ETV Bharat / state

ଜିଲ୍ଲାକୁ ମରୁଡି ଘୋଷଣା ସହ ଋଣ ଛାଡ ଦାବି କଲେ ଚାଷୀ

author img

By ETV Bharat Odisha Team

Published : Nov 1, 2023, 10:17 PM IST

drought like situation
drought like situation

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଜିଲ୍ଲାରେ ସମ୍ଭାବ୍ୟ ମରୁଡି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

drought like situation

ଖୋର୍ଦ୍ଧା: ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ରକ୍ତକୁ ପାଣି କରି ହାଡଭଙ୍ଗା ପରିଶ୍ରମ କରି ଅମଳ କରିଥିବା ଫସଲ ଚାଷୀର ଆଖି ଆଗରେ ଜଳି ଯିବାକୁ ବସିଛି । ଆକାଶରେ ମେଘ ନଥିବା ବେଳେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ପରିମାଣ କମ ହୋଇଛି । ଫଳରେ ଫସଲକୁ ଆବଶ୍ୟକ ପରିମାଣର ପାଣି ମିଳିନି । ଯାହାକୁ ନେଇ ଜିଲ୍ଲାରେ ସମ୍ଭାବ୍ୟ ମରୁଡି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଚାଷୀ ।

ଆଶ୍ବିନ ଯାଇ କାର୍ତ୍ତିକ ମାସ ହେଲାଣି ହେଲେ ଏପଟେ ବର୍ଷାର ଦେଖା ନାହିଁ । ନିଅଣ୍ଟିଆ ବର୍ଷା ହେବା ଫଳରେ ଫସଲ ଉଜୁଡିବାକୁ ବସିଥିବା ବେଳେ ହତାସ ହୋଇ ମୁଣ୍ଡରେ ହାତ ହେଲାଣି ଚାଷୀ । ଖୋର୍ଦ୍ଧା ଜିଲ୍ଲାରେ ଦେଖା ଦେଇଛି ମରୁଡି ଭଳି ପରିସ୍ଥିତି । ଯେଉଁଥିପାଇଁ ଜିଲ୍ଲାର 75 ଭାଗ ଚାଷ ଜମି ପାଣି ଅଭାବରୁ ଫାଟି ଆଁ କରିଛି । କ୍ଷେତରେ ଫୁଲ ଧାରଣ କରିଥିବା ଧାନ ଫସଲ ପାଣି ଅଭାବରୁ ଜଳିଗଲାଣି । ଚାଷଜମି ଫାଟି ଫସଲ ନଷ୍ଟ ହେବାକୁ ବସିଥିବା ବେଳେ ସାଙ୍ଗରେ ଜଳିଯାଇଥିବା ଧାନ ଗଛ ଧରି ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଗୋଡା, ଓଗାଳପୁର, ସାମନ୍ତରାପୁର, ଡଙ୍ଗରପଡା, ଜାମୁସାହି ଆଦି ଗ୍ରାମର ବହୁ ଚାଷୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସେହିପରି ହଜ ପଞ୍ଚାୟତର କଲରାଝର,ବାଳଧାଡି, ନିଧିପୂର, ମୁକ୍ତପୁର, ନାରୋଗଦା ଓ କାଳୁଚୁଆ ପଟଣାର ବହୁ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି । ବର୍ଷା ନହେବାରୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାକୁ ଲାଗିଲାଣି । ଏଭଳି ପରିସ୍ଥିତିରେ ବିଭିନ୍ନ ବ୍ୟାଙ୍କ ଓ ହାତଉଧାରୀ କରି ଫସଲ କରିଥିବା ଚାଷୀ ଏବେ କଣ କରିବ ତାକୁ ନେଇ ଚିନ୍ତାରେ ପଡିଛି । ସେହିପରି ଚଳିତବର୍ଷ କିପରି ପରିବାରକୁ ଆହାର ଦେବେ ସେନେଇ ଆଶଙ୍କା କରିଛନ୍ତି । ତୁରନ୍ତ ଜିଲ୍ଲାକୁ ମରୁଡି ଘୋଷଣା କରିବା ସହ ଋଣ ଛାଡ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ତେବେ ଜିଲ୍ଲାକୁ ମରୁଡ଼ି ଘୋଷଣା ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ....ମଞ୍ଚାରେ ବିତୁଛି ଜୀବନ, ଫସଲ ସୁରକ୍ଷା ପାଇଁ ଚିନ୍ତାରେ ଚାଷୀ

ତେବେ ଖୋର୍ଦ୍ଧା ଜିଲ୍ଲା ଭଳି ଗଜପତିରେ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଜିଲ୍ଲାରେ ଅନାବୃଷ୍ଟି ପ୍ରଭାବରେ ଅଧିକାଂଶ ଜମି ଫାଟି ଆଁ କଲାଣି । ମାତ୍ର ୩୫ ପ୍ରତିଶତ ଜଳସେଚିତ ଜମି ରହିଥିବା ବେଳେ ବଳକା ଜମି ବର୍ଷା ଉପରେ ଗଜପତି ଜିଲ୍ଲାର ଚାଷୀ ନିର୍ଭର କରନ୍ତି । ଏଭଳି ସ୍ଥିତିରେ ଗତ ମାସକ ମଧ୍ୟରେ ଆବଶ୍ୟକତା ଠାରୁ ମାତ୍ର ୧୨ ପ୍ରତିଶତ ବର୍ଷା ହୋଇଥିବା ଯୋଗୁଁ ସ୍ଥିତି ସଂଗୀନ ହୋଇଛି । ନିକଟ ଭବିଷ୍ୟତରେ ମଧ୍ୟ ବର୍ଷା ସମ୍ଭାବନା କମ ଥିବାରୁ ଜିଲ୍ଲାରେ ମରୁଡି ସ୍ଥିତି ଉପୁଜିବା ନିଶ୍ଚିତ ବୋଲି କୁହାଯାଉଛି । ଯାହାକୁ ନେଇ ଚାଷୀ ଗଜପତି ଜିଲ୍ଲାକୁ ମୁରୁଡି ଘୋଷଣା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.