ETV Bharat / state

ରାଜ୍ୟରେ ବଢୁଛି ଅବକାରୀ ବିଭାଗର କଳେବର: ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

author img

By

Published : Aug 4, 2023, 12:35 PM IST

ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ବ୍ରହ୍ମପୁରରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ । ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବିଭାଗୀୟ କମିଶନର । ଅଧିକ ପଢନ୍ତୁ


ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେଉଛି ଅବକାରୀ ବିଭାଗର କଳେବର । ବିଭାଗର କର୍ମଚାରୀ ନିଯୁକ୍ତି ଠାରୁ ଆରମ୍ଭ କରି ସେମାନଙ୍କ ଦକ୍ଷତା ବୃଦ୍ଧି, ନୂତନ ଅବକାରୀ ଥାନା ପ୍ରତିଷ୍ଠା ଇତ୍ୟାଦି ବିଷୟକୁ ଗୁରୁତ୍ୱ ଦିଆଯାଉଛି । ଏହାସହିତ ନିଶା ମାଫିଆଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରୁଛି ବିଭାଗ । ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା କାରବାର ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟର ନୂତନ ଅବକାରୀ କମିଶନର ନରସିଂହ ଭୋଳ ବିଭାଗୀୟ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁରର ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲ୍ଲାର ଅଧିକ୍ଷକ ଓ ଉପ ଅଧିକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଅବକାରୀ କମିଶନର ଚୋରା ଗଞ୍ଜେଇ ଚାଲାଣ ରୋକିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ବିଭିନ୍ନ ଉପାୟରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଦକ୍ଷିଣାଞ୍ଚଳ ଜିଲ୍ଲାମାନଙ୍କରୁ ନିଶାଦ୍ରବ୍ୟ ଚାଲାଣ ହେଉଛି । ଦକ୍ଷିଣାଞ୍ଚଳରେ ବ୍ରାଉନସୁଗାର କାରବାର ଏତେଟା ନଥିବା ବେଳେ ସେଣ୍ଟାଲ ଡିଭିଜନରେ ଏହାର ମାତ୍ରା ଅଧିକ ରହିଛି । ଇତିମଧ୍ୟରେ ଅବକାରୀ ବିଭାଗ ଏହି ଅଞ୍ଚଳରୁ ପାଞ୍ଚଟି ମାମଲା ରୁଜୁ କରିଥିବା ଜଣାଯାଇଛି । ଏଣୁ ଗୁଇନ୍ଦା ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେହିପରି ଅବକାରୀ ବିଭାଗର ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଗତ ଦୁଇ ମାସରେ ପ୍ରାୟ 10 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବର୍ଷ ଶେଷ ବେଳକୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯିବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ଗୋଖାଦ୍ୟ ବୋଝେଇ ଟ୍ରକରେ ମଧ୍ୟପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ, ରାୟଗଡାରେ ମାଡି ବସିଲା ପୋଲିସ

ବିଭାଗୀୟ କର୍ମଚାରୀ ଓ ଥାନା ବୃଦ୍ଧି ଉପରେ ଗୁରୁତ୍ୱ: ଗତ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଅବକାରୀ ବିଭାଗର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଗତ ଚାରି ବର୍ଷ ମଧ୍ୟରେ ପୂର୍ବରୁ ରହିଥିବା 1700 କର୍ମଚାରୀଙ୍କ ସଂଖ୍ୟା ବର୍ତ୍ତମାନ 2700ରେ ପହଞ୍ଚିଛି । ସେହିପରି ଆଗକୁ ବିଭାଗରେ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବିଭାଗର ସିପାହୀ ପଦରେ ପ୍ରାୟ 600 କର୍ମଚାରୀ ପଦବୀ ଖାଲି ରହିଛି । ଏହାର ପୂରଣ ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ଏଥିସହ ରାଜ୍ୟରେ ନୂତନ ଅବକାରୀ ଥାନା ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ପୂର୍ବରୁ ରହିଥିବା ଥାନା ସଂଖ୍ୟା 160 ବଢି 201ରେ ପହଞ୍ଚିଛି । ଗତବର୍ଷ କେବଳ 9ଟି ନୂତନ ଅବକାରୀ ଥାନା ପ୍ରତିଷ୍ଠା ହୋଇଛି । ଦୁଇ ବର୍ଷ ମଧ୍ୟରେ ସମୁଦାୟ 33 ଗୋଟି ନୂତନ ଥାନା ହୋଇଛି ।


ବିଭାଗର ଧରପଗଡ ଅଭିଯାନ ବୃଦ୍ଧି: ଗୋଟିଏ ପଟେ ରାଜ୍ୟରେ ଅବକାରୀ ବିଭାଗର କଳେବର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ତଦନୁଯାୟୀ ବିଭାଗର ଧରପଗଡ ଅଭିଯାନକୁ ମଧ୍ୟ ବ୍ୟାପକ କରାଯାଇଛି । ତଥ୍ୟ ଅନୁସାରେ, ଗତ ବର୍ଷ 184 ଗୋଟି ଗଞ୍ଜେଇ ଚାଲାଣ ମାମଲା ରୁଜୁ ହୋଇଥିଲା । ହେଲେ ଗତ ତିନି ମାସରେ 159 ଗୋଟି ଗଞ୍ଜେଇ ଜବତ ମାମଲା ରୁଜୁ ହେଲାଣି । କେବଳ ଗଞ୍ଜେଇ ମାମଲା ନୁହେଁ ଚୋରା ମଦ କାରବାରକୁ ରୋକିବା ଦିଗରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଅଧିକ ସକ୍ରିୟ ହୋଇଥିବା କହିଛନ୍ତି ଅବକାରୀ କମିଶନର ।

ତେବେ ଅବକାରୀ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ମାଫିଆଙ୍କ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ତାଲିମ ପ୍ରାପ୍ତ ନଥିବା ବେଳେ ଇତିମଧ୍ୟରେ ମାଫିଆ ଆକ୍ରମଣ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟରେ ପୋଲିସଙ୍କ ଭଳି ଅବକାରୀ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ନେଇ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା କରାଯାଇଛି । ଖୁବଶ୍ରୀଘ୍ର ତାଲିମ ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ବିଭାଗର ଆଭ୍ୟନ୍ତରୀଣ ତାଲିମ ଦିଆଯିବ ବୋଲି କହିଛନ୍ତି କମିଶନର ।

ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା: ରାଜ୍ୟର ଚାରିରୁ ପାଞ୍ଚୋଟି ଜିଲ୍ଲାରେ ବହୁ ପରିମାଣରେ ଗଞ୍ଜେଇ ଚାଷ ହେଉଥିବାରୁ ଉକ୍ତ ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି । ଏ ସଂପର୍କରେ ଉଚ୍ଚସ୍ତରୀୟ ବୈଠକ କରାଯାଇଛି । ଇତିମଧ୍ୟରେ ମାଲକାନଗିରି ଜିଲ୍ଲାପାଳ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ କିପରି ବିକଳ୍ପ ବ୍ୟବସ୍ଥା ହୋଇପାରିବ ସେନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିବା ଯୋଗୁଁ ହଟିକଲଚର୍ ମାଧ୍ୟମରେ ଚାଷ ହେଉଥିବା ଅଞ୍ଚଳରେ କିପରି ଜୀବନ ଜୀବିକା ଦିଆଯାଇପାରିବ ଓ ତାହାର ପ୍ରକୃତ ପଦକ୍ଷେପ ନିଆଯାଇପାରିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି ।

ତେବେ ଗଞ୍ଜେଇ କାରବାରରେ ରାଜ୍ୟ ବାହାରର ଗଞ୍ଜେଇ ମାଫିଆ ଅଧିକ ସକ୍ରିୟ ରହୁଛନ୍ତି । ଦକ୍ଷିଣାଞ୍ଚଳରେ ଧରାପଡୁଥିବା ବହୁ ମାଫିଆ ରାଜ୍ୟ ବାହାରର । ସମ୍ୱଲପୁର ଏବଂ ବ୍ରହ୍ମପୁର ରୁଟରେ ଅଧିକ ଗଞ୍ଜେଇ ଯାଉଥିବା ବେଳେ ଏହି ନିଶା କାରବାର ମାମଲାରେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷ ଗିରଫ ହେଉଥିବାର ନଜିର ରହିଛି ।


ମଦ ପ୍ରସ୍ତୁତିରେ ଅପମିଶ୍ରଣ ଓ ରାସାୟନିକ ଦ୍ରବ୍ୟର ବ୍ୟବହାର ଉପରେ ଫୋକସ: ମଦ ପ୍ରସ୍ତୁତିରେ ଅପମିଶ୍ରଣ ଓ ରାସାୟନିକ ଦ୍ରବ୍ୟର ବ୍ୟବହାର ଉପରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି । ବେଆଇନ ଭାବରେ ପ୍ରସ୍ତୁତ ହେଉଥିବା ମଦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିଭାଗୀୟ କର୍ମଚାରୀଙ୍କୁ ଏନେଇ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି । ଏହି ଅପମିଶ୍ରଣ ସମ୍ପର୍କରେ ଖବର ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଲାଇସେନ୍ସ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ: ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଦିଆଯାଉଥିବା ଲାଇସେନ୍ସ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଫ୍ ସଫ୍, ଅନ ସଫ୍, ବାର,ବିୟରପାଲର ଖୋଲିବା ପାଇଁ ରହିଥିବା ନିୟମ ଖିଲାଫ କଲେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି କୁହାଯାଇଛି । ଗତ ଜୁନ୍ ମାସରେ ଏହି ଘଟଣାରେ 45 ଗୋଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ 15ରୁ 20ଟି ମାମଲା ରୁଜୁ ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.