ETV Bharat / state

ଶୁଣୁନାହାନ୍ତି ସରକାର, 15 ବର୍ଷ ହେବ ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ 1485 ଆୟୁଷ ଡାକ୍ତର

author img

By

Published : Oct 21, 2022, 1:58 PM IST

ଆୟୁଷ ଡାକ୍ତରଙ୍କ ଚାକିରି ସ୍ଥାୟୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି
ଆୟୁଷ ଡାକ୍ତରଙ୍କ ଚାକିରି ସ୍ଥାୟୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ରାଜ୍ୟର 1485 ଜଣ ଆୟୁଷ ଡାକ୍ତରଙ୍କର ଚାକିରିରେ ସ୍ଥାୟୀକରଣ ହୋଇପାରିନାହିଁ । ଆୟୁଷ ଡାକ୍ତରମାନଙ୍କୁ ଚାକିରି ନିୟମିତକରଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛି ଅଲ ଓଡିଶା ଆୟୁଷ ଆସୋସିଏସନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆୟୁଷ ଡାକ୍ତରଙ୍କୁ ଅବହେଳା । ପ୍ରାକୃତିକ ବିପର୍ଯ୍ୟୟଠୁ ନେଇ ମହାମାରୀ କୋରୋନା ସବୁବେଳେ ଖୋଜା ପଡିଛନ୍ତି ଆୟୁଷ ଡାକ୍ତର । ହେଲେ ରାଜ୍ୟ ସରକାରଙ୍କର ତାଙ୍କ ପ୍ରତି ଦୃଷ୍ଟି ନାହିଁ । ଏଯାଏଁ ରାଜ୍ୟର 1485 ଜଣ ଆୟୁଷ ଡାକ୍ତରଙ୍କର ଚାକିରିରେ ସ୍ଥାୟୀକରଣ ହୋଇପାରିନାହିଁ । ବର୍ଷ ବର୍ଷ ଧରି ଦାବି, ଆନ୍ଦୋଳନ ପରେ ବି ସରକାରଙ୍କଠୁ ମିଳିଛି ମିଥ୍ୟ ପ୍ରତିଶ୍ରୁତି । ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ଘୋଷଣା କରିଥିଲେ। ହେଲେ ଏଥରୁ ବାଦ ପଡିଛନ୍ତି ଆୟୁଷ ଡାକ୍ତର । ସେମାନଙ୍କ ଲଢେଇ ବ୍ୟର୍ଥ ଯାଇଛି । ସରକାରଙ୍କର ଏପରି ମନୋଭାବ ପାଇଁ ନିରାଶ ହୋଇଛନ୍ତି ରାଜ୍ୟରେ କାର୍ଯ୍ୟରତ 1485 ଜଣ ଆୟୁଷ ଡାକ୍ତର । ଆୟୁଷ ଡାକ୍ତରମାନଙ୍କୁ ଚାକିରି ନିୟମିତକରଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛି ଅଲ ଓଡିଶା ଆୟୁଷ ଆସୋସିଏସନ ।

ଗତ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ଅନୁଯାୟୀ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଐତିହାସିକ ନିଷ୍ପତ୍ତିକୁ ଓଡିଶା ଆୟୁଷ ଡାକ୍ତର ସଂଘ ତରଫରୁ ସ୍ବାଗତ କରାଯାଇଛି । ଏହା ଦ୍ବାରା ପାଖାପାଖି 56 ହଜାର ଠିକା କର୍ମଚାରୀ ଉପକୃତ ହେବେ । ହେଲେ ଏଥିରେ ଆୟୁଷ ଡାକ୍ତରଙ୍କୁ ସାମିଲ କରାଯାଇନାହିଁ । ପାତର ଅନ୍ତର କରିଛନ୍ତି ସରକାର । ସରକାର 2013 ମସିହାରେ ନିର୍ଦ୍ଧାରିତ ଗ୍ରୁପ ବି ଚୁକ୍ତିଭିତ୍ତିକ ନିଯୁକ୍ତିରେ ଯଥେଷ୍ଟ ପୂର୍ବରୁ 2007 ମସିହାରୁ ସ୍ଵାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ମିଶନ ଅଧୀନରେ ନିଯୁକ୍ତି ପାଇଥିବା 1485 ଜଣ ଆୟୁଷ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯାଇନାହିଁ । ଅରୁଣାଚଳ ପ୍ରଦେଶ, ମଣିପୁର, ରାଜସ୍ଥାନ, କର୍ଣ୍ଣାଟକ, ଛତିଶଗଡ଼, ପଞ୍ଜାବ ଇତ୍ୟାଦିରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କୁ ନିୟମିତକରଣ କରାଯାଇ ସାରିଛି । ଅନ୍ୟ ସମସ୍ତ ରାଜ୍ୟରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ହେଲେ ଓଡିଶାରେ ଏହାର ଫଳଶୂନ । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ ଦାବି କରିଛି ଆୟୁଷ ଆସୋସିଏସନ ।

ଦୀର୍ଘ 15 ବର୍ଷଧରି ସ୍ୱଳ୍ପ ବେତନରେ ଠିକା ନିଯୁକ୍ତି ପାଇଥିବା ଏହି ଡାକ୍ତରମାନେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଶନ ଓ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ଯୋଜନାକୁ ସଫଳ ରୂପାୟନ କରି ଆସୁଛନ୍ତି । ଏହାଛଡା କୋଭିଡ ମହାମାରୀ ସମୟରେ ସମସ୍ତ ଆୟୁଷ ଡାକ୍ତର ନିଜ ଜୀବନକୁ ବାଜି ଲଗାଇ କୋଭିଡ ରୋଗୀଙ୍କର ଚିକିତ୍ସା, ପରୀକ୍ଷା ଓ ଟୀକାକରଣକୁ ସଫଳ ଭାବେ ସମ୍ପାଦନ କରିଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି । ଜାତୀୟ ମିଶନରେ ନିଯୁକ୍ତି ପାଇଥିବା ସମସ୍ତ ଆୟୁଷ ଡାକ୍ତରଙ୍କୁ ତୁରନ୍ତ ସ୍ଥାୟୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରିଛି ସଂଘ । ଯେଉଁ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରିଥିଲେ ସେହିଭଳି ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି କରିବାକୁ ଆଶା କରିଛନ୍ତି ଆୟୁଷ ଡାକ୍ତର ସଂଘ । ଯଦି ସ୍ଥାୟୀ ନିଯୁକ୍ତି ନହୁଏ ତେବେ ଏହି ନୀତିକୁ ବିରୋଧ କରାଯିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଓଡିଶା ଆୟୁଷ ଡାକ୍ତକ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.