ETV Bharat / state

Mission Indradhanus: ପ୍ରଥମ ଦିନ ଟିକା ନେଲେ ୧୨ ହଜାରରୁ ଅଧିକ ଶିଶୁ

author img

By ETV Bharat Odisha Team

Published : Sep 13, 2023, 6:59 AM IST

Mission Indradhanus : ପ୍ରଥମ ଦିନରେ ଟିକା ନେଲେ ୧୨ ହଜାରରୁ ଅଧିକ ଶିଶୁଙ୍କ ସହ ୩୪୨ ଗର୍ଭବତୀ ମହିଳା
Mission Indradhanus : ପ୍ରଥମ ଦିନରେ ଟିକା ନେଲେ ୧୨ ହଜାରରୁ ଅଧିକ ଶିଶୁଙ୍କ ସହ ୩୪୨ ଗର୍ଭବତୀ ମହିଳା

ମିଶନ ଇନ୍ଦ୍ରଧନୁଷ ଟୀକାକରଣ ଅଭିଯାନ । ପ୍ରଥମ ଦିନରେ ୧୨ ହଜାରରୁ ଅଧିକ ଶିଶୁଙ୍କୁ ଟିକା ଦିଆଯାଇଥିବା ବେଳେ ୨ ହଜାର ଗର୍ଭବତୀ ମହିଳା ନେଇଛନ୍ତି ଟିକା । ଏହି ମିଶନ ଇନ୍ଦ୍ରଧନୁଷ ଅଭିଯାନ ଅଧୀନରେ ୧୧ଟି ଟିକା ଦିଆଯାଉଛି । ଯାହାକି ପିଲାଙ୍କୁ ୧୨ଟି ଘାତକ ରୋଗରୁ ମୁକ୍ତ ରଖିବ । ଅଧିକ ପଢନ୍ତୁ

Mission Indradhanus

ଭୁବନେଶ୍ବର: ଗତ 11 ତାରିଖରୁ ରାଜ୍ୟ ସ୍ବାସ୍ଥ ବିଭାଗ ଆରମ୍ଭ କରିଛି ମିଶନ ଇନ୍ଦ୍ରଧନୁଷ । ପୂର୍ବରୁ କିଛି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେଉଥିଲା ବେଳେ ଚଳିତ ବର୍ଷ ସମସ୍ତ ଜିଲ୍ଲାରେ କରାଯାଉଛି । ମାସରେ ୬ ଦିନରେ ଚାଲିବ ଅଭିଯାନ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ୫ ବର୍ଷରୁ କମ ବୟସର ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ପୂର୍ଣ୍ଣ ଟିକାକରଣ କରାଇବା । ଏଥିପାଇଁ ୨୬ ହଜାର ସେଶନ ଚିହ୍ନଟ କରାଯାଇଛି । ଟୀକାକରଣ ଲାଗି ଚିହ୍ନଟ ହୋଇଥିବା ୧ ଲକ୍ଷ ୨୩ ହଜାର ୪୭୨ ଶିଶୁ ଓ ୨୩ ହଜାର ୫୬୮ ଗର୍ଭବତୀ ମହିଳାଙ୍କୁ ୩ଟି ପର୍ଯ୍ୟାୟରେ ଟୀକାକରଣ କରାଯିବ । ପ୍ରଥମ ଦିନ( ସେପ୍ଟେମ୍ବର 11)ରେ ୪୦୬୬ ସେସନରେ ୧୨ ହଜାର ୩୯ ଶିଶୁ, ୨ ହଜାର ୩୪୨ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି । ମିଶନ ଇନ୍ଦ୍ରଧନୁଷ ଅଭିଯାନ ଅଧୀନରେ ୧୧ଟି ଟିକା ଦିଆଯାଉଛି, ଯାହାକି ପିଲାଙ୍କୁ ୧୨ଟି ଘାତକ ରୋଗରୁ ମୁକ୍ତ ରଖିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସୂଚନା ଅନୁଯାୟୀ, ଏହି ମିଶନ ଇନ୍ଦ୍ରଧନୁଷ ଡ୍ରାଇଭରେ ୫ ବର୍ଷରୁ କମ ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖାଯାଇଛି । ଯେ କୌଣସି ଟିକାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ଟିକାକରଣ କରାଯିବ । ଏନେଇ U-WIN ଡିଜିଟାଲ ପୋର୍ଟାଲରେ ପଞ୍ଜୀକରଣ କରାଯାଇ ଟିକାକରଣ କରାଯାଉଛି । ଏହି ମିଶନ ଇନ୍ଦ୍ରଧନୁ ଡ୍ରାଇଭରେ ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯାଉଥିବା ବେଳେ ଏବେ ୫ ବର୍ଷରୁ କମ ପିଲାଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Mission Indradhanush: 11ରୁ ମିଶନ ଇନ୍ଦ୍ରଧନୁଷ, ୫ ବର୍ଷରୁ କମ ବୟସ ପିଲା ଓ ପ୍ରସୂତି ଟୀକାକରଣ ଲକ୍ଷ୍ୟ

ପ୍ରଥମ ପର୍ଯ୍ୟାୟରେ ୧୧ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ଅନ୍ୟପଟେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ତାରିଖ ରୁ ୧୪ ତାରିଖ ଓ ତୃତୀୟ ପର୍ଯ୍ୟାୟରେ ନଭେମ୍ୱର ମାସରେ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ସପ୍ତାହକୁ ୬ ଦିନ ହେବ ଏହି ଟୀକାକରଣ । ଯେକୌଣସି ଡୋଜ ବାକି ଥିଲେ ମଧ୍ୟ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଦେଶରେ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରହିଛି । ୨୦୧୯- ୨୦୨୧ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ -5 ରିପୋର୍ଟ ଅନୁସାରେ ୯୦.୫ ପ୍ରତିଶତ ଟୀକାକରଣ ହୋଇଛି । ଜାତୀୟ ହାର ୭୬ ଥିବା ବେଳେ ଓଡ଼ିଶା ଅଧିକ ରହିଛି ଟୀକାକରଣ ହାର । ୨୦ଟି ଜିଲ୍ଲାରେ ୯୦ ପ୍ରତିଶତ ଉପରେ ହୋଇଛି ଟୀକାକରଣ । ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଏହାର ପେରି ଫେରି ଅଞ୍ଚଳ, ଆଦିବାସୀ ଲୋକ, ଅପହଞ୍ଚ ଅଞ୍ଚଳ ଉପରେ ଫୋକସ କରାଯାଇଛି । ହିତାଧିକାରୀ ଚିହ୍ନଟ ପାଇଁ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା ।

ସର୍ଭେ ଅନୁସାରେ ୧ ଲକ୍ଷ ୪ ହଜାର ୨୬୧ ଜଣ ୫ ବର୍ଷରୁ କମ ପିଲା ଓ ୧୯ ହଜାର ୮୯୬ ଜଣ ପ୍ରସୂତି ମହିଳା ବଞ୍ଚିତ ହୋଇଛନ୍ତି । ନବରଙ୍ଗପୁରରେ ଅଧିକ ହିତାଧିକାରୀ ବଞ୍ଚିତ ସୂଚନା ମିଳିଛି । ୨୦୧୫ ରୁ ମିଶନ ଇନ୍ଦ୍ରଧନୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଧା ୧୦ ରାଉଣ୍ଡ କରାଯାଇଛି । ଏହା ଦ୍ବାରା ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଥିବା ଜଣା ପଡିଛି । ତେଣୁ ଏହି ଡ୍ରାଇଭ୍‌ରେ ସାମିଲ ହେବାକୁ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆହ୍ବାନ ଦିଆଯାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.