋ କଥା ପରେ ବୁଝାହେବ କହି ସେଠାରୁ ଛୁ' ମାରିଥିଲେ । ବ୍ୟକ୍ତି ଜଣକ ପୁଣି ସେହି ମହିଳାଙ୍କୁ ଲକ୍ଷେଶ୍ଵର ମନ୍ଦିର ପାଖେ ଲିଫ୍ଟ ମାଗୁଥିବା ଦେଖି ପିସିଆରକୁ ଫୋନ କରିଥିଲେ । ମହିଳା ଜଣକ ତାଙ୍କୁ ଦେଖି ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କାବୁ କରିଥିଲା । ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଏଭଳି ଲିଫ୍ଟ ମାଗି ଲୁଟପାଟ୍ କରୁଥିବା ଜଣାପଡିଛି ।

ଏନେଇ ତାଙ୍କୁ ଗିରଫ କରାଯାଇ ଆଇପିସିର ଧାରା ୪୧୯/୩୯୨ରେ କୋର୍ଟ ଚାଲାଣ କରାଯାଇଛି । ଏହି ଲେଡି ଲୁଟେରା ଜଣକ ମୁଖ୍ୟତଃ ବିଭିନ୍ନ ମନ୍ଦିର କଡ଼ରେ ଠିଆ ହେଉଥିଲା । ଯଦ୍ବାରା ସେ ସତରେ ଲିଫ୍ଟ ଆବଶ୍ୟକ କରୁଥିବାର ଲୋକେ ବିଶ୍ବାସ କରୁଥିଲେ । ତେବେ ତାଙ୍କ ବିରୋଧରେ ପୂର୍ବରୁ ଆଉ କିଛି କେସ୍ ରହିଛି ନାହିଁ ପୋଲିସ ତାହାର ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.