ETV Bharat / state

ରାଜଧାନୀରେ ସବଳ ହେଉଛି ଡେଙ୍ଗୁ, ସଚେତନତା କଥା କହି ଭୁଲିଗଲା ବିଏମସି !

author img

By

Published : Jul 4, 2023, 9:17 PM IST

dengue cases in bhubaneswar
ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର

ରାଜଧାନୀରେ କାୟା ବିସ୍ତାର କଲାଣି ଡେଙ୍ଗୁ । ସଚେତନତା କଥା କହି ବିଏମସି ତଳି ଅଞ୍ଚଳର ଲୋକଙ୍କୁ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର

ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ । ସାରା ରାଜ୍ୟରେ ଡେଙ୍ଗୁ କାୟା ବିସ୍ତାର କରିଲାଣି । ରାଜଧାନୀରେ ୧୦୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଲାଣି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । ହେଲେ କେବଳ ସଚେତନାରେ ସୀମିତ ରହିଛି ଡେଙ୍ଗୁ ଲଢେଇ । ସଚେତନତା କଥା କହି ଭୂଆଁ ବୁଲାଉଛି ବିଏମସି । ଯାହାକି ନେଇ ରାଜଧାନୀବାସୀ କ୍ଷୁବ୍ଧ । ସହରର ପ୍ରମୁଖ ଅଞ୍ଚଳ ମାନଙ୍କରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ଟି ସ୍ଥାନ ଆଇଆରସି ଭିଲେଜ, ଉଲ୍ଡ ଟାଉନ ଓ ସଲିଆସାହି ଡେଙ୍ଗୁର ହଟସ୍ପଟ ପାଲଟିଛି । ତେଣୁ ଡେଙ୍ଗୁର ପ୍ରତିହତ ପାଇଁ ତତ୍ପର ହେଲାଣି ବିଏମସି । ରାଜଧାନୀର ବିଭିନ ସ୍ଥାନରେ ସଫେଇ କାର୍ଯ୍ୟ କରିବା ପାଇଁ ଅଣ୍ଟା ଭିଡିଛି । ଏପରି ସ୍ଥଳେ ରାଜଧାନୀରେ ବିଭିନ୍ନ ପ୍ରମୁଖ ସ୍ଥାନରେ ଅଳିଆ ଆବର୍ଜନା ପଡି ରହିଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଏହି କ୍ରମରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ କଥା ନ କହିଲେ ଭଲ । ଏଠାରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ହେଲେ ଏଠାକାର ଲୋକଙ୍କ ସୁରକ୍ଷା କଥା ଯେମିତି ସମସ୍ତ ଭୁଲି ଯାଇଛନ୍ତି । ଏହି ଅଞ୍ଚଳରେ ଅନେକ ଡ୍ରେନ ମୁକୁଳା ହୋଇ ପଡିରହିଛି । ସଠିକ ସମୟରେ ବିଏମସିର ଆବର୍ଜନା ଗାଡ଼ି ପହଞ୍ଚୁନଥିବାରୁ ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଖୋର୍ଦ୍ଧାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ, ଷ୍ଟାଫ୍‌ ନଥିବାରୁ କାର୍ଯ୍ୟରେ ବାଧା ଉପୁଜୁଛି କହିଲେ ଜନସ୍ବାସ୍ଥ୍ୟ ଅଧିକାରୀ

ଏନେଇ ଅଞ୍ଚଳବାସୀ କହିଛନ୍ତି, "ଏହି ଅଞ୍ଚଳ ଡ୍ରେନ ଗୁଡ଼ିକ ଇଡ୍‌କୋ ଅଧିନରେ ରହିଛି । ମାତ୍ର ଏହାର ସଫେଇ ନେଇ ଇଡ୍‌କୋ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଡ୍ରେନ ଗୁଡ଼ିକ ବନ୍ଦ କରିଦେବା ଯୋଗୁଁ ଏଠାରେ ଅଳିଆ ଆବର୍ଜନା ଜମା ହୋଇ ରହିଛି । ଫଳରେ ଡେଙ୍ଗୁ ମଶାଙ୍କ ବଂଶ ବୃଦ୍ଧି ହେଲାଣି । ଗତ ଦୁଇ ବର୍ଷ ହେବ ବିଏମସି ପକ୍ଷରୁ ମଶାଧୂଆଁ କିମ୍ବା ସଫେଇ କରାଯାଇନାହିଁ । " ତେବେ ଏହି ସମସ୍ୟା ନେଇ ଇଡ୍‌କୋ ସହ ବିଏମସି ବହୁବାର ଆଲୋଚନା ପରେ ମଧ୍ୟ ଇଡ୍‌କୋ ଏହାକୁ ଖାତିର କରୁନଥିବା କହିଛନ୍ତି ମେୟର। ଇଡ୍‌କୋ ଓ ବିଏମସି ଉଭୟଙ୍କ ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ଏମାନଙ୍କ ମଧୁଚନ୍ଦ୍ରିକାରେ ଫସିଯାଉଛନ୍ତି ଅଞ୍ଚଳବାସୀ । ଏମାନଙ୍କ ପରିବେଶ ସଫେଇର ଦାୟିତ୍ୱ କେହି ନେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ବାରମ୍ବାର ଅନୁରୋଧ ପରେ ମଙ୍ଗଳବାର ଏହି ଅଞ୍ଚଳ ପରିଦର୍ଶନ କରି ବିଏମସି ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟ ଓ ସଫେଇ କାର୍ଯ୍ୟ କରାଯାଇଛି । ମେୟର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ପରିଦର୍ଶନ କରିଛନ୍ତି ।



ସେପଟେ ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇଛି । ବୁଲି ବୁଲି ଲୋକଙ୍କୁ ସଚେତନ କରାଯାଉଛି ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଘରୋଇ ମେଡ଼ିକାଲରେ ପରୀକ୍ଷା କରି ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନେ ପୁଣି ସରକାରୀ ପ୍ରକ୍ରିୟାରେ ସାମିଲ ହୋଇ ପଜିଟିଭ ରିପୋର୍ଟର ପୁନଃ ତଦନ୍ତ କରନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.