ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମୁଥିବାରୁ ଆଗୁଆ ନିର୍ବାଚନ ଚେଷ୍ଟା କରୁଛି ବିଜେଡି: ପୃଥ୍ବୀରାଜ

author img

By ETV Bharat Odisha Team

Published : Sep 1, 2023, 4:57 PM IST

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମୁଥିବାରୁ ଆଗୁଆ ନିର୍ବାଚନ ପାଇଁ ଚେଷ୍ଟା କରୁଛି ବିଜେଡି
ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମୁଥିବାରୁ ଆଗୁଆ ନିର୍ବାଚନ ପାଇଁ ଚେଷ୍ଟା କରୁଛି ବିଜେଡି

ଆଗୁଆ ନିର୍ବାଚନ ନେଇ ସବୁଆଡ଼େ ଆଲୋଚନା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ ଏକ କମିଟି ଗଠନ କରିଛନ୍ତି । ସେପଟେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମୁଥିବାରୁ ବିଜେଡି ଆଗୁଆ ନିର୍ବାଚନ ପାଇଁ ଚେଷ୍ଟା କରୁଥିବା ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମୁଥିବାରୁ ଆଗୁଆ ନିର୍ବାଚନ ପାଇଁ ଚେଷ୍ଟା କରୁଛି ବିଜେଡି

ଭୁବନେଶ୍ବର: ଦେଶରେ ହୋଇପାରେ ଆଗୁଆ ନିର୍ବାଚନ । ଏନେଇ ଜାତୀୟସ୍ତରରେ ତତ୍ପରତା ପ୍ରକାଶ ପାଇଛି । ସଂସଦର ସ୍ବତନ୍ତ୍ର ଅଧିବେଶନରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ମଧ୍ୟ ଆଗୁଆ ନିର୍ବାଚନ ନେଇ ଅଣ୍ଟା ଭିଡିଥିବା ନେଇ ଆଲୋଚନା ହେଲାଣି । ଓଡ଼ିଶାରେ ଜିଲ୍ଲାପାଳ ଏବଂ ନିର୍ବାଚନୀ ଅଧିକାରୀମାନଙ୍କ ସହ ଆଲୋଚନା ପାଇଁ ୧୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନ ସଦସ୍ୟ । ତେବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଲାଣି । ଶାସକ ଦଳକୁ ଟାର୍ଗେଟ କରୁଛନ୍ତି ବିରୋଧୀ । ବିଜେପି କହିଛି ନବୀନଙ୍କ ଲୋକପ୍ରିୟତା ଦିନକୁ ଦିନ କମିଯାଉଛି । ତେଣୁ ସେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜନମତକୁ ନିଜ ଆଡକୁ ନେବାକୁ ଆଗୁଆ ନିର୍ବାଚନ ନେଇ ପ୍ରସ୍ତୁତି କରିପାରନ୍ତି ।

ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଓଡ଼ିଶା ସରକାର ଚାହୁଁଛନ୍ତି ଆଗୁଆ ନିର୍ବାଚନ ହେଉ । କାରଣ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମିଗଲାଣି । ୬ ମାସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ୨୭ ପ୍ରତିଶତ କମିଛି ବୋଲି ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଘରୁ ବାହାରକୁ ବାହାରି ପାରୁନାହାନ୍ତି କି ଲୋକଙ୍କୁ ଭେଟି ପାରୁନାହାନ୍ତି । ଅମଲାତନ୍ତ୍ର ସବୁ ପରିଚାଳନା କରୁଛି । ଏ ସବୁ କଥାକୁ ଓଡ଼ିଶା ଲୋକ ଜାଣିଗଲେଣି । ତେଣୁ ବିଜେଡି ଆଗୁଆ ନିର୍ବାଚନ ପାଇଁ ଜୋରଦାର ଚେଷ୍ଟା କରୁଥିଲା । କିନ୍ତୁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ବହୁତ କମ୍ ।" ବିଜେପି ଆଗୁଆ ନିର୍ବାଚନ ଚାହୁଁଥିବା ନେଇ କଂଗ୍ରେସର ଅଭିଯୋଗ ଉପରେ ସେ କହିଛନ୍ତି, "ଜାତୀୟ ସର୍ବେକ୍ଷଣ ଗୁଡ଼ିକର ଫଳାଫଳ ବୋଧହୁଏ କଂଗ୍ରେସ ନେତାମାନେ ଦେଖିନାହାନ୍ତି । ତଳସ୍ତରରେ ନେତା କି କର୍ମୀ ଆଉ କଂଗ୍ରେସରେ ନାହାନ୍ତି । ବିଭିନ୍ନ ସର୍ବେକ୍ଷଣରେ ମୋଦିଙ୍କ ଲୋକପ୍ରିୟତା ସ୍ପଷ୍ଟ ଭାବେ ଜଣାପଡୁଛି । ତେଣୁ କଂଗ୍ରେସର ମନ୍ତବ୍ୟ ବାହୁଲ୍ୟ ମାତ୍ର ।"

ଏହା ମଧ୍ୟ ପଢ଼ନ୍ତୁ...One Nation One Election: ଆଉ ପାଦେ ଆଗକୁ ବଢିଲା କେନ୍ଦ୍ର, କୋବିନ୍ଦଙ୍କ ନେତୃତ୍ବରେ ଗଠନ ହେଲା କମିଟି

ସେ ଆହୁରି କହିଛନ୍ତି, "କୌଣସି ରାଜନୈତିକ ଦଳ 'ୱାନ୍ ନେସନ୍ ୱାନ୍‌ ଇଲେକ୍ସନ୍‌' ନେଇ ରାଜି ନଥିଲେ । ତେଣୁ ସେ ବିଷୟରେ ଚର୍ଚ୍ଚା ଆଲୋଚନା ହେଲାବେଳେ କଂଗ୍ରେସ ବି ବିରୋଧୀ ଦଳ ଭାବେ ପ୍ରସ୍ତୁତ ନଥିଲା । ତେଣୁ ବର୍ତ୍ତମାନ ଏନେଇ ହେଉଥିବା ଚର୍ଚ୍ଚାରେ କୌଣସି ବାସ୍ତବତା ନାହିଁ । କାରଣ ଜାତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହମତି ଅପେକ୍ଷା କରିଥିଲେ । ହେଲେ ବିରୋଧ ଯୋଗୁଁ ଏ କଥା ଆଗକୁ ବଢ଼ିପାରିଲା ନାହିଁ । ଆଗାମୀ ସଂସଦ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ । ନିର୍ବାଚନ ନେଇ କୌଣସି ନିଷ୍ପତି ହେବ ବୋଲି ଲାଗୁନାହିଁ ।" ଅନ୍ୟପଟେ 'ୱାନ୍ ନେସନ୍ ୱାନ୍‌ ଇଲେକ୍ସନ୍‌' ନେଇ ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ମତାମତ ଗ୍ରହଣ କରି ଏହି କମିଟି ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.