ETV Bharat / state

କର୍ଣ୍ଣାଟକ ହାରିବା ପରେ ସାରା ଦେଶରେ ବିଜେପି ପଛଘୁଞ୍ଚା ଦେଲାଣି: ସୁର

author img

By

Published : Jul 6, 2023, 6:44 AM IST

କର୍ଣ୍ଣାଟକ ହାରିବା ପରେ ସାରା ଦେଶରେ ବିଜେପି ପଛଘୁଞ୍ଚା ଦେଲାଣି
କର୍ଣ୍ଣାଟକ ହାରିବା ପରେ ସାରା ଦେଶରେ ବିଜେପି ପଛଘୁଞ୍ଚା ଦେଲାଣି

୨୦୧୯ ନିର୍ବାଚନରେ ୧୨୦ ମିଶନରେ ରହିଥିବା ବିଜେପି ଏଥର ୮୦ ସିଟ୍‌ ଲକ୍ଷ୍ୟରେ ରହିଛି । ଏନେଇ କର୍ଣ୍ଣାଟକ ହାରିବା ପରେ ସାରା ଦେଶରେ ବିଜେପି ପଛଘୁଞ୍ଚା ଦେଲାଣି କହି କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

କର୍ଣ୍ଣାଟକ ହାରିବା ପରେ ସାରା ଦେଶରେ ବିଜେପି ପଛଘୁଞ୍ଚା ଦେଲାଣି

ଭୁବନେଶ୍ବର: କମୁଛି ବିଜେପିର ଭରସା । ୨୦୧୯ ନିର୍ବାଚନ ପୂର୍ବରୁ ମିଶନ ୧୨୦ରେ ରହିଥିବା ଦଳ ଏବେ ମିଶନ ୮୦ରେ । ଯାହାକୁ ନେଇ କଂଗ୍ରେସ ଓ ବିଜେଡି ତୀବ୍ର ସମାଲୋଚନା କରିଛନ୍ତି । ସେପଟେ କେବଳ ଓଡ଼ିଶାରେ ନୁହେଁ, ବରଂ କର୍ଣ୍ଣାଟକ ହାରିବା ପରେ ସାରା ଦେଶରେ ବିଜେପି ପଛଘୁଞ୍ଚା ଦେଲାଣି ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ସାଧାରଣ ନିର୍ବାଚନ ପାଇଁ ବିଜେପିର ଆକଳନ ସିଟ୍‌ସଂଖ୍ୟା ଏବେ କମିବାରେ ଲାଗିଛି । ରାଜ୍ୟ ନେତୃତ୍ବଙ୍କ ଉପରେ ବୋଧହୁଏ କେନ୍ଦ୍ର ନେତୃତ୍ବଙ୍କ ଭରସା ପାଉନାହିଁ । ସେଥିପାଇଁ ବାରମ୍ବାର ବିଜେପିର ସିଟ ସଂଖ୍ୟାକୁ ନେଇ ଆକଳନ ଦିନକୁ ଦିନ କମିବାରେ ଲାଗିଛି । ଆଗରୁ ୧୨୦ କହୁଥିଲେ, ଏବେ ୮୦ରେ ପହଞ୍ଚିଗଲେଣି । କଂଗ୍ରେସ ଯେଉଁ ୯ରୁ ୯୦ ଡାକରା ଦେଇଛି, ଏବେ ସିଟ୍‌ ତାଠାରୁ ଅଧିକ ପାଇବ । ଆମେ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିସାରିଲୁଣି । ସାଧାରଣ ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ଲଢେଇ ହେବ । ବିଜେପି ବର୍ତ୍ତମାନ ପଛଘୁଞ୍ଚା ଦେଲାଣି । କେବଳ ରାଜ୍ୟରେ ନୁହେଁ, କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ସାରା ଦେଶରେ ବିଜେପି ପଛଘୁଞ୍ଚା ଦେଲାଣି । ବିଜେପି ଆଉ ନିର୍ବାଚନରେ ଜିତିପାରିବ ନାହିଁ, ସେଥିପାଇଁ ବିଭିନ୍ନ ରାଜ୍ୟରେ ଯେଉଁଠି ଅନ୍ୟ ଦଳ ଶାସନରେ ରହିଛି, ତାଙ୍କୁ ଇଡି, ସିବିଆଇ ଡର ଦେଖାଇ ସରକାର ଭାଙ୍ଗି ନିଜେ ସରକାର କରୁଛନ୍ତି । ଆଗକୁ ସେ ଡରାଣ ଦେଖାଇବା ମଧ୍ୟ ଆଉ ଚଳିବ ନାହିଁ ।"

ଅନ୍ୟପଟେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ ଆଜି ଭୁବନେଶ୍ବର ଆସିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଂଗଠନକୁ ସୁଦୃଢ଼ କରିବା ପାଇଁ ଅନେକ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ସୁର କହିଛନ୍ତି, "ଆଗକୁ ସମସ୍ତ ବ୍ଲକ ସଭାପତି, ଏଆଇସିସି ମେମ୍ବର, ପିସିସି ସଦସ୍ୟଙ୍କୁ ନେଇ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ । କଂଗ୍ରେସର କେନ୍ଦ୍ରର ତୁଙ୍ଗ ନେତୃତ୍ବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଯୁବ, ଛାତ୍ର, ମହିଳା କଂଗ୍ରେସ କର୍ମୀ ଯିଏ ଦଳ ପାଇଁ ସମୟ ଦେବ, ଦଳ ତାକୁ ସମ୍ମାନ ଦେବ ।" ଗୋଷ୍ଠୀଗତ ବିବାଦ ଭୁଲି ସମସ୍ତେ ଏକାଠି ହୋଇ କାମ କରିବାକୁ କଂଗ୍ରେସ ନେତା ବୋଲି ସୁର ରାଉତରାୟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...2024 Fight: ବିଜେପି ୮୦, କଂଗ୍ରେସ ୯୯; ବିଜେଡି ଦାବି କଲା ୧୨୦ ସିଟ୍

ତେବେ ୨୦୨୪ରେ ସାଧାରଣ ନିର୍ବାଚନ ହେଉ କିମ୍ବା ତା ପୂର୍ବରୁ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବଂ କର୍ଣ୍ଣାଟକରେ କ୍ଷମତାକୁ ଆସିବା କଂଗ୍ରେସ ପାଇଁ ଏକ ବଡ଼ ଆୟୁଧ ହେବାକୁ ଯାଉଛି । ଚଳିତ ବର୍ଷ ଶେଷରେ ହେବାକୁ ଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ଯଦି କଂଗ୍ରେସ ସପକ୍ଷରେ ଯାଏ, ତେବେ ଆଗାମୀ ଦିନରେ କଂଗ୍ରେସ ସାରା ଦେଶରେ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.