ETV Bharat / state

DoT Fest In Bhubaneswar: ପଞ୍ଚମ ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

author img

By

Published : Jan 20, 2023, 8:54 AM IST

DoT Fest In Bhubaneswar
DoT Fest In Bhubaneswar

ଡଟ ଫେଷ୍ଟର ପଞ୍ଚମ ସନ୍ଧ୍ୟାରେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ବଂଶୀ ବାଦନରେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

DoT Fest In Bhubaneswar

ଭୁବନେଶ୍ବର: ହକି ବିଶ୍ବକପକୁ ଆକର୍ଷଣୀୟ କରିବା ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ଡଟ ଫେଷ୍ଟ । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକ ମାଳା ସାଙ୍ଗକୁ ନାଚ ଗୀତର ଆସରରେ ଝୁମୁଛନ୍ତି ରାଜଧାନୀବାସୀ । ଆଜି(ଶୁକ୍ରବାର) ଡଟ ଫେଷ୍ଟର ଷଷ୍ଠ ସନ୍ଧ୍ୟା ଆରମ୍ଭ ହେବାକୁ ଥିବା ବେଳେ ଗତକାଲି(ଗୁରୁବାର) ପଞ୍ଚମ ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତର ଯାଦୁ ଦେଖିବାକୁ ମିଳିଥିଲା । କିମ୍ବଦନ୍ତୀ ସଙ୍ଗୀତଜ୍ଞ ତଥା ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

DoT Fest In Bhubaneswar
DoT Fest In Bhubaneswar

ଚାରି ଦିନ ପର୍ଯ୍ୟନ୍ତ ଡଟ ଫେଷ୍ଟରେ ବଲିଉଡ ଓ ଓଲିଉଡ କଳାକାର ମାନେ ନୃତ୍ୟ ପରିବେଷଣ ସହ ସଙ୍ଗୀତ ଗାନ କରିଥିଲେ । ଯାହାର ବେଶ ମଜା ଉଠାଇଥିଲେ ଦର୍ଶକ । କିନ୍ତୁ ଗତକାଲିର ସନ୍ଧ୍ୟା ସବୁଠାରୁ ଅଲଗା ରହିଥିଲା । ହରିପ୍ରସାଦ ଚୌରସିଆ ନିଜର ଟିମ ସହ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ରର ଧୁନ ଅବିରତ ଭାବେ ବଜାଇଥିଲେ । ସୁମଧୁର ଓ ପ୍ରତିଟି ପ୍ରାଣରେ ଜୀବନ ଭରୁଥିବା ବଂଶୀଠୁ ଆରମ୍ଭ କରି ବୀଣା ତାବଲା ଧୁନରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ ।

ପ୍ରତିଟି କଳାକାର ନିଜ ରାଗର ଧୁନରେ ନିଜକୁ ନିମଗ୍ନ କରି ଦେଇଥିଲେ । ହରିପ୍ରସାଦ ଚୌରସିଆ ଲାଇଭ ପ୍ରୋଗ୍ରାମ ଦେଖି ବେଶ ଖୁସି ହୋଇଥିଲେ ଦର୍ଶକ । କହିବାକୁ ଗଲେ ଶାସ୍ତ୍ରୀୟ ସଙ୍ଗୀତର ଯାଦୁରେ ରାଜଧାନୀବାସୀ ମତୁଆଲା ହୋଇଥିଲେ । ଏହା ବ୍ୟତୀତ ଅନେକ ଲୋକପ୍ରିୟ ଭାରତୀୟ ସଙ୍ଗୀତଜ୍ଞ ଯେପରିକି ଉସ୍ତାଦ ତୌଫିକ୍ କ୍ୟୁରେଶ, ଓଜାସ୍ ଆଧିୟା ଓ ଓଡିଆ ଗାୟିକା ସୁସ୍ମିତା ଦାସ ନିଜ ସଙ୍ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେହିପରି ଅନ୍ତର୍ଜାତୀୟ ପ୍ରଦର୍ଶନକାରୀ ଲୁଇସ୍ ବ୍ୟାଙ୍କସ, ଜର୍ଜ ବ୍ରୁକ୍‌ସ ଓ ଜିନେଥ୍ ୱେଂଟିଙ୍କ ଡଟ ଫେଷ୍ଟର ପଞ୍ଚମ ରାତିକୁ ଆହୁରି ରଙ୍ଗୀନ କରିଥିଲେ ।

ଡଟ ଫେଷ୍ଟର ଅନ୍ୟ ଏକ କାର୍ଯ୍ୟକ୍ରମ ନାଇଟ୍ ବଜାର/ଫ୍ଲି ମାର୍କେଟ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକଙ୍କୁ ନିଜ ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ସହିତ ସ୍ଥାପିତ ଫ୍ଲି ମାର୍କେଟ ୧୨୦ରୁ ଅଧିକ ସାମଗ୍ରୀ ପ୍ରଦର୍ଶିତ ହୋଇଛି ।

ସେହିପରି ଡଟ ଫେଷ୍ଟରେ ଆୟୋଜିତ ଫଟୋ ପ୍ରଦର୍ଶନୀ ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସିଟି ଟ୍ରେଲ ଗୁଡିକ ମଧ୍ୟ ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ରାଜ୍ୟ ବାହାର ଦର୍ଶକଙ୍କ ପାଇଁ ଖୋଲା ରହିଛି । ଯାହାଫଳରେ ସେମାନେ ଭୁବନେଶ୍ୱରର ସଂସ୍କୃତି ଓ ଇତିହାସ ବିଷୟରେ ସମ୍ପୂର୍ଣ୍ଣ ଜାଣିପାରିବେ । ଡଟ ଫେଷ୍ଟ ମହୋତ୍ସବର ଆଜିର ସନ୍ଧ୍ୟାରେ ଲୋକପ୍ରିୟ ଷ୍ଟାଣ୍ଡଅପ କମେଡିଆନ ସୁନିଲ ଗ୍ରୋଭରଙ୍କ କମେଡି ଦେଖିବାକୁ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.