ETV Bharat / state

ଯିବାକୁ ପଡ଼ିବନି ଆରଟିଓ, ମୋବାଇଲରେ ମିଳିବ ସେବା

author img

By ETV Bharat Odisha Team

Published : Aug 23, 2023, 7:09 AM IST

ଆଜି ଏମ-ପରିବହନ ଆପ୍ ବ୍ୟବସ୍ଥାର ଉଦଘାଟନ
ଆଜି ଏମ-ପରିବହନ ଆପ୍ ବ୍ୟବସ୍ଥାର ଉଦଘାଟନ

ଆଜି ଏମ-ପରିବହନ ଆପ୍ ବ୍ୟବସ୍ଥାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 21ଟି ବସଷ୍ଟାଣ୍ଡର ମଧ୍ୟ ହେବ ଲୋକାର୍ପଣ । ଅଧିକ ପଢନ୍ତୁ

ଭୁବନେଶ୍ବର: ଘରେ ବସି ପରିବହନ ସଂକ୍ରାନ୍ତ 7ଟି ସେବା ସାଧାରଣ ଲୋକେ ପାଇପାରିବେ । ଏଥିପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓକୁ ଦୌଡ଼ିବାକୁ ପଡ଼ିବ ନାହିଁ । ମୋବାଇଲରେ ଏମ-ପରିବହନ ଆପ୍ ଡାଉନଲୋଡ କରି ଏସବୁ ସୁବିଧା ପାଇବା ପାଇଁ କରିହେବ ଆବେଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବ୍ୟବସ୍ଥାର ଉଦଘାଟନ କରିବେ । ସେହିପରି ଡ୍ରାଇଭରଙ୍କୁ ତାଲିମ ଦେବା ଲାଗି ଗଞ୍ଜାମର ପାଲୁରରେ ପ୍ରତିଷ୍ଠିତ ହୋଇଥିବା ଡ୍ରାଇଭିଂ ଇନଷ୍ଟିଚ୍ୟୁଟରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଘରେ ବସି ସାଧାରଣ ଲୋକେ କିପରି ପାଇପାରିବେ ଉତ୍ତମ ସେବା ସେଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହା ଅଭିନବ ପଦକ୍ଷେପ ।

ପରିବହନ କାର୍ଯ୍ୟାଳୟକୁ ନ ଯାଇ ଘରେ କମ୍ପ୍ୟୁଟର ବା ଲାପଟପ ବ୍ୟବହାର କରି 7ଟି ପରିବହନ ସେବା ମିଳିପାରିବ । ଏହି 7ଟି ସେବା ହେଉଛି, ଲର୍ଣ୍ଣିଂ ଲାଇସେନ୍ସ ବା ଏଲଏଲ, ଡ୍ରାଇଭିଂ ଲାଇସେନ୍ସ ବା ଡିଏଲର ରିନୁଆଲ ବା ନବୀକରଣ, ଡିଏଲ ପାଇଁ ପୁନଃଆବେଦନ, ଡିଏଲରେ ଠିକଣା ପରିବର୍ତ୍ତନ, ଗାଡ଼ି ଓନରସିପ ଟ୍ରାନ୍ସଫର, ଗାଡ଼ି ପରମିଟ ଏନଓସି, ଗାଡ଼ି ରେଜିଷ୍ଟ୍ରେସନର ନବୀକରଣ ପାଇଁ ଆବେଦନ । ଏସବୁ ସେବାକୁ ଭିଜିଟ ଲେସ ସର୍ଭିସ କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏହି ସେବାର ଉଦଘାଟନ କରିବେ । ଭିସି ଜରିଆରେ ଅପରାହ୍ନ 5.30 ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ଏହାମଧ୍ୟ ପଢନ୍ତୁ: ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ଓମ୍ବାଡିସିର ଗୁରୁତ୍ୱ

ସେହିପରି ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ପରିବହନ ସେବାକୁ ଅଧିକ ସୁଦୃଢ଼ କରିବା ଲାଗି ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ବ୍ଲକ ତଥା ପଞ୍ଚାୟତ ସ୍ତରରେ ନିର୍ମିତ 21ଟି ବସଷ୍ଟାଣ୍ଡର ଉଦଘାଟନ କରିବେ ଏବଂ 124ଟି ନୂତନ ବସଷ୍ଟାଣ୍ଡର ମଧ୍ୟ ଶିଳାନ୍ୟାସ କରିବେ । ଗଞ୍ଜାମର ପାଲୁର ଭଳି ଯାଜପୁରର ଛତିଆ ଏବଂ ବଣେଇରେ ଦୁଇଟି ଡ୍ରାଇଭିଂ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ହୋଇଛି । କେନ୍ଦୁଝରରେ ଆଉ ଏକ ଡ୍ରାଇଭିଂ ଇନଷ୍ଟିଚ୍ୟୁଟ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏହି 4ଟି ଯାକ ଇନଷ୍ଟିଚ୍ୟୁଟରେ 50 ହଜାର ଡ୍ରାଇଭରଙ୍କୁ ମାଗଣାରେ ତାଲିମ ଦିଆଯିବ । 8 ହଜାର 400 ଡ୍ରାଇଭରଙ୍କୁ ରିଫ୍ରେସମେଣ୍ଟ ଟ୍ରେନିଂ କୋର୍ସ ଦିଆଯିବ ।

କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ବିଭାଗର ପ୍ରମୂଖ ଶାସନ ସଚିବ ଉଷା ପାଢ଼ୀ, ଓଏସଆରରିସି ଅଧ୍ୟକ୍ଷ ଦୀପ୍ତେଶ ପଟ୍ଟନାୟକ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀ, ଭିସି ଜରିଆରେ ବିଭିନ୍ନ ଜିଲ୍ଲାରୁ ଆରଟିଓ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.