ETV Bharat / state

ବିଜେଡିର ଫେରିଲା 'କେନ୍ଦ୍ର ଅବହେଳା' ଅସ୍ତ୍ର, ସମାଲୋଚନା କଲା ବିଜେପି

author img

By ETV Bharat Odisha Team

Published : Dec 15, 2023, 10:00 PM IST

ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ସମାଲୋଚନା କଲା ବିଜେପି
ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ସମାଲୋଚନା କଲା ବିଜେପି

BJP targets BJD: କାର୍ଯ୍ୟକାରିଣୀରେ ୨୦୨୪ ଲଢ଼େଇ ପାଇଁ ଅସ୍ତ୍ର ପ୍ରସ୍ତୁତ କରିଛି ବିଜେଡି । କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ଦଳ ନିର୍ବାଚନୀ ବୈତରଣୀ ପାର ହେବାକୁ ନଜର ରଖିଛି । ସେପଟେ ବିଜେଡିର ଏଭଳି ଆଭିମୁଖ୍ଯକୁ ନିନ୍ଦା କରିଛି ବିଜେପି । କେନ୍ଦ୍ର ସରକାର ଓଡିଶାକୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଅଧିକ ପଢ଼ନ୍ତୁ

ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ସମାଲୋଚନା କଲା ବିଜେପି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ଆଜି ଭୁବନେଶ୍ବର ଶଙ୍ଖ ଭବନରେ ବିଜେଡି କାର୍ଯ୍ୟକାରିଣୀରେ ଦଳୀୟ ନେତା ଓ କର୍ମୀଙ୍କୁ ମନ୍ତ୍ର ଫୁଙ୍କିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ଦଳୀୟ ନେତାଙ୍କୁ ବଡ଼ ଅସ୍ତ୍ର ମଧ୍ୟ ଧରାଇଛନ୍ତି । ୨୦୨୪ ଲଢ଼େଇରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବା ପାଇଁ ଆଲୋଚନା କରିଛି ବିଜେଡି । ଏନେଇ ଶାସକ ଦଳକୁ କାଉଣ୍ଟର କରିଛି ରାଜ୍ୟ ବିଜେପି । କେନ୍ଦ୍ର ସରକାର ଓଡିଶାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ବହୁ କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "୨୦୧୪ ପରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ମିଳିଛି । ଏଠାରେ କେନ୍ଦ୍ର ଅବହେଳା କେଉଁଠି ଆସିଲା ? ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଦେଇ ପାରୁନାହାନ୍ତି । ରେଳ ପ୍ରକଳ୍ପ ହୋଇ ପାରୁନାହିଁ । ରାସ୍ତା କାମ ହୋଇ ପାରୁନାହିଁ, ବିଶୃଙ୍ଖଳା ହେଉଛି । ବିଜେଡି ବିକାଶ ନାଁରେ ବିନାଶ ଆଡ଼କୁ ଓଡ଼ିଶାକୁ ନେଉଛି । କେନ୍ଦ୍ର ସରକାର ଓଡ଼ିଶାର ବିକାଶ କରିବାକୁ ଚାହୁଁଛନ୍ତି, ହେଲେ ବିଜେଡି ବିନାଶ ଆଡ଼କୁ ନେଉଛି । କଂଗ୍ରେସ ସରକାର ଥିଲା ବୋଲି ଛତିଶଗଡ଼ରେ ମହାନଦୀ କଥା ଭୁଲିଗଲେ । ଏବେ ବିଜେପି ସରକାର ଆସିବାରୁ ମହାନଦୀ କଥା କହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ସ୍ଵୀକାର କଲେ ନୂଆ ଓଡ଼ିଶା ଗଠନ ହୋଇନାହିଁ । ଆଉ କେତେ ବର୍ଷ ଲାଗିଲେ ନୂଆ ଓଡ଼ିଶା ଗଠନ ହୋଇ ପାରିବ ? ୨୫ ବର୍ଷ ଶାସନ ପରେ ବି 5T ଆବଶ୍ୟକତା ପଡ଼ିଲା । ନେତା, ମନ୍ତ୍ରୀ କାମ କରୁନାହାନ୍ତି, ଖାଲି ଜଣେ ହିଁ କାମ କରୁଛି । ଆଜି ବି ମୁଖ୍ୟମନ୍ତ୍ରୀ କହୁଛନ୍ତି ଖାଦ୍ୟ ସୁରକ୍ଷା ଆଇନରେ ଆହୁରି ଲୋକଙ୍କୁ ଯୋଡ଼ିବେ । ଗରିବୀ ବଢୁଛି । ବିଜେଡି ବିକାଶ ଚାହେଁ ନାହିଁ, କେବଳ ଭୋଟ ପାଇଁ ଏସବୁ କଥା କୁହେ, ଆଜି ବି କହୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିଭିନ୍ନ ସମୟରେ ତୁ ତୁ ମେଁ ମେଁ ସ୍ଥିତି ଉପୁଜିଛି । କେନ୍ଦ୍ରମନ୍ତ୍ରୀ ମାନେ ଓଡିଶା ଗସ୍ତରେ ଆସିବା ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ସମୟରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛନ୍ତି । ଏପରିକି ବଲାଙ୍ଗୀରରୁ ଜବତ ହୋଇଥିବା ମଦ ଟଙ୍କାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ସେ ଟଙ୍କା ବିଜେଡି ନିର୍ବାଚନୀ ପ୍ରଚାର ସମୟରେ ଖର୍ଚ୍ଚ କରିବାକୁ ରଖିଥିଲା ବୋଲି ଅଭିଯୋଗ ଆଣିଛି ବିଜେପି । ଆୟକର ବିଭାଗ ଜବତ ହୋଇଥିବା ବିପୁଳ କଳା ଟଙ୍କାକୁ ନେଇ ସିବିଆଇ ତଦନ୍ତ ଦାବି କରିଛି ରାଜ୍ୟ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.