ETV Bharat / state

ଡେଙ୍ଗୁ ହଟସ୍ପଟ ଭୁବନେଶ୍ବର: ଚାପରେ କ୍ୟାପିଟାଲ ହସ୍ପିଟାଲ, ବଢିବ ବେଡ୍ ସଂଖ୍ୟା

author img

By

Published : Aug 20, 2023, 7:29 PM IST

ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି। ତେଣୁ ଡେଙ୍ଗୁ ବେଡ୍ ସଂଖ୍ୟା ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ବଢିବ ବେଡ୍ ସଂଖ୍ୟା
କ୍ୟାପିଟାଲ ହସ୍ପିଟାଲରେ ବଢିବ ବେଡ୍ ସଂଖ୍ୟା

କ୍ୟାପିଟାଲ ହସ୍ପିଟାଲରେ ବଢିବ ବେଡ୍ ସଂଖ୍ୟା

ଭୁବନେଶ୍ବର: ବଢୁଛି ହସ୍ପିଟାଲ ଉପରେ ରୋଗୀଙ୍କ ଚାପ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ବେଡ୍ ସଂଖ୍ୟା ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ବେଡ୍‌ ବଢାଇବା ସଙ୍ଗେସଙ୍ଗେ ଟେଷ୍ଟିଂକୁ ମଧ୍ୟ ବଢାଇବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟରେ ୧୮ ତାରିଖ ସୁଦ୍ଧା ୩୫ ହଜାର ୫୯୫ ରକ୍ତ ନମୁନା ପରୀକ୍ଷଣ ହୋଇଥିବାବେଳେ ୨ ହଜାର ୨୯୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବ ବର୍ଷ ଏହି ଅବଧି ମଧ୍ୟରେ ୧୮ ହଜାର ୪୩୬ ରକ୍ତ ନମୁନା ପରୀକ୍ଷଣ କରାଯାଇଥିବ ବେଳେ ୧ ହଜାର ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ତେବେ ଚଳିତ ବର୍ଷ ୭୧୭ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧ହଜାର ୧୬୭ ଜଣ ଡେଙ୍ଗୁ ରୋଗୀ ରହିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୯୩, ପୁରୀରେ ୨୦୧, କଟକରେ ୧୪୫, ଜଗତସିଂହପୁରରେ ୧୧୬ ଓ ନୟାଗଡରେ ୭୭ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ରାଜ୍ୟର ୧୦ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଉପରକୁ ରହିଥିବାବେଳେ ଆଉ ୧୩ ଜିଲ୍ଲାରେ ୨୦ ତଳକୁ ପଜିଟିଭ କେସ୍ ରହିଛି । ସେହିପରି କୌଣସି ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ହୋଇଥିବା ଜଣାପଡିଛି । ଏନେଇ ଶନିବାର ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଓ ହସ୍ପିଟାଲର ଉପ-ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ହସ୍ପିଟାଲର ଡେଙ୍ଗୁ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କର ଚିକିତ୍ସା ଓ ଖାଦ୍ୟର ମାନ ନିରୀକ୍ଷଣ କରିଛନ୍ତି । ଏହାସହ ରୋଗୀଙ୍କର ବିଭିନ୍ନ ସମସ୍ୟା ସମାଧନ କରିବା ସହିତ କାର୍ଯ୍ୟରତ ଡାକ୍ତରଙ୍କ ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଡେଙ୍ଗୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଆଲୋଚନା କରିଛନ୍ତି ।

ଏହା ବି ପଢନ୍ତୁ...କାୟା ମେଲାଉଛି ଡେଙ୍ଗୁ, ପାର୍କ ଏବଂ ସ୍କୁଲ୍‌ ଉପରେ ଅଧିକ ଫୋକସ

ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ୩ ଦିନ ମଧ୍ୟରେ ଡେଙ୍ଗୁ ସ୍ଥିତିରେ ସୁଧାର ଆସୁଛି । ଗତବର୍ଷ ଅପେକ୍ଷା ଟେଷ୍ଟିଂ ବଢାଯାଇଛି । ବର୍ତ୍ତମାନ ବିଭାଗ ପାଖରେ ଉଭୟ ଟେଷ୍ଚିଂ କିଟ୍‌ ଓ ବ୍ଲଡ୍‌ ପ୍ଲେଟଲେଟ୍‌ ପର୍ଯ୍ୟାପ୍ତ ପରିମାଣରେ ଅଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ-ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ୬୦୦ ଜଣରୁ ଊର୍ଦ୍ଧ୍ବ ଡେଙ୍ଗୁ ରୋଗୀ ସୁସ୍ଥ ହୋଇଛନ୍ତି । ତେଣୁ ଲୋକେ ଭୟଭୀତ ହେବା ବଦଳରେ ସୁରକ୍ଷିତ ରୁହନ୍ତୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଦୈନିକ ୪୦୦ରୁ ଊର୍ଦ୍ଧ୍ୱ ଟେଷ୍ଟିଂ କରାଯାଉଥିବାବେଳେ ୫୫ ରୁ ୬୦ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୫୨ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ଟି ସ୍ବତନ୍ତ୍ର ବେଡ୍‌ ଥିବାବେଳେ ବିଭାଗ ପକ୍ଷରୁ ୨୦ଟି ବେଡ୍‌ ବଢାଯିବାର ଲକ୍ଷ୍ୟ ରଖାଯାଇଛି । କେବଳ ସ୍ଥାନ ଚିହ୍ନଟ ଚାଲିଛି । ସେହିପରି ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ଲାଗି ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.