ETV Bharat / state

ଯାଜପୁର ବିଧାୟକଙ୍କ ଇସାରାରେ ଗୃହ ଚାଲୁଛି: ଜୟନାରାୟଣ ମିଶ୍ର

author img

By ETV Bharat Odisha Team

Published : Oct 4, 2023, 5:28 PM IST

bjp slams state govt
ସରକାରଙ୍କୁ ବିଜେପିର ଟାର୍ଗେଟ

ବିଧାନସଭା ଚାଲି ନପାରିବା ତଥା ଗୃହର ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଯାଜପୁର ବିଧାୟକଙ୍କ ଇସାରାରେ ବାଚସ୍ପତି ଗୃହକୁ ଚଳାଉଥିବା କହିଛନ୍ତି । ଅଧିକ ପଢନ୍ତୁ

ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ଦିନକ ପୂର୍ବରୁ ଶେଷ ହୋଇଛି ମୌସୁମୀ ଅଧିବେଶନ । ହେଲେ ବିଧାନସଭା ଚାଲି ନପାରିବା ତଥା ଗୃହର ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏନେଇ ପ୍ରେସମିଟ୍ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ସର୍ବଦଳୀୟ ବୈଠକ ଡାକିବାକୁ ପଛଘୁଞ୍ଚା ଦେଉଛନ୍ତି ସରକାର । ୨୦୧୯ ପରଠାରୁ ବିଧାନସଭାକୁ ସମ୍ପୂର୍ଣ୍ଣ ଚଳାଇ ନାହାନ୍ତି ସରକାର । ଏଥିରୁ ବିଜେଡ଼ିର ଉଦ୍ଦେଶ୍ୟ ପ୍ରମାଣିତ ହେଉଛି । ୪ ତାରିଖ ପ୍ରାଇଭେଟ ମେମ୍ବର ବିଲ୍ ଆସିବାର ଥିଲା । ଏହା ପ୍ରାଇଭେଟ ମେମ୍ବରମାନଙ୍କର ଅଧିକାର । ହେଲେ ଏହି ବିଲକୁ ବିଜେଡ଼ି ସରକାର ବନ୍ଦ କରିଦେଲେ । ଏଥର ବିଧାନସଭା ୮ ଦିନ ଥିବାବେଳେ ୭ ଦିନରେ ବନ୍ଦ ହୋଇଗଲା । ୭ ଦିନରୁ ୭ ଘଣ୍ଟା ମଧ୍ୟ ଚାଲିନାହିଁ ବିଧାନସଭା । ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, 5T ସଚିବ, ଜନ ପ୍ରତିନିଧିଙ୍କ ଅପମାନ ଆଦି ପ୍ରସଙ୍ଗ ସହ କର୍ମଚାରୀ ସଂଘ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିବା ଭଳି ଅନେକ ବିଷୟ ଥିବାବେଳେ ବିଧାନସଭାରେ ଆଲୋଚନା ହୋଇପାରିଲାନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଧାନସଭାରେ ଯଦି କିଛି ତ୍ରୁଟି ହୁଏ ବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବ୍ୟାହତ ହେଲେ ସର୍ବଦଳୀୟ ବୈଠକ ହୁଏ । କିନ୍ତୁ ଦୁଃଖର କଥା, ଏ ସରକାର ସର୍ବଦଳୀୟ ବୈଠକ ଡାକିବାକୁ ପଛଘୁଞ୍ଚା ଦେଉଛି । ଜଣେ ମନ୍ତ୍ରୀ କହିଲେ, ବିଧାନସଭାରେ ସର୍ବଦଳୀୟ ବୈଠକ କରିବା ମୁଖ୍ୟମନ୍ତ୍ରୀଙ୍କ କାମ । କିନ୍ତୁ ଏତେ ଦିନ ବିଧାୟକ ଏବଂ ଏବେ ମନ୍ତ୍ରୀ ଥିବା ସତ୍ତ୍ବେ ସେ କେମିତି ଜାଣିନାହାନ୍ତି । ତାଙ୍କ ମୁହଁରୁ ସତ କଥା ବାହାରି ଗଲା । ଏଠି କିନ୍ତୁ ମୁଖ୍ୟମନ୍ତ୍ରୀ ନୁହେଁ, ଜଣେ ସଚିବ ନିଷ୍ପତ୍ତି ନେଉଛନ୍ତି । ତେଣୁ ସରକାରର ଗତି କୁଆଡ଼େ ଜନତା ବିଚାର କରନ୍ତୁ । ଯେତେବେଳେ ଗୃହର ନେତା କିମ୍ବା ବିରୋଧୀ ଦଳ ନେତା ଗୃହ ମଧ୍ୟରେ କହିବେ, ସମ୍ପୂର୍ଣ୍ଣ ବକ୍ତବ୍ୟ ନସରିବା ପର୍ଯ୍ୟନ୍ତ ତାଙ୍କ ମାଇକ କଟାଯାଇ ପାରିବ ନାହିଁ । କିନ୍ତୁ ବିରୋଧୀ ଦଳ ନେତା କହିଲାବେଳେ ବାରମ୍ବାର ମାଇକ କଟା ଯାଇଛି ।"

"ବିରୋଧୀ ଦଳ ନେତା ଶ୍ରଦ୍ଧା ପ୍ରସଙ୍ଗ ଉଠାଇ ଥିଲେ । ଯଦି ଶ୍ରଦ୍ଧା ବିଷୟ ବାଦ ପଡ଼ିଲା । ତେବେ ଗତକାଲି ମୁଖ୍ୟମନ୍ତ୍ରୀ କେମିତି ଶ୍ରଦ୍ଧା ବିଷୟରେ ସ୍ଵତଃପ୍ରବୃତ୍ତ ଭାବେ ବିବୃତି ଦେଲେ ? ଏ କଥାକୁ କେମିତି ଗ୍ରହଣ କରାଗଲା ? ଜଣେ ଶାସକ ଦଳ ବିଧାୟକ ବିରୋଧୀ ଦଳ ନେତାଙ୍କୁ ମସ୍ତିଷ୍କ ବିକୃତି ବୋଲି କହୁଛନ୍ତି । ମସ୍ତିଷ୍କ ବିକୃତି କାହାର ? ଶ୍ରଦ୍ଧା ପ୍ରସଙ୍ଗ ବିଧାନସଭା ବିବରଣୀରୁ ବାଦ ପଡ଼ିଲା ପରେ ମୁଖ୍ୟମନ୍ତ୍ରୀ ସେ ବିଷୟ ପୁଣି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ହୋଇଛି ନା ମୋର ମସ୍ତିଷ୍କ ବିକୃତି ହୋଇଛି ସେ ଜ୍ଞାନୀ ଗୁଣୀ ବିଧାୟକ କୁହନ୍ତୁ । ମୁଖ୍ୟମନ୍ତ୍ରୀ କହିଲେ ଶ୍ରଦ୍ଧା ତାଙ୍କ ଫିଜିଓଥେରାପିଷ୍ଟ । ଏଥିରେ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ହିସାବରେ ଶ୍ରଦ୍ଧା ଭାଟିକାନ ସିଟି ଯାଇଥିଲେ । କେଉଁ ଅଧିକାରରେ ଯାଇଥିଲେ ? ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି । କିନ୍ତୁ ସେସବୁ ଦେଶକୁ ମୁଖ୍ୟମନ୍ତ୍ରଙ୍କ ସହ ଶ୍ରଦ୍ଧା କାହିଁକି ଯାଇନଥିଲେ । କେବଳ ଭାଟିକାନ ସିଟି କାହିଁକି ଗଲେ ?" ବୋଲି ପ୍ରେସମିଟରେ ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

ଏହା ବି ପଢନ୍ତୁ...Assembly Monsoon Session: ଦିନକ ଆଗରୁ ସରିଲା ଅଧିବେଶନ, 28200 କୋଟିର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ

"ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ଶ୍ରଦ୍ଧାଙ୍କୁ ନିୟୋଜିତ କରାଯାଇଛି ବୋଲି କୁହାଗଲା । ହେଲେ ଶ୍ରଦ୍ଧାଙ୍କ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି ନିଯୁକ୍ତି ଦେଇଛି କି ? ଏସବୁର ତଦନ୍ତ ହେବାର ଆବଶ୍ୟକତା ଅଛି ।ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ ବିରୋଧୀ ଦଳ ଜନ ବିରୋଧୀ । ସାମ୍ବିଧାନିକ ବ୍ୟବସ୍ଥାରେ ବିରୋଧୀ ଦଳ ଏବଂ ବିରୋଧୀ ଦଳ ନେତା ଅଛନ୍ତି । ଲୋକ ଯେତେବେଳେ ନିର୍ବାଚିତ କରି ପଠାଇଲେ । ତେବେ ବିରୋଧୀ ଦଳ ବିଧାୟକମାନେ କେମିତି ଜନ ବିରୋଧୀ ହେଲେ । ମୁଖ୍ୟମନ୍ତ୍ରୀଙ୍କ ଏ କଥା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ସବୁଠୁ ବଡ଼ କଥା ହେଲା, ବାଚସ୍ପତି କିଛି ଜାଣୁନାହାନ୍ତି । ଯାଜପୁର ବିଧାୟକଙ୍କ ଇସାରାରେ ଗୃହକୁ ଚଳାଉଛନ୍ତି । ଯାଜପୁର ବିଧାୟକ ଯେମିତି କହିବେ ବାଚସ୍ପତି ସେମିତି କରୁଛନ୍ତି । ଏମିତି ହେଲେ ବିଧାନସଭା କେମିତି ଚାଲିବ ?" ବୋଲି ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିବା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.