ETV Bharat / bharat

One Nation One Election: ଆଉ ପାଦେ ଆଗକୁ ବଢିଲା କେନ୍ଦ୍ର, କୋବିନ୍ଦଙ୍କ ନେତୃତ୍ବରେ ଗଠନ ହେଲା କମିଟି

author img

By ETV Bharat Odisha Team

Published : Sep 1, 2023, 10:11 AM IST

Updated : Sep 1, 2023, 10:45 AM IST

ଦେଶରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ କମିଟି ଗଠନ କଲା କେନ୍ଦ୍ର । ଏହି କମିଟିର ନେତୃତ୍ବ ନେବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ
ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ

ନୂଆଦିଲ୍ଲୀ: ଦେଶରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପାଇଁ ଆଉ ପାଦେ ଆଗକୁ ବଢିଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ ସରକାର ଆଜି ଏକ ବଡ ପଦକ୍ଷେପ ନେଇଛନ୍ତି । ଏକକ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କମିଟି ଗଠନ ହୋଇଛି । ଏହି କମିଟି ଏକକ ନିର୍ବାଚନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରିବ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । କୋବିନ୍ଦଙ୍କ ନେତୃତ୍ବାଧୀନ କମିଟିରେ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ରହିପାରନ୍ତି । ଏନେଇ କିଛି ସମୟ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ । କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇବାର ଦିନକ ପରେ ସରକାର ଏହି କମିଟି ଗଠନ କରିଛନ୍ତି ।

ଗତକାଲି(ଗୁରୁବାର) କେନ୍ଦ୍ର ସରକାର ଅଚାନକ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲେ । ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଅଧିବେଶନ ଚାଲିବାକୁ ଥିବାବେଳେ ଏହାର କୌଣସି ଏଜେଣ୍ଡା ପ୍ରକାଶ କରାଯାଇନାହିଁ । ତେବେ ହଠାତ୍ ଏପରି ଭାବେ ସଂସଦ ଅଧିବେଶନ ଡକାଯିବା ନେଇ ଏକକ ନିର୍ବାଚନ ଚର୍ଚ୍ଚା ଜୋର ଧରିଥିବା ବେଳେ କେନ୍ଦ୍ର ସରକାର ଏନେଇ ଆଜି ବଡ ସଙ୍କେତ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି ଯେ, ସ୍ବତନ୍ତ୍ର ଅଧିବେଶନ ବେଳେ ସରକାର ୱାନ ନେସନ ୱାନ ଇଲେକ୍ସନ ବା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଣିପାରନ୍ତି । ଏହି ବିଲ୍ ପାସ୍ ହେଲେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସମୟରେ ହେବ ।

ଏହାମଧ୍ୟ ପଢନ୍ତୁ: ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ଦେଶରେ ଏକକ ନିର୍ବାଚନକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଏକକ ନିର୍ବାଚନ ହେଲେ ନିର୍ବାଚନୀ ଖର୍ଚ୍ଚ ବହୁମାତ୍ରାରେ ହ୍ରାସ ପାଇବ । ପ୍ରତିବର୍ଷ ଦେଶର କୌଣସି ନା କୌଣସି ରାଜ୍ୟରେ ବାରମ୍ବାର ନିର୍ବାଚନ ଆଚରଣ ବିଧି ଲାଗୁ ହେବ ନାହିଁ । ଏହିସବୁ କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପ୍ରସଙ୍ଗରେ ଅନେକ ବର୍ଷ ହେଲା ଜୋର ଦେଇଆସୁଛନ୍ତି ଏବଂ ଏକକ ନିର୍ବାଚନ କରାଇବାକୁ ବିଭିନ୍ନ ମହଲରେ ଆଲୋଚନା ମଧ୍ୟ କରିସାରିଛନ୍ତି । ଏବେ ଏହି ପ୍ରସଙ୍ଗରେ ବିଚାର କରିବାକୁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ଦାୟିତ୍ବ ଦେଇଛନ୍ତି ।

ଅନ୍ୟପଟେ ବିରୋଧୀ ଦଳଗୁଡିକ ଏକକ ନିର୍ବାଚନ ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛନ୍ତି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଏବେ ଏକକ ନିର୍ବାଚନର ଆବଶ୍ୟକତା ନାହିଁ । ସରକାର ପ୍ରଥମେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ଉପରେ ଧ୍ୟାନ ଦିଅନ୍ତୁ ।

Last Updated :Sep 1, 2023, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.