ETV Bharat / state

ଇଟିଭି ଭାରତ ପ୍ରଭାବ: 4 ଅସହାୟ ଭାଇଭଉଣୀଙ୍କ ଦାୟିତ୍ୱ ନେବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

author img

By

Published : Dec 6, 2022, 9:49 AM IST

ଅନାଥ ୪ ପିଲାଙ୍କ ଦାୟିତ୍ୱ ନେବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ
ଅନାଥ ୪ ପିଲାଙ୍କ ଦାୟିତ୍ୱ ନେବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ତତ୍ପର ହେଲା ପ୍ରଶାସନ । ଅସହାୟ ଭାଇଭଉଣୀଙ୍କୁ ସାହାଯ୍ୟ ପାଇଁ ହାତ ବଢାଇଲେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ନା ଅଛି ଖାଇବାକୁ ଦାନା, ନା ମୁଣ୍ଡ ଗୁଞ୍ଜିବାକୁ ଘର । ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ୪ ଅସହାୟ ଭାଇଭଉଣୀ । ଏ ସମ୍ପର୍କିତ ଖବର ଇଟିଭି ଭାରତରେ ପ୍ରକାଶ ପାଇବା ପରେ ଏବେ ଏହି ବାପାମାଆ ଛେଉଣ୍ଡ ପିଲାମାନଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଇଛି ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ଶିଶୁ ସୁରକ୍ଷା ୟୁନିଟର ଦୁଇଜଣ ସଦସ୍ୟ ମଣିପାଲ ସାହୁ ଓ ପ୍ରଣତି ପଟ୍ଟନାୟକ ଏମାନଙ୍କ ନିକଟରେ ପହଞ୍ଚି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧା ଶିଶୁ ସୁରକ୍ଷା ୟୁନିଟର ଦୁଇଜଣ ସଦସ୍ୟ ସୋମବାର ପୋଡାଡିହ ପଞ୍ଚାୟତ ନୀଳକଣ୍ଠପୁର ଆଦିବାସୀ ସାହିର ପୁଷ୍ପଲତା ନାୟକଙ୍କ ଘରେ ପହଞ୍ଚିଥିଲେ । ଅସହାୟ ନାବାଳିକା ପୁଷ୍ପଲତା ଓ ତାଙ୍କ ୩ ଭାଇଭଉଣୀଙ୍କ ଠାରୁ ରହିବା, ଖାଇବା, ପାଠପଢ଼ା ଆଦି ସମସ୍ତ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।

ଏହାମଧ୍ୟ ପଢ଼ନ୍ତୁ.ବାପା ମାଆଙ୍କୁ ହରାଇବା ପରେ ଭାଇଭଉଣୀଙ୍କ ସାହାରା ପୁଷ୍ପଲତା, ଦୁଃଖରେ ବିତୁଛି ଜୀବନ

ଏପରିକି ପିଲାମାନଙ୍କ ଦାଦା ଓ ଖୁଡିଙ୍କ ସହିତ ପିଲାଙ୍କ ଭବିଷ୍ୟତ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ପିଲାମାନଙ୍କ ଅସହାୟତାକୁ ନିଜେ ଅନୁଧ୍ୟାନ କରିବା ସହ ହୃଦୟଙ୍ଗମ କରିଥିଲେ । ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ସେମାନେ କହିଛନ୍ତି । ଭଲ ପାଠପଢିବା ଓ ରହିବା ପାଇଁ ସରକାରୀ ସ୍ତରରେ ଯାହା ସୁବିଧା ସୁଯୋଗ ରହିଛି ତାହା ଏହି ପିଲାମାନଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ।

ସୂଚନାଯୋଗ୍ୟ, ପୋଡାଡିହ ପଞ୍ଚାୟତ ନୀଳକଣ୍ଠପୁରର ପୁଷ୍ପଲତା ନାୟକ, ଯିଏକି ଏବେ ପରିବାରର ବୋଝ ମୁଣ୍ଡାଇଛନ୍ତି । ଖେଳକୁଦ ଓ ପାଠପଢା ବୟସରେ ହାତରେ ଧରିଛନ୍ତି ତତଲା ଭାତ ହାଣ୍ଡି । ବୟସ ମାତ୍ର ୧୫ ବର୍ଷ, କିନ୍ତୁ ଏହି କମ ବୟସରେ ସେ ପରିବାରର ବୋଝ ସମ୍ଭାଳିଛନ୍ତି । ଛାତିକୁ ପଥର କରି ୩ ଭାଇ ଭଉଣୀଙ୍କ ମାଆ ପାଲଟିଛନ୍ତି ପୁଷ୍ପଲତା । ପରିବାର କହିଲେ ପୁଷ୍ପଲତା ଓ ତାଙ୍କ ୩ ଭାଇ ଭଉଲଣୀ । ବାପାମାଆ ଛେଉଣ୍ଡ ହେବାପରେ ଦୁଃଖରେ ଦିନ କାଟୁଛନ୍ତି ଏହି ୪ ଭାଇ ଭଉଣୀ । ଚାଳ ଛପର ଘରେ ଜୀବନ ବିତୁଥିବା ବେଳେ ଦିନେ ଖାଇଲେ ଦିନେ ଉପାସ ରହୁଛନ୍ତି ଏହି ଦୁଃଖି ପରିବାର । କିନ୍ତୁ ଏତେ ସବୁ ଦୁଃଖ ମଧ୍ୟରେ ସମସ୍ତ କଷ୍ଟ ସହି ପରିବାର ଚଳାଇବା ସହିତ ନିଜ ଭାଇ ଭଉଣୀଙ୍କୁ ବଡ କରିବାର ସ୍ୱପ୍ନ ଦେଖୁଛନ୍ତି ପୁଷ୍ପଲତା ।

୨୦୧୬ ମସିହାରେ ହଠାତ୍ ପୁଷ୍ପଲତାଙ୍କ ଘରେ ନିଆଁ ଲାଗି ସବୁକିଛି ଉଜୁଡି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବାପାମାଆ ଆରପାରିକୁ ଚାଲି ଯାଇଥିଲେ । ଆଉ ନିଆଁର ଆଁରେ ଘରଦ୍ବାର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଏବେ ଯାହା କିଛି ରହିଛି ତାକୁ ସାଉଁଟି ଏମାନଙ୍କ ଜୀବନ ବିତୁଛି । ପରିବାର ଘରଦ୍ୱାର ନଥିବା ବେଳେ ପୁଷ୍ପା ଅଧାରୁ ପାଠ ଛାଡିଦେଇଛନ୍ତି । ଅଣ୍ଟାଭିଡି ବାହାରିଛନ୍ତି ନିଜ ଭାଇ ଭଉଣୀକୁ ମଣିଷ କରି ଗଢି ତୋଳିବାକୁ ।

ପୁଷ୍ପଲତାଙ୍କ ସାନ ଭଉଣୀ ଝିଲି ନାୟକ ଆର୍ଥିକ ଅଭାବରୁ ଗତବର୍ଷ ଠାରୁ ପାଠରେ ଡୋରି ବାନ୍ଧିଥିଲେ । ହେଲେ ତାଙ୍କର ଏବେବି ପାଠ ପଢ଼ିବା ପାଇଁ ଇଚ୍ଛା ଅଛି । ସେହିଭଳି ଅନ୍ୟ ଦୁଇ ଭାଇ ଭଉଣୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି । ସରକାରୀ ସୁବିଧା କହିଲେ ଚାରି ଭାଇ ଭଉଣୀଙ୍କୁ ମିଳୁଛି ୧୫ କିଲୋ ଚାଉଳ । ଏପର୍ଯ୍ୟନ୍ତ ଭାଇର ନାମ ରାସନକାର୍ଡରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ କାର୍ଡରେ ନାମ ସଂଯୋଗ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ । ପୁଷ୍ପଲତା ମଧ୍ୟ ତାଙ୍କୁ କୁନି ଭାଇ ଭଉଣୀଙ୍କୁ ପାଠ ପଢିବା ପାଇଁ ସାହାଯ୍ୟ ଓ ଚଳିବା ପାଇଁ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.