ETV Bharat / state

ରାଜ୍ୟରେ ବ୍ୟାପକ ଚାଷୀ ସମସ୍ୟା, ଆଜିଠୁ କଂଗ୍ରେସର ମଣ୍ଡି ବୁଲା ଅଭିଯାନ

author img

By ETV Bharat Odisha Team

Published : Dec 13, 2023, 7:13 AM IST

କାଲିଠୁ କଂଗ୍ରେସର ମଣ୍ଡି ବୁଲା ଅଭିଯାନ
କାଲିଠୁ କଂଗ୍ରେସର ମଣ୍ଡି ବୁଲା ଅଭିଯାନ

Congress Mandi Bula Abhiyan: ଉତ୍କଟ ଚାଷୀ ସମସ୍ୟାଗୁଡିକୁ ନେଇ କଂଗ୍ରେସ କରିବ ମଣ୍ଡି ବୁଲା ଅଭିଯାନ । ଡିସେମ୍ବର ୧୩ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଭିଯାନ । ଅଧିକ ପଢନ୍ତୁ

କାଲିଠୁ କଂଗ୍ରେସର ମଣ୍ଡି ବୁଲା ଅଭିଯାନ

ଭୁବନେଶ୍ବର : କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ମଣ୍ଡି ବୁଲା ଅଭିଯାନ । ରାଜ୍ୟରେ ଉପୁଜିଥିବା ଉତ୍କଟ ଚାଷୀ ସମସ୍ୟାଗୁଡିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଡିସେମ୍ବର ୧୩ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ବିଭିନ୍ନ ବ୍ଲକରେ ଥିବା ମଣ୍ଡିଗୁଡିକୁ ବୁଲି ତଦାରଖ କରିବ ରାଜ୍ୟ କଂଗ୍ରେସର କିଷାନ ସେଲ ନେତୃମଣ୍ଡଳୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଧାନ ମଣ୍ଡିରେ ହୋଇଥିବା ବ୍ୟାପକ ଅନିୟମିତତା ଓ ପରିଚାଳନା ଗତ ତ୍ରୁଟିକୁ ନେଇ କଂଗ୍ରେସ ଧାନ ମଣ୍ଡି ଘେରାଉ କରିବ ।

ଏନେଇ ୭ ଦଫା ଦାବି ଉପସ୍ଥାପନା କରିଛି କଂଗ୍ରେସ । ବର୍ତ୍ତମାନ ସାଧାରଣ ଚାଷୀଟିଏ ଧାନ କ୍ବିଣ୍ଟାଲ ପିଛା ଏମଏସ୍‌ପି ହିସାବରେ ୨୧୮୩ ଟଙ୍କା ପାଉଛି , ଯାହାକୁ ବୃଦ୍ଧି କରି ୨୯୩୦ ଟଙ୍କା କରିବାକୁ କଂଗ୍ରେସ ଦାବି କରିଛି । ଏଥିସହ ଏମ.ଏସ୍.ପି.କୁ ଆଇନଗତ ଗ୍ୟାରେଣ୍ଟି କରିବା ସହ ପ୍ରତି ଧାନ କ୍ବିଣ୍ଟାଲରେ ଚାଷୀଙ୍କୁ ୬୦୦ଟଙ୍କା ବୋନସ୍ ଦିଆଯାଉ । ଧାନ ମଣ୍ଡିରେ ଥିବା ଅବ୍ୟବସ୍ଥାକୁ ଦୂର ନକରିବା ଯାଏଁ କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ନିକଟରେ ଅଦିନିଆ ବର୍ଷା ଯୋଗୁଁ ଧାନ ଚାଷ ସହିତ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ଚାଲିବ ଛାତ୍ର କଂଗ୍ରେସ ଆନ୍ଦୋଳନ

ଏଥିପାଇଁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତି ପୂରଣ ସହାୟତା ଦିଆଯାଉ ଓ ଚାଷୀଙ୍କ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼ କରାଯାଉ । ସେହିପରି ଲଘୁଚାପ ଜନିତ ବର୍ଷାଦ୍ଵାରା ରଙ୍ଗ ବିହୀନ ହୋଇଥିବା ସବୁଧାନକୁ କ୍ରୟ କରାଯାଉ । ପ୍ରଚଳିତ କୃଷି ଇନପୁଟ୍ ସବସିଡ୍‌ର ଦେଢ଼ଗୁଣା ବୃଦ୍ଧି ଓ ରିଲିଫ୍ କୋର୍ଡର ସଂଶୋଧନ କରାଯାଉ । ପ୍ରତି ମଣ୍ଡିରେ ସିସି କ୍ୟାମେରା ସଂଯୋଗ, ଧାନ ଉଠାଇବା ବ୍ୟତୀତ ମିଲରକୁ ମଣ୍ଡି ନିଷେଧ କରିବା ଏବଂ ଭାଗଚାଷୀମାନଙ୍କ ପାଇଁ ସ୍ଵତନ୍ତ୍ର ସହାୟତା ଓ ଆଇନଗତ ମାନ୍ୟତା ଆଦି ଦାବି କରିଛି କଂଗ୍ରେସ ।

ଆସନ୍ତା କାଲି ବଲାଙ୍ଗୀର ରେ ଏକ ବିଶାଳ ଚାଷୀ ସମାବେଶ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ସେପଟେ ଆଜି ବାତ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି । ରିଲିଫ କମିଶନର ଫସଲ କ୍ଷୟକ୍ଷତି ପାଇଁ କଣ ବ୍ୟବସ୍ଥା କରୁଛନ୍ତି ତାହା ଉପରେ ରହିଛି ଚାଷୀଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.