ETV Bharat / state

ପୂରା ହେବ ବରଗଡବାସୀଙ୍କ ସ୍ୱପ୍ନ; ଡିସେମ୍ବର ସୁଦ୍ଧା ଗଙ୍ଗାଧର ମେହେର ପ୍ରକଳ୍ପରୁ ଜଳସେଚନ

author img

By ETV Bharat Odisha Team

Published : Nov 24, 2023, 7:33 AM IST

Gangadha Meher Irrigation Project Review
Gangadha Meher Irrigation Project

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଡିସେମ୍ବର ଜଳସେଚନ ଆରମ୍ଭ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ବିଜେପୁର ଓ ବରଗଡ଼ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଜଳ ବ୍ୟବହାର ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ସଂପର୍କରେ ଉନ୍ନୟନ କମିଶନର ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ପ୍ରତି ବୁନ୍ଦା ଜଳର ସର୍ବୋତ୍ତମ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ପାଇପ ଯୋଗେ ୩୧,୩୫୦ ହେକ୍ଟର ଜମି ଜଳସେଚିତ ହେବ । ଆସନ୍ତା ରବି ଋତୁରୁ ଜଳ ସେଚନ ଆରମ୍ଭ ହେବ ।

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ, ବିଜେପୁର ହେଉଛି ଜଳ ସେଚନ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ପ୍ରକଳ୍ପ । ଯାହା ହୀରାକୁଦ ନଦୀବନ୍ଧ ଯୋଜନାରେ ଥିବା ବରଗଡ଼ ମୁଖ୍ୟ କେନାଲର ସମ୍ପୂର୍ଣ୍ଣ ଯୋଗାଣ ସ୍ତରଠାରୁ ଉଚ୍ଚସ୍ତରରେ ଅବସ୍ଥିତ । ଏହା ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା ଓ ବରପାଲି ବ୍ଲକ ସମେତ ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ଜଳସେଚନ ଆବଶ୍ୟକତା ପୂରଣ କରିବାକୁ ଉଦ୍ଧିଷ୍ଟ । ଉପରୋକ୍ତ ବ୍ଲକରେ ଏହି ସେଚାଂଚଳ ମାଧ୍ୟମରେ ପ୍ରଥମେ ୧୨୯ଟି ଗାଁ ଉପକୃତ ହେବ । ଏଥି ମଧ୍ୟରୁ ବରଗଡ ଜିଲ୍ଲାର ୩ଟି ବ୍ଲକର ୧୨୨ଟି ଗାଁ ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୭ଟି ଗାଁ । ମୋଟ ୪ଟି ବ୍ଲକର ୨୫,୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବା ସଙ୍ଗେ ସଙ୍ଗେ ୩୫,୬୦୦ରୁ ଅଧିକ କୃଷକ ଉପକୃତ ହେବେ ।

ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକର ୭୫ ଗ୍ରାମର ୧୫୦୮୪ ହେକ୍ଟର, ସୋହେଲା ବ୍ଲକର ୨୫ ଗ୍ରାମର ୬୮୦୪, ବରପାଲିର ୨୨ ଗ୍ରାମର ୩୫୨୦ ହେକ୍ଟର ଓ ଡୁଙ୍ଗରିପାଲି ବ୍ଲକର ୭ଟି ଗ୍ରାମର ୧୯୨ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ପରବର୍ତ୍ତୀ ସମୟରେ ଚାଷୀମାନଙ୍କୁ ଜଳସେଚନ ଆବଶ୍ୟକତା ପୂରଣ କରିବା ପାଇଁ ଏହି ପ୍ରକଳ୍ପରେ ବରଗଡ ବ୍ଲକର ୧୨ଟି ଗ୍ରାମ ଏବଂ ବରିପାଲି ବ୍ଲକର ୨ଟି ଗ୍ରାମର ୫୭୫୦ ହେକ୍ଟର ଜମିରେ ଅତିରିକ୍ତ ସେଚାଂଚଳକୁ ଜଳସେଚନ କରାଯିବାର ଲକ୍ଷ୍ୟ ରହିଛି । ଫଳରେ ଅତିରିକ୍ତ ୫୭୫୦ ହେକ୍ଟର ସୃଷ୍ଟି ହେବା ସହ ମୋଟ ଆୟକଟ ୩୧,୩୫୦ ହେକ୍ଟରରେ ପହଞ୍ଚିଛି । ଜଳସମ୍ପଦ ବିଭାଗ ଓ କୃଷି ବିଭାଗ ସହ ଆଲୋଚନା କରି ସମୁଦାୟ ୩୧,୩୫୦ ହେକ୍ଟର ଜମି ପାଇଁ ଉଭୟ ଖରିଫ ଓ ରବି ପାଇଁ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଉନ୍ନୟନ କମିଶନର ଅନୁ ଗର୍ଗ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଜେପୁର, ସୋହେଲା ଅଞ୍ଚଳ ଲୋକଙ୍କ ଦୀର୍ଘକାଳୀନ ଦାବୀ ଅନୁଯାୟୀ, ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପକୁ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ରବି ଋତୁରୁ ଏହାର ଜଳସେଚନ ପ୍ରକ୍ରିୟା ଆରମ୍ଭ ହେବ । ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ହେବ । ପ୍ରକଳ୍ପରେ ପ୍ରଥମ ଥର ପାଇପ ଲାଇନ ବ୍ୟବସ୍ଥାରେ ଜଳସେଚିତ ପାଣି ପ୍ରହାହ ହେଉଥିବାରୁ ତାହାକୁ ଗୁରୁତ୍ୱ ଦିଆଯାଇ ରବି ଋତୁରୁ ଏହି ପ୍ରକଳ୍ପରେ ମୁଖ୍ୟତଃ ଅଣଧାନ ଚାଷକୁ ଗୁରୁତ୍ୱ ଦିଆଯାଇଛି ।

ଫସଲ ବିବିଧତା କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ । ଉନ୍ନୟନ କମିଶନର ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ବିଭିନ୍ନ ଫସଲ ପ୍ରଣାଳୀର ପରିଚାଳନା ଓ ଏହାର ସଫଳତା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । କୃଷି ଓ ଉଦ୍ୟାନ କୃଷି ବିଭାଗ ସହ ପରାମର୍ଶ କରି ଓ୍ୱାଲମୀରେ ପ୍ରକଳ୍ପ ସମ୍ପର୍କିତ ପାଣି ପଞ୍ଚାୟତର କର୍ମକର୍ତ୍ତାମାନଙ୍କ ପାଇଁ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପାଣି ପଞ୍ଚାୟତ କାର୍ଯ୍ୟାଳୟର ପ୍ରଶିକ୍ଷଣ ମଡ୍ୟୁଲ ରବି ଯୋଜନା ୨୦୨୩-୨୪ ଅନୁସାରେ ହେବ । ଆଗାମୀ ଡିସେମ୍ବର ୩ ତାରିଖ ସୁଦ୍ଧା ରବି ଯୋଜନା ପ୍ରସ୍ତୁତ କରିବାକୁ ସେ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩ ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୃକ୍ତ ସେଚାଞ୍ଚଳରେ ପାଣି ପଞ୍ଚାୟତର ନିର୍ବାଚନ ଶେଷ ହେବ । ଏହାର ସଫଳ ରୂପାୟନ ଯେପରି ସବୁଠାରୁ ଭଲଭାବେ ହୋଇପାରିବ । ସେଥିପାଇଁ ବରଗଡ଼ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ବରଗଡ଼ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକଙ୍କୁ ଦେଇଛନ୍ତି ।

ଏହା ବି ପଢନ୍ତୁ...ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ପ୍ରକଳ୍ପ, ଶୀଘ୍ର ସାରିବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ

ବୈଠକରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଯୋଗ ଦେଇଥିଲେ । ଭିସିରେ ଅନୁଷ୍ଠିତ ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, କୃଷି ବିଭାଗ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ, ବରଗଡ ଜିଲ୍ଲାପାଳ, ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ, ସଂପୃକ୍ତ ଜିଲ୍ଲାର କୃଷି ଅଧିକାରୀଙ୍କ ସମେତ ଜଳ ସଂପଦ ବିଭାଗର ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.