ETV Bharat / state

Dengue Menace: ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ କହିଲେ BMC କମିଶନର

author img

By

Published : Jul 25, 2023, 6:59 AM IST

ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ
ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ

ରାଜଧାନୀରେ ଡେଙ୍ଗୁ ଆତଙ୍କ ଥମିବାର ନାଁ ନେଉନାହିଁ । ଗତ ୨ ଦିନରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଚେତିଲା ବିଏମ୍‌ସି । ସେପଟେ ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ କହିଲେ ବିଏମ୍‌ସି କମିଶନର । ଅଧିକ ପଢ଼ନ୍ତୁ

ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ

ଭୁବନେଶ୍ବର: ରାଜଧାନୀରେ ଡରାଉଛି ଡେଙ୍ଗୁ । ଡେଙ୍ଗୁ ସଂକ୍ରମଣ ଓ ମୃତ୍ୟୁକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଡେଙ୍ଗୁରେ ଭୁବନେଶ୍ବର ମହାନଗର ନିଗମର ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିଶନର । ଲୋକଙ୍କ ଭିତରେ କିଭଳି ଡେଙ୍ଗୁକୁ ନେଇ ଅଧିକ ସଚେତନତା ବୃଦ୍ଧି ପାଇବ, ସେନେଇ ବିଏମ୍‌ସି ଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି କମିଶନର ।

କମିଶନର କହିଛନ୍ତି, "ଡେଙ୍ଗୁର ପ୍ରତିହତ ପାଇଁ ସହରରେ ଟେଷ୍ଟିଂ, ଫଗିଙ୍ଗ୍ ଜୋରଦାର ଜାରି ରହିଛି । ପୂର୍ବରୁ ୧୦ଟି ଫଗିଙ୍ଗ୍ ଟିମ୍ ରହିଥିବା ବେଳେ ଏବେ ଏହି ସଂଖ୍ୟାକୁ ବୃଦ୍ଧି କରି ୧୫ କରାଯାଇଛି । ଦେଢ଼ ମାସ ଆଗରୁ ଆମେ ସଚେତନତା ପାଇଁ ଉଦ୍ୟମ କରୁଛୁ । ଅସ୍ଵଚ୍ଛତା ବା ଅପରିସ୍କାରିତା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ । ତେଣୁ ପୁରୁଣା ଟାୟାର, ଭଙ୍ଗା ଟିଣ, ଟାଙ୍କି ଏସବୁ ସଫେଇ ଜୋରଦାର କରାଯାଉଛି । ପ୍ରତିଘରକୁ ବାର୍ତ୍ତା ପହଞ୍ଚାଯାଉଛି ସଚେତନ ରହିବା ପାଇଁ ଓ ପରିବେଶକୁ ସଫା ରଖିବା ପାଇଁ । ସେହିପରି ବିଭିନ୍ନ ସ୍ଥାନରେ ଧୂଆଁ ଓ ମଶା ତେଲ ପକା କାମ ଚାଲିଛି । ଟେଷ୍ଟିଂ ବଢ଼ାଯାଇଛି । ଅବହେଳା କଲେ ହେବନାହିଁ । ପ୍ରଥମରୁ ଚିକିତ୍ସା ଆବଶ୍ୟକ ଥିବାରୁ ଜ୍ବରକୁ ଲୁଚାଇ ରଖନ୍ତୁ ନାହିଁ । ତେଣୁ ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ ।" ସେହିପରି ସମସ୍ତ ୱାର୍ଡରେ କର୍ପୋରେଟରଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯିବା ସହ ସାମାନ୍ୟ ଜ୍ବର ଆସିଲେ ଟେଷ୍ଟିଂ କିଭଳି କରାଯିବ, ତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ବିଏମ୍‌ସି କମିଶନର ।

ଅନ୍ୟପଟେ ରାଜଧାନୀରେ ଥମିବାର ନା ନେଉନି ଡେଙ୍ଗୁ । ମୃତ୍ୟୁସଂଖ୍ୟା ବଢିବା ପରେ ତତ୍ପରତା ପ୍ରକାଶ କରିଛି ବିଏମ୍‌ସି । ଆକ୍ରାନ୍ତ ସଂଖ୍ୟା ଅଧିକ ଥିବା ସ୍ଥାନରେ ବଢ଼ାଯାଇଛି ସଚେତନତା କାର୍ଯ୍ୟକ୍ରମ । ତେବେ ଗତ ୨ ଦିନରେ ୩ ଜଣଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ଚିନ୍ତା ବଢ଼ାଇଛି । କ୍ୟାପିଟାଲ ହସ୍ପିଟାଲରେ ୬୨ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଘରୋଇ ମେଡିକାଲ ଆମ୍ରୀରେ ଶିଶୁର ମୃତ୍ୟୁ ଓ ବିଏମ୍‌ସି ହସ୍ପିଟାଲରେ ସାଲିଆ ସାହି ଅଞ୍ଚଳର ଗୋଟିଏ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢ଼ନ୍ତୁ...Dengue Menace: ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ

ଗତକାଲି ଖଣ୍ଡଗିରି ଧର୍ମବିହାର ଅଞ୍ଚଳରେ ଜଣେ ଶିଶୁ କନ୍ୟାର ମୃତ୍ୟୁ ହେବାପରେ ଆଜି ସେହି ଅଞ୍ଚଳରେ ଡେଙ୍ଗୁ ସଚେତନତା ରାଲି କରାଯିବା ସହ ଘର ଘର ବୁଲି ସଚେତନ କରାଯାଇଛି । ସରକାରୀ ଡାକ୍ତର ରାଲିରେ ଯୋଗଦେଇ ସରକାରୀ ଡାକ୍ତରଖାନରେ ଚିକିତ୍ସା କରିବା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି । ଧର୍ମବିହାର ଅଞ୍ଚଳଟି ବିଜେପି ୱାର୍ଡ ହୋଇଥିବାରୁ ଏହାକୁ ବିଏମ୍‌ସି ପକ୍ଷରୁ ଅଣଦେଖା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ କର୍ପୋରେଟର । ସଫେଇ ହେଉଥିଲେ ବି ସଠିକ ଢଙ୍ଗରେ ମଶା ଧୂଆଁ ସିଞ୍ଚନ ଓ ତେଲ ପଡୁନଥିବାରୁ ଡେଙ୍ଗୁ ବ୍ୟାପୁଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଏମ୍‌ସିର ଏହି ଅଣଦେଖା ପାଇଁ ଆଜି ଛୋଟ ଛୁଆଟିର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି କର୍ପୋରେଟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.