ETV Bharat / state

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ

author img

By ETV Bharat Odisha Team

Published : Dec 15, 2023, 4:28 PM IST

BJD State Executive Meeting: ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଛନ୍ତି । ଅଧିକ ପଢନ୍ତୁ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ; ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ
ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ; ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ; ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ

ଭୁବନେଶ୍ବର: ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଛି ।

କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଛନ୍ତି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆଗତ କରିଛନ୍ତି । ବିଧାୟିକା ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀରେ ମୋଟ ୨୭ଟି ପ୍ରସ୍ତାବ ଦଳର ବରିଷ୍ଠ ନେତା ଆଗତ କରିଥିଲେ । ଅନ୍ୟ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ । ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଛି ।

ଅଧିକ ପଢନ୍ତୁ- କାଲି ବିଜେଡି କାର୍ଯ୍ୟକାରିଣୀ: 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

କାର୍ଯ୍ୟକାରିଣୀକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ଓଡ଼ିଶାର ରୂପାନ୍ତରଣ ସେମାନଙ୍କ ପାଇଁ ବଡ଼ ଧକ୍କା ହୋଇଛି । ତେଣୁ ସେମାନେ ମିଛ କହିବେ । ଅପପ୍ରଚାର କରିବେ । ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ । ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ କରିବାକୁ ହେବ । ତା' ସହିତ ବିକାଶର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚିବାକୁ ହେବ । ଓଡିଶା ବାସୀ ଜାଣନ୍ତି ହଜାରେ ମିଛ କେବେ ସତ ହେବନାହିଁ । ସତ୍ୟର ଜୟ ହେବ । ବିକାଶର ଜୟ ହେବ । ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ହେବ ।

2000 ମସିହାରୁ ବିଭିନ୍ନ ବିଧାନସଭା, ଲୋକସଭା, ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ବିଶେଷ କରି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ବିଜୟ ପାଇଁ ଓଡିଶାର ଜନ ସାଧାରଣଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଛି । କୋଟି ଓଡିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ବ ଲଗାତର ଭାବେ ଆମର ଆଞ୍ଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ଯ୍ୟକାରିଣୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛି ।

ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଜି ସଂଜୀବନୀ ହୋଇଛି । ଯାହାକି ଭାରତବର୍ଷରେ ଅଭିନବ ଓ ଅନନ୍ୟ । ଓଡିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ବାସ୍ଥ୍ୟ ଭିତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି ।

ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ, ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗରର ସଂପ୍ରସାରଣ ଏବଂ ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି । କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଛି । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧିକୁ ପ୍ରାଥମିକତା ଦେଇଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି ।

ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି । ଟେକ୍ନୋଲୋଜୀକୁ ଉପଯୋଗ କରି ୫ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଂଜୁରୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟର ଅଭିବୃଦ୍ଧିର ହାର ବଢିବା, ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ ଆର୍ଥିକ ପରିଚାଳନାରେ ସଫଳତା ପାଇଥିବାରୁ ଧନ୍ୟବାଦ ଦିଆଯାଇଛି ।

୫ଟି ଉପକ୍ରମରେ ଭିତ୍ତିଭୂମି ବିକାଶରୁ ଆରମ୍ଭ କରି ଆମ ସମ୍ବଳକୁ ମୁଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀ ସ୍ବାଗତ କରିଛି । ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଶିକ୍ଷଣ ଓ ତାପରେ ଜୋନାଲ ପ୍ରଶିକ୍ଷଣ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି । ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି ।

ବୈଠକରେ ସଂଘୀୟ ବ୍ୟବସ୍ଥାରେ ଓଡିଶା ତାର ନ୍ୟାର୍ଯ୍ୟ ଦାବୀ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବୀ ହାସଲ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଛି । ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଛି । କୋଇଲା ରୟାଲଟି ବୃଦ୍ଧି, ସେସ ପ୍ରଦାନ କ୍ଷେତ୍ରରେ ଓଡିଶାର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ବରାନିତ ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା, ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବାରେ ମହିଳା ମାନେ ସମ୍ମୁଖିନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇଛି । ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକମର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଛି । ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ବ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତ୍ତନ ସଂପର୍କରେ ଏବଂ ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବା ପାଇଁ ତଥା ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଛି । ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଥିଲା । ଶେଷରେ ଦଳର ବରିଷ୍ଠ ଉପ ସଭାପତି ଏୟୁ ସିଂଦେଓ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.