ETV Bharat / state

ଲୋକାର୍ପିତ ହେଲା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ, ୧୩ ଜିଲ୍ଲାର ୮୦ହଜାର ହେକ୍ଟର ଜମିକୁ ପାଣି

author img

By ETV Bharat Odisha Team

Published : Dec 16, 2023, 10:27 PM IST

ଲୋକାର୍ପିତ ହେଲା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ, ୧୩ ଜିଲ୍ଲାର ୮୦ ହଜାର ହେକ୍ଟର ଜମିକୁ ପାଣି
ଲୋକାର୍ପିତ ହେଲା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ, ୧୩ ଜିଲ୍ଲାର ୮୦ ହଜାର ହେକ୍ଟର ଜମିକୁ ପାଣି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ଦ୍ବାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳିବ । ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ଦ୍ବାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳିବ । ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଛନ୍ତି । ଏସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ।

ଅଧିକ ପଢନ୍ତୁ- ଉଠା ଜଳସେଚନ ପ୍ରକଳ୍ପ ପାଇଁ ୬୩୯.୪୯ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ

୨୦୧୧ ମସିହାରେ ରାଜ୍ୟରେ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥିରେ ୨୦୮ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି । ଏହା ଦ୍ବାରା ୨,୬୪,୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏହା ଦ୍ବାରା ୧,୧୩,୫୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟର ସୁପରିଚାଳନା ପାଇଁ ଓକାକ ଦ୍ବାରା ପ୍ରସ୍ତୁତ e-megalift App ର ଲୋକାର୍ପଣ କରିଛନ୍ତି ।

୫ ବର୍ଷରେ ୩ ଗୁଣା କୃଷି ବଜେଟ, ଚାଷୀ ଦେଶର ଶ୍ରେଷ୍ଠ ସେବକ :- ଭିସି ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ ଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ । ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ । ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି । ସେ ପ୍ରତିଦିନ ତାଙ୍କ ଘରେ ଚାଷୀ ଭାଇଭଉଣୀମାନଙ୍କୁ ଭେଟୁଛନ୍ତି । ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରୁଛନ୍ତି । ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବାରୁ ସେ ଏଥିପାଇଁ ଖୁସି ବ୍ୟକ୍ତ କରିଛନ୍ତି । କୃଷି ବଜେଟ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । କାଳିଆ ଯୋଜନା ଚାଷୀ ଭାଇଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି । ରାଜ୍ୟ ସରକାର ଚାଷୀ ଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଛି ।

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଲୋୟର ସୁକତେଲ ଓ ଗଙ୍ଗାଧର ମେହେର ପ୍ରକଳ୍ପ :- 5T ଉପକ୍ରମରେ ଜଳସେଚନର ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଛି । ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ ଏବଂ ସୁବର୍ଣ୍ଣରେଖା ପରି ବଡ ବଡ ପ୍ରକଳ୍ପରୁ ଚାଷୀମାନେ ଜଳସେଚନ ସୁବିଧା ପାଉଛନ୍ତି । ଏହା ଛଡା ଗଙ୍ଗାଧର ମେହର ପ୍ରକଳ୍ପ ଓ ଲୋୟର ସୁକତେଲ ପରି ଅନ୍ୟ ବଡ ବଡ ପ୍ରକଳ୍ପ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ନଦୀଗୁଡିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି । ଏହି ସବୁ ପ୍ରକଳ୍ପ ଦ୍ବାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ । ଚାଷୀ ଭାଇଙ୍କର ରୋଜଗାର ବୃଦ୍ଧି ହେବ ।

କଥା ଦେଇ କାମରେ କରି ଦେଖାଇଲେ ମୁଖ୍ୟମନ୍ତ୍ରୀ:- କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଆଜି ଜଳସମ୍ପଦ ବିଭାଗ ତଥା ଆମ ରାଜ୍ୟ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ । ଢିପ ଅଞ୍ଚଳରେ ପାଣି ଅଭାବ ଯୋଗୁ ଚାଷୀମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନ ଓ ଆନ୍ତରିକତା ଯୋଗୁ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି । ଏ ପ୍ରକଳ୍ପ ଜରିଆରେ ଚାଷୀମାନଙ୍କର ଢିପ ଜମିରେ ଜଳସେଚନ ଠିକ ଭାବରେ ହୋଇ ଜୀବନଧାରଣ ଓ ସାମଗ୍ରୀକ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଯେ, ଏହି ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁ ତାଙ୍କ ଅଞ୍ଚଳର ଚାଷୀମାନେ ବହୁଳ ଭାବେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟ ସ୍ଥାପନ ପାଇଁ କଥା ଦେଇଥିଲେ, କଥା ରଖି ସେ ଏହାକୁ କାମରେ କରି ଦେଖାଇଲେ ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.