ଡ୍ରାଇଭର ମହାସଂଘକୁ କମିଶନରେଟ ପୋଲିସର ଚେତାବନୀ, ଲୋକଙ୍କୁ ଅଟକାଇଲେ ହେବ କାର୍ଯ୍ୟାନୁଷ୍ଠାନ

author img

By

Published : Mar 15, 2023, 12:38 PM IST

Updated : Mar 15, 2023, 2:33 PM IST

ଡ୍ରାଇଭର ମହାସଂଘକୁ କମିଶନରେଟ ପୋଲିସ ଚେତାବନୀ

ଆଜିଠୁ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ । ଲୋକଙ୍କୁ ଅଟକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ଡ୍ରାଇଭର ମହାସଂଘକୁ କମିଶନରେଟ ପୋଲିସର ଚେତାବନୀ,

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଡ୍ରାଇଭର ଏକତା ମଞ୍ଚ । ଏହି ଆନ୍ଦୋଳନକୁ ନେଇ ଯେପରି ସାଧାରଣ ଲୋକେ ଅସୁବିଧାରେ ନପଡନ୍ତି ସେଥିପାଇଁ ଡ୍ରାଇଭର ମହାସଂଘକୁ କମିଶନରେଟ ପୋଲିସ ଚେତାବନୀ ଦେଇଛି । ଆନ୍ଦୋଳନ ସମୟରେ କୌଣସି ଗାଡିକୁ ଅଟକାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହସହିତ କିଛି ସମସ୍ୟା ହେଲେ ତୁରନ୍ତ ୧୧୨କୁ କଲ୍ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଉଭୟ ଭୁବନେଶ୍ବର ଓ କଟକରେ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ଓ ଟ୍ୟାକ୍ସି ସ୍ବାଭାବିକ ଭାବେ ଚଳାଚଳ କରିବ । କେହି ଏହାକୁ ରୋକିବାକୁ ଚେଷ୍ଟା କଲେ ବା ଜନସାଧାରଣଙ୍କୁ ଅଟାକାଇଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆନ୍ଦୋଳନ ପାଇଁ ଯଦି ଜନସାଧାରଣ ସମସ୍ୟାରେ ପଡନ୍ତି ତାହାହେଲେ ତୁରନ୍ତ ୧୧୨କୁ କଲ୍ କରି ଜଣାଇବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି କମିଶନର ।

ସେହିପରି ଯଦି କୌଣସି ପରୀକ୍ଷା ଥାଏ ଏବଂ ପରୀକ୍ଷାର୍ଥୀ ଅସୁବିଧାରେ ପଡନ୍ତି ତେବେ ଏନଫୋର୍ସମେଣ୍ଟ କିମ୍ବା ପିସିଆର ସହ ଯୋଗଯୋଗ କଲେ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା କରିବ । ବିମାନ ବନ୍ଦର କିମ୍ବା ରେଳ ଷ୍ଟେସନ ଯିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ କିପରି ଠିକ୍ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ସେ ଦିଗରେ ପଦକ୍ଷେପ ନିଆଯାଇଛି । ରାସ୍ତାରେ ଆସୁଥିବାବେଳେ କୌଣସି ସମସ୍ୟା ହେଲେ ତୁରନ୍ତ ପୋଲିସକୁ ଜଣାଇବାକୁ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଏହାସହିତ କମିଶନର ଡ୍ରାଇଭର ସଂଘକୁ ଅନୁରୋଧ କରିଛନ୍ତି ଯେ, ସେମାନେ ଆନ୍ଦୋଳନ କରନ୍ତୁ କିନ୍ତୁ ଏଥିପାଇଁ କାହାକୁ ସମସ୍ୟାରେ ନପକାନ୍ତୁ । ଯେଉଁଠି ଆନ୍ଦୋଳନ ହେବ ସେଠାରେ ପୋଲିସ ମୁତୟନ ହେବେ । ବିଧାନସଭା ଚାଲୁଥିବାରୁ ୧୫ ପ୍ଲାଟୁନ ଫୋର୍ସ ଓ ସ୍ଥାନୀୟ ଆଇଆଇସିମାନଙ୍କୁ ଆଲର୍ଟ କରାଯାଇଛି ।

ପ୍ରକାଶଥାଉ କି, ୧୦ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଦାବିଗୁଡିକ ହେଲା, ସେମାନଙ୍କୁ କୋରୋନା ଯୋଦ୍ଧା ଘୋଷଣା କରାଯାଉ, ଡ୍ରାଇଭର ସୁରକ୍ଷା ପାଇଁ ଏକ ଆଇନ ଅଣାଯାଉ, ୫୫ବର୍ଷ ପରେ ୫ ହଜାର ପେନସନ ସହ ୫ ଲକ୍ଷ ପର୍ଯ୍ୟନ୍ତ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ, ପ୍ରତି ୧୦୦କିମିରେ ଡ୍ରାଇଭରଙ୍କ ପାଇଁ ଶୌଚାଳୟ କରାଯାଉ, ଡ୍ରାଇଭରଙ୍କୁ ଦୁର୍ଘଟଣା ବୀମା ରାଶି ୨୦ ଲକ୍ଷ, ଅକର୍ମଣ୍ୟ କ୍ଷେତ୍ରରେ ୧୦ ଲକ୍ଷ ଘୋଷଣା କରାଯାଉ, ଗାଡି ଚଲାଇବା ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଉ, ଲାଇସେନ୍ସ ବାବଦରେ ଯେଉଁ ୧୫ ହଜାର ନେଉଛନ୍ତି ସରକାର ତାକୁ କମ୍ କରନ୍ତୁ, ରାଜରାସ୍ତାରେ ଚେକିଂ ଆଳରେ ଅଯଥାରେ ହଇରାଣ ହରକତ କରାନଯାଉ, ସେମାନଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ସରକାରୀ ବ୍ୟବସ୍ଥା କରାଯାଉ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 15, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.