ETV Bharat / state

ଖୋର୍ଦ୍ଧାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ, ଷ୍ଟାଫ୍‌ ନଥିବାରୁ କାର୍ଯ୍ୟରେ ବାଧା ଉପୁଜୁଛି କହିଲେ ଜନସ୍ବାସ୍ଥ୍ୟ ଅଧିକାରୀ

author img

By

Published : Jul 3, 2023, 6:12 PM IST

ଖୋର୍ଦ୍ଧା ଜିଲ୍ଲାରେ ଦୃତ ଗତିରେ ବ୍ୟାପୁଛି ଡେଙ୍ଗୁ । ସେପଟେ ଦୀର୍ଘ ବର୍ଷ ହେବ ନାଳ ନର୍ଦ୍ଦମା ମଧ୍ୟରେ ରହୁଛନ୍ତି ଖୋର୍ଦ୍ଧା ପୌରାଞ୍ଚଳର ୫ ନମ୍ବର ୱାର୍ଡ ବାସିନ୍ଦା । କର୍ମଚାରୀ ଅଭାବରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କହିଛନ୍ତି ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ । ଅଧିକ ପଢ଼ନ୍ତୁ

ନାଳ ନର୍ଦ୍ଦମା ମଧ୍ୟରେ ଖୋର୍ଦ୍ଧା ପୌରାଞ୍ଚଳର ୫ ନମ୍ବର ୱାର୍ଡ
ନାଳ ନର୍ଦ୍ଦମା ମଧ୍ୟରେ ଖୋର୍ଦ୍ଧା ପୌରାଞ୍ଚଳର ୫ ନମ୍ବର ୱାର୍ଡ

ନାଳ ନର୍ଦ୍ଦମା ମଧ୍ୟରେ ଖୋର୍ଦ୍ଧା ପୌରାଞ୍ଚଳର ୫ ନମ୍ବର ୱାର୍ଡ

ଖୋର୍ଦ୍ଧା: ସାରା ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ । ହେଲେ ଖୋର୍ଦ୍ଧା ଜିଲ୍ଲାରେ ଏହା ଦୃତ ଗତିରେ ବଢ଼ିବାରେ ଲାଗିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ରହିଥିବା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜୀବନ୍ତ କୁମାର ଆଚାର୍ଜୀ କହିଛନ୍ତି । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଥିବା ସେ କହିଛନ୍ତି । ସେପଟେ ଦୀର୍ଘ ବର୍ଷ ହେବ ନାଳ ନର୍ଦ୍ଦମା ମଧ୍ୟରେ ରହୁଛନ୍ତି ଖୋର୍ଦ୍ଧା ପୌରାଞ୍ଚଳର ୫ ନମ୍ବର ୱାର୍ଡ ବାସିନ୍ଦା । ଏନେଇ ସେମାନଙ୍କ ଗୁହାରୀ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କର୍ମଚାରୀ ଅଭାବରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କହିଛନ୍ତି ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ।

ତେବେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଖୋର୍ଦ୍ଧା ଗ୍ରାମାଞ୍ଚଳ ଅପେକ୍ଷା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ଖୋର୍ଦ୍ଧାରେ ୨, ବାଳକାଟି ୧ ଏବଂ ମେଣ୍ଢାଶାଳରେ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାର ୪୩ ଡେଙ୍ଗୁ ଚିହ୍ନଟ ରୋଗୀଙ୍କ ଠିକଣା ସ୍ବାସ୍ଥ୍ୟ ବିଭାଗ ନିକଟରେ ନାହିଁ । ବିଶେଷକରି ଭୁବନେଶ୍ବର ମହାନଗରର ଭୀମଟାଙ୍ଗୀ, ଆଇଆର୍‌ସି ଭିଲେଜ, ଜୟଦେବ ବିହାର, ସିଆର୍‌ପି ଓ ପୋଖରୀପୁଟ୍‌ ଅଞ୍ଚଳରେ ଅଧିକ ମାତ୍ରାରେ ଏହି ରୋଗ ବ୍ୟାପୁଥିବା ବେଳେ ନୟାପଲ୍ଲୀ ଅଞ୍ଚଳ ଡେଙ୍ଗୁ ରୋଗର ହଟ୍‌ସ୍ପଟ୍‌ ପଲଟିଥିବା କହିଛନ୍ତି ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ।

ଏହା ମଧ୍ୟ ପଢ଼ନ୍ତୁ...ଡରାଇଲାଣି ଡେଙ୍ଗୁ, ୧୬ ଜିଲ୍ଲାରେ ୧୮୫ ଆକ୍ରାନ୍ତ ଚିହ୍ନଟ

ସେପଟେ ଡେଙ୍ଗୁ ନବ୍ୟାପିବା ପାଇଁ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଶେଷକରି ବସ୍ତି ଅଞ୍ଚଳରେ ଲୋକଙ୍କୁ ପ୍ରଚାର ଗାଡ଼ି ମାଧ୍ୟମରେ ସଚେତନ କରାଯାଉଥିବା ବେଳେ ଆଶା, ଅଙ୍ଗନବାଡି ଓ ସ୍ବଚ୍ଛ ସାଥୀଙ୍କ ମାଧ୍ୟମରେ ସଚେତନ କରାଯାଉଛି । ସେହିପରି ଅଣବସ୍ତି ଅଞ୍ଚଳରେ ୩୦ ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଉଥିବା କହିଛନ୍ତି ଡାକ୍ତର ଆଚାର୍ଜୀ । ସେହିଭଳି ଡ୍ରେନକୁ ରୀତିମତ ସଫା କରିବା ସହ ଡେଙ୍ଗୁ ବ୍ୟାପୁଥିବା ସ୍ଥାନ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ମଶା ମରା ତେଲ ଓ ଧୂଆଁ ଦିଆଯାଉଥିବା ସେ କହିଛନ୍ତି । ସେପଟେ ଖୋର୍ଦ୍ଧା ସହରର ୫ ନମ୍ବର ୱାର୍ଡରେ ଦୀର୍ଘଦିନ ଧରି ଡ୍ରେନ ସଫା ନହେବାରୁ ପାଣି ରାସ୍ତାରେ ଜମା ହୋଇ ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଥିବା ବେଳେ ଡେଙ୍ଗୁ ବ୍ୟାପିବା ଆଶଙ୍କା କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.