ETV Bharat / state

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା, ଆସିଲା କଣ୍ଟାବାଞ୍ଜି ଜେଲ ତଦନ୍ତ ରିପୋର୍ଟ

author img

By

Published : Dec 21, 2022, 9:37 PM IST

କଣ୍ଟାବାଞ୍ଜି ଜେଲ ତଦନ୍ତ ରିପୋର୍ଟ ନେଇ ସୂଚନା ଦେଉଛନ୍ତି ଜେଲ ଡିଆଇଜି
କଣ୍ଟାବାଞ୍ଜି ଜେଲ ତଦନ୍ତ ରିପୋର୍ଟ ନେଇ ସୂଚନା ଦେଉଛନ୍ତି ଜେଲ ଡିଆଇଜି

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଆସିଲା କଣ୍ଟାବାଞ୍ଜି ଜେଲ ତଦନ୍ତ ରିପୋର୍ଟ । ଦିନ ୧୦.୩୦ରୁ ୧୧ଟା ମଧ୍ୟରେ ଝରକାରେ ଦୁଇଟି ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜେଲ୍‌ ଡିଆଇଜି ଶୁଭକାନ୍ତ ମିଶ୍ର । ଅଧିକ ପଢ଼ନ୍ତୁ

କଣ୍ଟାବାଞ୍ଜି ଜେଲ ତଦନ୍ତ ରିପୋର୍ଟ ନେଇ ସୂଚନା ଦେଉଛନ୍ତି ଜେଲ ଡିଆଇଜି

ଭୁବନେଶ୍ବର: ବହୁଚର୍ଚ୍ଚିତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । ଆସିଲା କଣ୍ଟାବାଞ୍ଜି ଜେଲ ତଦନ୍ତ ରିପୋର୍ଟ । ଅତିରିକ୍ତ ପୋଲିସ ଡିଜି ଦିପ୍ତେଶ ପଟ୍ଟନାୟକଙ୍କୁ ୪ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ଦେଇଛନ୍ତି ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନା । ବିଶେଷ କରି ୱାର୍ଡର ଅକ୍ଷୟ ମହାନ୍ତିଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ କଣ୍ଟାବାଞ୍ଜି ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବିତ କରିଛି କାରାଗାର ନିର୍ଦ୍ଦେଶାଳୟ । ଏନେଇ ସୂଚନା ଦେଇଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର ।

ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ରେ ଗତକାଲି ଦିନ ୧୦.୩୦ରୁ ୧୧ଟା ମଧ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଝରକାରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି ଗୋବିନ୍ଦ । ଦୁଇଟି ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଏହା କେବଳ ଜେଲ୍‌ର ତଦନ୍ତ ରିପୋର୍ଟ । ଏହାପରେ ଆହୁରି ଦୁଇଟି ତଦନ୍ତ ହେବ ଏବଂ ରିପୋର୍ଟ ପ୍ରସ୍ତୁତ କରାଯିବ । ପୋଲିସ ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଅନ୍ୟଟି ମାନବାଧିକାର କମିଶନର ତଦନ୍ତ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେବ । ତେବେ ଜେଲ୍‌ ବିଭାଗ ରିପୋର୍ଟ ପରେ ଅନେକ ଦିଗକୁ ନେଇ ପ୍ରଶ୍ନ ଉଠିଛି । କାରଣ କେବଳ ୱାର୍ଡନଙ୍କୁ ନିଲମ୍ବିତ କରାଯାଇଛି । କାରଣ ସେ ଡ୍ୟୁଟିରେ ଥିଲେ । ସେହି ସବ୍‌ ଜେଲ୍‌ରେ ଜେଲର୍‌ ବା ଆସିଷ୍ଟାଣ୍ଟ ଜେଲର୍‌ ମଧ୍ୟ ନିଯୁକ୍ତ ହୋଇନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ଗୋବିନ୍ଦ ସାହୁର ମୃତଦେହ ବ୍ୟବଚ୍ଛେଦ, ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ

ଏହାରି ଭିତରେ ଗୋବିନ୍ଦ ସାହୁଙ୍କ ପତ୍ନୀ କହିଛନ୍ତି ତାଙ୍କ ସହ ମୃତ୍ୟୁର ପୂର୍ବ ରାତି ୧୧ଟା ସମୟରେ ଗୋବିନ୍ଦ କଥା ହୋଇଥିଲେ । ଏପରିକି ଗୋବିନ୍ଦଙ୍କ ଶଳା ଅଭିଯୋଗ ଆଣୁଛନ୍ତି ତାଙ୍କ ସହ ମୃତ୍ୟୁ ପୂର୍ବରୁ ସେହିଦିନ ସକାଳ ସମୟରେ ଫୋନ୍‌ରେ କଥା ହୋଇଥିଲେ । ଯଦି ଏହା ସତ୍ୟ, ତେବେ କ'ଣ ଗୋବିନ୍ଦଙ୍କୁ ଜେଲ୍‌ରେ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଉଥିଲା କି ବୋଲି ପ୍ରଶ୍ନ ଉଠିଛି । ଜେଲ୍‌ ଭିତରେ ‌ଫୋନ୍‌ରେ କଥା ହେବା ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଛି । ହେଲେ ଗୋବିନ୍ଦ କିପରି ପରିବାର ଲୋକଙ୍କ ସହ ଏତେ ସମୟ କଥା ହୋଇ ପାରୁଥିଲେ । ଯଦି ତାଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ ମିଳୁଥିଲା, ତେବେ କାହା ନିର୍ଦ୍ଦେଶରେ ଏସବୁ ସୁବିଧା ମିଳୁଥିଲା ? ଏହା ପଛରେ ସେହି ସବୁ ପ୍ରଭାବଶାଳୀଙ୍କ ଭୁମିକା ନାହିଁ ତ ? ମୃତ୍ୟୁର ସସ୍‌ପେନ୍‌ସ୍‌ ଭିତରେ ଆଉ କାହାର ଭୁମିକା ନାହିଁ ତ ? ଯାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.