ETV Bharat / state

SDCରେ ସାମିଲ ହେବ 14 ଜିଲ୍ଲା, କଂଗ୍ରେସ କହିଲା ନିର୍ବାଚନ ଭେଳିକି

author img

By

Published : May 13, 2023, 10:00 AM IST

SDC ବା ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହେବ ୧୪ ଜିଲ୍ଲା । ଏନେଇ ଆସନ୍ତା ୧୪ ତାରିଖ ରବିବାର ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ତେବେ ନିର୍ବାଚନ ପାଖେଇ ଆସିବାରୁ ରାଜ୍ୟ ସରକାରଙ୍କର ଆଦିବାସୀଙ୍କ ବିକାଶ ମନେପଡ଼ିଲା କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

SDCରେ ୧୪ ଜିଲ୍ଲା ସାମିଲ କରିବା ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି କହିଲା କଂଗ୍ରେସ
SDCରେ ୧୪ ଜିଲ୍ଲା ସାମିଲ କରିବା ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି କହିଲା କଂଗ୍ରେସ

SDCରେ ୧୪ ଜିଲ୍ଲା ସାମିଲ କରିବା ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି କହିଲା କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୧୪ ତାରିଖ ରବିବାର ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଦିବାସୀଙ୍କ ପାଇଁ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀଙ୍କ ବିକାଶ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର । SDC ବା ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହେବ ୧୪ ଜିଲ୍ଲା । ଫଳରେ ଆଦିବାସୀଙ୍କ ସାମୁହିକ ବିକାଶ ହେବ । ମୌଳିକ ସୁବିଧା ସହ ଅର୍ଥନୈତିକ ବିକାଶ ଦିଗରେ ସରକାର ଗୁରୁତ୍ବ ଦେବେ । ଏଥିପାଇଁ ସାରା ରାଜ୍ୟରୁ ଆସି ଗୋଟିଏ ସ୍ଥାନରେ ଏକାଠି ହେବେ ଆଦିବାସୀ । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଏହି କାର୍ଯ୍ୟକ୍ରମରେ ନିର୍ବାଚନୀ ଗନ୍ଧ ବାରିଛନ୍ତି ବିରୋଧି । ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କର ୨୩ ବର୍ଷ ପରେ କିପରି ମନେପଡ଼ିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "୯ଟି ଜିଲ୍ଲାରୁ ଏବେ ୧୪ ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ପଦକ୍ଷପ ନେଉଛନ୍ତି । ସେଥିପାଇଁ ମୁଁ ସରକାରଙ୍କୁ ସ୍ବାଗତ ଜଣାଉଛି । କିନ୍ତୁ ଉଭୟ ବିଜେଡି ଏବଂ ବିଜେପି ଦଳ ହେଉଛନ୍ତି ଆଦିବାସୀ ଏବଂ ଦଳିତ ବିରୋଧୀ । ଆଗକୁ ନିର୍ବାଚନ ଆସୁଥିବାରୁ ସରକାର ଏଭଳି ନିଷ୍ପତ୍ତି ଓ ଯୋଜନା ହାତକୁ ନେଇଛନ୍ତି । ଯଦି ଆଦିବାସୀଙ୍କ ପାଇଁ ଏତେ ଦରଦ ଅଛି ତେବେ କଂଗ୍ରେସ ସରକାର କାର୍ଯ୍ୟକାରି କରିଥିବା ପେସା ଆଇନକୁ ରାଜ୍ୟରେ କାହିଁକି ଲାଗୁ କରୁନାହାନ୍ତି ସରକାର ? ପୂର୍ବରୁ କଂଗ୍ରେସ ଏହି ଆଇନ ଆଦିବାସୀଙ୍କ ପାଇଁ ଆଣିଥିଲା । ଯେହେତୁ ସବୁ ଜିଲ୍ଲାରେ ଆଦିବାସୀ ଅଛନ୍ତି, ଖଣି ଖାଦାନରୁ କୋଟି କୋଟି ଟଙ୍କା ହଡପ କରୁଛନ୍ତି, ତେଣୁ ସେମାନେ ବିରୋଧ କରିବାରୁ ତାଙ୍କୁ ମନେଇବା ପାଇଁ SDCରେ ସାମିଲ କରୁଛନ୍ତି ।"

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୨୫ ବର୍ଷ ଭିତରେ ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ କିଛି କରିନାହାନ୍ତି । ଆଦିବାସୀ ଅଞ୍ଚଳର ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଖଟରେ ବୁହା ହୋଇ ରୋଗୀ ଚିକିତ୍ସା ପାଇଁ ଯାଉଛନ୍ତି । ଯଦି ଆଦିବାସୀ ଭାଈ ଓ ଭଉଣୀଙ୍କ ପାଇଁ କିଛି କରିବାର ଥିଲା ତେବେ ନିର୍ବାଚନ ଆଗରୁ କାହିଁକି କଲେ ନାହିଁ ସରକାର ? ଏବେ ରାଜ୍ୟ ସରକାର କେବଳ ଭୋଟ ରାଜନୀତି କରୁଛନ୍ତି ।" ପ୍ରକାଶ ଥାଉ କି, ପୂର୍ବରୁ ୯ଟି ଜିଲ୍ଲାର ଆଦିବାସୀଙ୍କୁ SDCରେ ସାମିଲ କରାଯାଇଥିଲା । ଏବେ ସରକାର ଏହାକୁ ରାଜ୍ୟବ୍ୟାପୀ ବୃଦ୍ଧି କରିବାକୁ ଚାହୁଁଛନ୍ତି । ୧୪ଟି ଅଧିକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବେ SDCରେ ମିଶିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.