ETV Bharat / state

କୋରାପୁଟରେ ଡଙ୍ଗା ବୁଡ଼ି ଘଟଣା, ୫ ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା

author img

By ETV Bharat Odisha Team

Published : Dec 29, 2023, 7:29 PM IST

CM Announces Ex-Gratia: ଡଙ୍ଗା ବୁଡିବା ଘଟଣାରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

cm naveen announces ex gratia
ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି

ଭୁବନେଶ୍ବର: କୋରାପୁଟରେ ଡଙ୍ଗା ବୁଡ଼ି 5 ଜଣଙ୍କ ମୃତ୍ୟୁ ଘଟଣା । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ସୂଚନା ଅନୁସାରେ, ଗତକାଲି( ଗୁରୁବାର) ଏହି ଯାତ୍ରୀବାହି ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ବୁଡ଼ିଯାଇଥିବାରୁ 5 ଜଣଙ୍କ ଜୀବନ ଯାଇଛି । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତରେ ଏଭଳି ଅଘଟଣ ଘଟିଥିଲା । ତାନସିଂ ନିକଟସ୍ଥ ପାତାଳୀ ନଦୀରେ ଡଙ୍ଗା ବୁଡି ୫ ଜଣ ନିଖୋଜ ସୂଚନା ଆସିଥିଲା । ତାନସିଂ ଗ୍ରାମର ୩ ମହିଳା ଏବଂ ୨ ଜଣ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡେଲା ଗ୍ରାମକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ହେଲେ ବିବାହ ଭୋଜିରୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ...ପାତାଳୀ ନଦୀରେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, 4 ନିଖୋଜ

ଡଙ୍ଗା ଓଲଟି ପଡିବାରୁ ୫ ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଭାସୁଥିବା ପ୍ରଥମେ ଦେଖିବାକୁ ପାଇଥିଲେ ଲୋକେ। ଏହାପରେ ଅନ୍ୟ 4 ଜଣଙ୍କର ସନ୍ଧାନ ପାଇଁ ପ୍ରଚେଷ୍ଟା କରାଯାଇଥିଲା । ହେଲେ ସେହି ୪ ଜଣଙ୍କ ଜୀବନ ଯାଇଥିବା ନେଇ ମଧ୍ୟ ଖବର ମିଳିଥିଲା । ମୃତକମାନେ ହେଲେ ଲାଲମଣୀ ଶିଶା(୨୩), ଶଶୀରେଖା ଆର୍ଲାବ (୨୪) ଓ ନବିନା ଆର୍ଲାବ(୨୫)ଙ୍କ ସମେତ ୩ ନାବାଳିକା ପୁଷ୍ପାଞ୍ଜଳି ଆରଲାବ(୧୪) ଓ ଶାନ୍ତି ସିଶା(୧୩) । କାନ୍ଦ ବୋବାଳିରେ ପରିବେଶ ଫାଟି ପଡିଥିବାବେଳେ ଆତ୍ମୀୟଙ୍କୁ ହରାଇ ଧୈର୍ଯ୍ୟହରା ହୋଇଛନ୍ତି ପରିବାର । ସେପଟେ ଏକାସହ ୫ ଜଣଙ୍କ ଜୀବନ ଯିବା ଘଟଣା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.