ETV Bharat / state

BMC ମେୟର ଓ କମିଶନରଙ୍କ ନାଁରେ ମାମଲା: ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ଘଟଣାରେ ବିଜେପିର ଏତଲା

author img

By

Published : Jul 28, 2023, 6:16 PM IST

BMC ମେୟର ଓ କମିଶନରଙ୍କ ନାଁରେ ମାମଲା
BMC ମେୟର ଓ କମିଶନରଙ୍କ ନାଁରେ ମାମଲା

କ୍ୟାପିଟାଲ ଥାନାରେ ବିଏମସି ମେୟର ଓ କମିଶନରଙ୍କ ନାଁରେ ଏତଲା ଦେଇଛି ବିଜେପି। ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ପାଇଁ ମେୟର ଓ କମିଶନରଙ୍କୁ ଦାୟୀ କରାଯାଇଛି । ଅଧିକ ପଢନ୍ତୁ

BMC ମେୟର ଓ କମିଶନରଙ୍କ ନାଁରେ ମାମଲା

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ପାଇଁ ମେୟର ଓ କମିଶନର ଦାୟୀ କରି ଏତଲା ଦେଲା ରାଜ୍ୟ ବିଜେପି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଉଭୟଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଜଗନାଥ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଥାନା ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

ଥାନାରେ ଏତଲା ଦେବା ସହ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି,"BMC ରାଜଧାନୀବାସୀଙ୍କୁ ଏକ ସ୍ଵଚ୍ଛ ନିର୍ମଳ ସହର ସମେତ ଡେଙ୍ଗୁ ମୁକ୍ତ ସହରର ପ୍ରତିଶୃତି ଦେଇଥିବାବେଳେ ତାହା ପୂରଣ କରିନାହିଁ । ରାଜଧାନୀବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଛି BMC । ଜାଣି ଜାଣି ସହରବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବାବେଳେ ତାଙ୍କ କଥା ଏବେ ପାଣିର ଗାର ହୋଇଛି । ନିର୍ବାଚନ ଜିତିଲେ ଲୋକଙ୍କ ମୌଳିକ ସୁବିଧା ପୂରଣ କରିବୁ ବୋଲି କହିଥିଲା BMC । ହେଲେ ବର୍ଷେ ବିତିଯାଇଥିଲେ ମଧ୍ୟ BMCର ଅପାରଗତା ଯୋଗୁ ଲୋକମାନେ ନାହିଁ ନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ପୂର୍ବରୁ ଡ୍ରେନ୍‌ କାମ କରିଦେବୁ । ଡେଙ୍ଗୁ ଆମ ନିୟନ୍ତ୍ରଣରେ ଅଛି କିଛି ବି ଅସୁବିଧା ହେବନି ବୋଲି ବର୍ଷ ଆରମ୍ଭରୁ ଉଭୟ ମେୟର ଓ କମିଶନର କହିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ, ବର୍ଷା ଆରମ୍ଭରୁ ସାରା ରାଜଧାନୀବାସୀ ଜଳବନ୍ଦୀ ଓ ଡ୍ରେନେଜ୍‌ ସମସ୍ୟାରେ ଛନ୍ଦି ହେଉଛନ୍ତି ।"

ଏହା ବି ପଢନ୍ତୁ...Dengue Menace: ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ କହିଲେ BMC କମିଶନର

ସେ ଆହରୁ ମଧ୍ୟ କହିଛନ୍ତି, "ବର୍ଷା ଆରମ୍ଭରୁ ଡେଙ୍ଗୁ ଜ୍ବରର ସଂକ୍ରମଣ ବଢିବା ସହ ଭୁବନେଶ୍ୱରରେ ଦିନକୁ ଦିନ ଡେଙ୍ଗୁ ତା'ର କାୟା ବିସ୍ତାର କରି ଚାଲିଛି । ଭାରତ ବର୍ଷରେ ଡେଙ୍ଗୁ ବୃଦ୍ଧିରେ ଭୁବନେଶ୍ୱର ଆଗରେ ରହିଛି । ଆଉ ଦିନକୁ ଦିନ ଲୋକଙ୍କ ମୁଣ୍ଡ ବି ନେଲାଣି । ଏହାରି ଭିତରେ ଡେଙ୍ଗୁ ଥମିବାର ନାଁ ଧରୁନି । ତିନି ତିନୋଟି ମୁଣ୍ଡ ନେଲା ପରେ ବି BMC କହୁଛି, ଡେଙ୍ଗୁ ନିୟନ୍ତ୍ରଣରେ ରହିଛି । ଡେଙ୍ଗୁ ନେଇ ଆମେ ସଚେତନତା କରୁଛୁ। ପ୍ରତିକାର ସହ ପ୍ରତିଷେଧକ ବି ନେଉଛୁ । BMC ପକ୍ଷରୁ ଦିଆଯାଇଥିବା ଏହି ପ୍ରତିଶୃତି ଏବେ ପାଣିର ଗାର ସାଜିଛି ।"

"କାହିଁକି BMC ନିଜର ଦାୟିତ୍ୱ ପାଳନ କରୁନାହିଁ ?" ବୋଲି ପ୍ରଶ୍ନ କରିଛି ବିଜେପି । "ନିଜର ଅପାରଗତା ଓ ଦାୟିତ୍ବହୀନତା ଯୋଗୁ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଉଥିବାରୁ ୩୦୬ ଧାରାରେ ସେମାନେ ଜଣେ ଜଣେ ଦୋଷୀ" ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପିର ସାଙ୍ଗଠନିକ ସଭାପତି ବାବୁ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.