ETV Bharat / state

ଭ୍ରଷ୍ଟାଚାର, ବଂଶବାଦ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ ପାଇଁ ଧର୍ମେନ୍ଦ୍ର ଆହ୍ବାନ

author img

By

Published : Aug 9, 2023, 1:46 PM IST

ପୁଣିଥରେ ଭାରତ ଛାଡ ଆନ୍ଦୋଳନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ବାନ । ଭ୍ରଷ୍ଟାଚାର, ବଂଶବାଦ ରାଜନୀତି କରୁଥିବା ଅପଶକ୍ତିମାନଙ୍କ ଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ ଆହ୍ବାନ କଲେ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭିଡିଓ ମେସେଜ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭିଡିଓ ମେସେଜ

ଭାରତ ଛାଡ ଆନ୍ଦୋଳନ ପାଇଁ ଧର୍ମେନ୍ଦ୍ର ଆହ୍ବାନ

ଭୁବନେଶ୍ବର: ଭାରତ ଛାଡ ଆନ୍ଦୋଳନର ୮୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ପ୍ରତ୍ୟେକ ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ହେଉଛି ଏକ ସ୍ମରଣୀୟ ଓ ପ୍ରେରଣାଦାୟୀ ଦିନ । ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଅଂହିସାର ପୂଜାରୀ ପୂଜ୍ୟ ବାପୁ ଇଂରେଜ ଶାସକଙ୍କ ବିରୋଧରେ ‘ଭାରତ ଛାଡ’ ଆନ୍ଦୋଳନ ଡାକରା ଦେଇଥିଲେ । ଗାନ୍ଧିଜୀଙ୍କ ଏହି ପ୍ରେରଣାଦାୟୀ ଡାକରା ବ୍ରିଟିଶ ସରକାରଙ୍କୁ ଭୟଭୀତ କରାଇଥିଲା ଏବଂ ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲା । ଆମ ରାଜ୍ୟ ଓଡ଼ିଶାରେ ଗାନ୍ଧିଜୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ନୂଆ ଉଦ୍ଦୀପନା ଆଣି ଦେଇଥିଲା । ଗାନ୍ଧିଜୀଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ ସ୍ବାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ତଥା ଅନେକ ପ୍ରମୁଖ ନେତୃମଣ୍ଡଳୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।

ଗାନ୍ଧିଜୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ବରପୁତ୍ର ପବିତ୍ର ମୋହନ ପ୍ରଧାନ ୧୯୪୨ରେ ଜେଲରୁ ଖସି ଆସି ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ନିଜର ଅନନ୍ୟ ସାହସର ପରିଚୟ ଦେଇଥିଲେ । କୋରାପୁଟର ଲକ୍ଷ୍ମଣ ନାଏକ ଫାଶୀ ଖୁଣ୍ଟରେ ପ୍ରାଣବଳି ଦେବା ଦେଶପ୍ରୀତିର ଚରମ ନିଦର୍ଶନ । ବରଗଡ଼ର ପାଣିମୋରା ଗାଁରୁ ୩୬ ଜଣ ଯୁବକ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଉଜ୍ଜଳ ଅଧ୍ୟାୟ । ଭଦ୍ରକର ଇରମ ଠାରେ ବ୍ରିଟିଶଙ୍କ ଗୁଳିମାଡରେ ୨୯ ଜଣ ସଂଗ୍ରାମୀ ଶହୀଦ ହେବା, ନବରଙ୍ଗପୁରର ପାପଡାହାଣ୍ଡି ଠାରେ ୧୯ ଜଣ ଶହୀଦ ପ୍ରାଣବଳି ଦେବା ଇତ୍ୟାଦି ୧୯୪୨ର ‘ଭାରତ ଛାଡ’ ଆନ୍ଦୋଳନର ଅବିସ୍ମରଣୀୟ ଘଟଣା । ସେହି ସ୍ବାଧୀନତା ସଂଗ୍ରାମୀ ତଥା ଶହୀଦମାନଙ୍କ ପ୍ରାଣବଳି ଦ୍ବାରା ମିଳିଥିବା ସ୍ବାଧୀନତା ଆମ ଭାରତବର୍ଷକୁ ଗାରିମାମୟ କରିଛି ।

ଏହାମଧ୍ୟ ପଢନ୍ତୁ: ଅଗଷ୍ଟ କ୍ରାନ୍ତି ଦିବସରେ ମହାତ୍ମା ଗାନ୍ଧୀଙ୍କ ଅଣନାତିଙ୍କୁ ଉଠାଇ ନେଲା ପୋଲିସ

ଭାରତବର୍ଷ ଅମୃତକାଳରେ ପ୍ରବେଶ କରିଛି ଏବଂ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପ ନେଇଛି । ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବଳିଷ୍ଠ ନେତୃତ୍ବରେ ସମଗ୍ର ବିଶ୍ବରେ ଭାରତବର୍ଷ ଏକ ଦାୟିତ୍ବ ସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନୂଆ ପରିଚୟ ସୃଷ୍ଟି କରିଛି । ଭାରତର ଜନକଲ୍ୟାଣକାରୀ ଏବଂ ସମାବେଶୀ ନୀତି ସାଧାରଣ ମଣିଷର ଜୀବନଶୈଳୀକୁ ସୁରକ୍ଷିତ ଓ ଦୃଢ କରିଛି । ମହିଳା, ଯୁବପିଢି ତଥା ବଞ୍ଚିତ ବର୍ଗର ଲୋକମାନେ ଆଜି ଆଶା ଓ ଉତ୍ସାହର ସହ ନିଜ ପରିବାର ଏବଂ ସମାଜ ପାଇଁ ମୂଲ୍ୟବାନ ଯୋଗଦାନ ରଖୁଛନ୍ତି । କିନ୍ତୁ ଭାରତବର୍ଷର ପ୍ରଗତିରେ ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟୀକରଣ ମନୋବୃତ୍ତି ଆଧାରିତ ରାଜନୀତି ବାଧକ ସାଜିଛି । ଏହିସବୁ ବିଷୟ, ଦେଶକୁ ଏକ ପ୍ରଗତିଶୀଳ, ବିକଶିତ ଏବଂ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢି ତୋଳିବାର ପ୍ରକ୍ରିୟାରେ ବାଧକ ହୋଇଛି ।

ସାଧାରଣ ଭାରତୀୟମାନଙ୍କର ନ୍ୟାୟପୂର୍ଣ୍ଣ, ଭ୍ରଷ୍ଟାଚାର ତଥା ଅରାଜକତା ମୁକ୍ତ ଶାସନ ପାଇବାରେ ପ୍ରତିବନ୍ଧକ ସାଜୁଛି । ତେଣୁ ଗାନ୍ଧିଜୀଙ୍କ ୧୯୪୨ର ଭାରତ ଛାଡ ଆନ୍ଦୋଳନର ପ୍ରାସଙ୍ଗିକତା ଆଜି ଆହୁରି ବଢିଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଜି ସମସ୍ତେ ଏହି ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବାକୁ ସେ ଆହ୍ବାନ କରିଛନ୍ତି । ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି କରୁଥିବା ଅପଶକ୍ତିମାନଙ୍କ ଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା । ଏହି ନୂତନ ଭାରତ ଛାଡ ଆନ୍ଦୋଳନ ହିଁ ଗାନ୍ଧିଜୀଙ୍କ ପରିକଳ୍ପିତ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ବିକଶିତ ଭାରତବର୍ଷ ନିର୍ମାଣକୁ ସୁନିଶ୍ଚିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.