ETV Bharat / state

କୋଭିଡ ବଢିବା ପରେ ରାଜ୍ୟ ଆଲର୍ଟ, ପଜିଟିଭ ଚିହ୍ନଟ ହେଲେ ହୋମ ଆଇସୋଲେସନ ପାଇଁ ପରାମର୍ଶ

author img

By ETV Bharat Odisha Team

Published : Dec 29, 2023, 10:52 PM IST

ରାଜ୍ୟରେ ଆଲର୍ଟ ଜାରି
ରାଜ୍ୟରେ ଆଲର୍ଟ ଜାରି

Home isolation advised for covid patient: ପୁଣି ଚିନ୍ତା ବଢାଉଛି କୋଭିଡ଼ । କୋଭିଡ ବଢିବା ପରେ ରାଜ୍ୟରେ ଜାରି ହୋଇଛି ଆଲର୍ଟ । ଯଦି କୌଣସି କୋଭିଡ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ସଙ୍ଗରୋଧରେ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି । ଆଗକୁ ପଢ଼ନ୍ତୁ,

ଭୁବନେଶ୍ବର : ପୁଣି ଚିନ୍ତା ବଢାଉଛି କୋଭିଡ଼ । କୋଭିଡ ବଢିବା ପରେ ରାଜ୍ୟରେ ଜାରି ହୋଇଛି ଆଲର୍ଟ । ଯଦି କୌଣସି କୋଭିଡ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ସଙ୍ଗରୋଧରେ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି । ସେପଟେ ଟେଷ୍ଟିଂ ସହିତ ସର୍ଭିଲାଂସ ପ୍ରତି ସଜାଗ ରହିବାକୁ ସମସ୍ତ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜରୁରୀ ଚିଠି ମଧ୍ୟ କରାଯାଇଛି ।

ରାଜ୍ୟରେ ପୁଣିଥରେ ଚିନ୍ତା ବଢ଼ାଇଲା କୋଭିଡ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି । ଟେଷ୍ଟିଂ ତୁଳନାରେ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ି ଚାଲିଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ଗୁରୁବାର ୫୦୦ ନମୁନାର କରୋନା ଟେଷ୍ଟ ହୋଇଥିଲା । ସେଥି ମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏନେଇ ଆଜି ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜର ଡିନ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍‌ଜିଏଚ୍‌ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଦିଆଯାଇଛି । ସର୍ଭିଲାନ୍ସ, ଟେଷ୍ଟିଂ ବଢ଼ାଇବା ସହିତ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ରଖିବାକୁ କୁହାଯାଇଛି । ଅକ୍ସିଜେନ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆକ୍ରାନ୍ତଙ୍କ ଉପରେ ନଜର ରଖିବା ସହ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... କୋରାପୁଟରେ ଡଙ୍ଗା ବୁଡ଼ି ଘଟଣା, ୫ ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା

ଜିଲ୍ଲା ତଥା ଉପଖଣ୍ଡ ସ୍ତରରେ ଟେଷ୍ଟିଂ ଏବଂ ଚିକିତ୍ସା ସୁବିଧା ଉପଲବ୍ଧ ନଥିବା ଅଭିଯୋଗ ଯେପରି ନଆସେ, ସେଥିପାଇଁ ବିଭାଗ କଡ଼ା ଚେତାବନୀ ଦେଇଛି । ଆବଶ୍ୟକ ଟେଷ୍ଟିଂ କିଟ୍‌ ଏବଂ ଔଷଧ ମହଜୁଦ ରଖିବା ସହ ଠିକ୍‌ ସମୟରେ ଡାଟା ଏଣ୍ଟ୍ରି କରିବା ପାଇଁ କୁହାଯାଇଛି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ କୁହାଯାଇଛି । ଅପରପକ୍ଷେ ଲକ୍ଷଣ ଥିବା ଲୋକେ ଘରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷକରି ନୂଆବର୍ଷ ଭିଡ଼ ପାଇଁ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ଥଣ୍ଡା, କାଶ ଓ ଲକ୍ଷଣ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତି ଭିଡ଼ରୁ ଦୂରେଇ ରହିବା ପାଇଁ ସେ ଅପିଲ କରିଛନ୍ତି । ଘରେ ରହିବା ସହ ନିହାତି ଆବଶ୍ୟକ ସ୍ଥଳେ ବାହାରକୁ ବାହାରୁ ଥିଲେ ମାସ୍କ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.