ETV Bharat / state

ବିଜେପିକୁ ବିଜେଡିର କାଉଣ୍ଟର, ସରକାରୀ ଅଫିସରଙ୍କ ନିଯୁକ୍ତି ନେଇ ରାଜନୀତି ନକରିବାକୁ ପରାମର୍ଶ

author img

By

Published : Jan 9, 2023, 12:35 PM IST

ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିଜେପି ନେତା ସୁଦର୍ଶନ ନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ବିଜେଡିର କାଉଣ୍ଟର । ସରକାରୀ ଅଫିସରଙ୍କ ନିଯୁକ୍ତି ନେଇ ରାଜନୀତି ନକରିବାକୁ ବିଜେପିକୁ ପରାମର୍ଶ ଦେଲେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ । ଅଧିକ ପଢ଼ନ୍ତୁ

BJD Press Meet
ବିଜେଡି ସାମ୍ବାଦିକ ସମ୍ମିଳନୀ

ବିଜେଡି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ସୁଦର୍ଶନ ନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ବିଜେଡିର କାଉଣ୍ଟର । ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ପ୍ରେସମିଟ୍ ଜରିଆରେ ରାଜ୍ୟ ସରକାରଙ୍କୁ ଘେରିଥିଲା ବିଜେପି । IT ବା ଇଲେକ୍ଟ୍ରୋନିକ୍‌ସରେ କୌଣସି ଜ୍ଞାନ ନଥିବା ଲୋକକୁ କିଭଳି IT ସଚିବ କରାଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ ବରିଷ୍ଠ ବିଜେପି ନେତା ସୁଦର୍ଶନ ନାୟକ । ଏହାପରେ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ । ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଅଛି । ତେଣୁ ସରକାରୀ ଅଫିସରଙ୍କ ନିଯୁକ୍ତି ନେଇ ରାଜନୀତି ନକରିବାକୁ ବିଜେପିକୁ ପରାମର୍ଶ ଦେଇଛନ୍ତି ବିଜେଡି ନେତା ।

ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ବାତିଲ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲା ରାଜ୍ୟ ବିଜେପି । ଏନେଇ ବିଜେପି ନେତା ସୁଦର୍ଶନ ନାୟକ କହିଥିଲେ, "କୌଣସି ବିଜ୍ଞାପନ ପ୍ରକାଶ ନପାଇ ସରକାରୀ କର୍ମଚାରୀଙ୍କ ନିଯୁକ୍ତି କେମିତି ହେଲା ? ଏଭଳି କ୍ଷେତ୍ରରେ ମନୋଜ ମିଶ୍ରଙ୍କ ନିଯୁକ୍ତି ସମ୍ବିଧାନର ଧାରା ୧୪ ଓ ୧୬ର ଉଲ୍ଲଙ୍ଘନ କରୁଛି । ସେହିଭଳି ଓଡ଼ିଶାରେ ୯ଟି ପ୍ରିନ୍ସିପାଲ୍ ସେକ୍ରେଟାରୀ କ୍ୟାଡ଼ର ରହିଛି । ପ୍ରିନ୍ସିପାଲ୍ ସେକ୍ରେଟାରୀ ଲାଗି ୯ଟି ଏକ୍ସ କ୍ୟାଡ଼ର ପୋଷ୍ଟ ରାଜ୍ୟ ସରକାର ନିଯୁକ୍ତି ଦେଇପାରିବେ । ଏବେ ୧୮ଟି ଯାକ ପୋଷ୍ଟ ପୂରଣ ହୋଇସାରିଛି । ଏହାବାଦ କିଭଳି ମନୋଜ ମିଶ୍ରଙ୍କୁ ପ୍ରିନ୍ସିପାଲ୍ ସେକ୍ରେଟାରୀ ପଦବୀ ମିଳିଲା ?" ତେବେ ରାଜ୍ୟ ସରକାର ଏକ କମିଟେଡ ବ୍ୟୁରୋକ୍ରାସି ଗଠନ ପାଇଁ ଚେଷ୍ଟା କରୁଛନ୍ତି ବୋଲି ସୁଦର୍ଶନ ନାୟକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବିଜେପି ସାମ୍ବାଦିକ ସମ୍ମିଳନୀ: ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ବାତିଲ କରିବା ପାଇଁ ଦାବି

ସେପଟେ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ । ସେ କହିଛନ୍ତି, "କେନ୍ଦ୍ର ସରକାରଙ୍କ ନିଯୁକ୍ତି ଉପରେ ବିଜେଡି କେବେ ପ୍ରଶ୍ନ ଉଠାଉ ନାହିଁ । ତେଣୁ ବିଜେପି କାହିଁକି ଏଭଳି ଶସ୍ତା ରାଜନୀତି କରୁଛି ଓ କାହିଁକି ଭୟଭୀତ ହୋଇ ପ୍ରତିକ୍ରିୟାଶୀଳ ହୋଇପଡୁଛି । ପ୍ରଶାସନ ବା ରାଜ୍ୟ ସରକାର କାହାକୁ କିପରି ନିଯୁକ୍ତି ଦେବେ ସେନେଇ ପ୍ରଶାସନ ବା ରାଜ୍ୟ ସରକାର ଅବଗତ ଅଛନ୍ତି । ତେଣୁ ବିଜେପିକୁ ପରାମର୍ଶ, ସେମାନେ ସରକାରୀ ଅଫିସରଙ୍କ ନିଯୁକ୍ତି ନେଇ ରାଜନୀତି କରନ୍ତୁ ନାହିଁ ।" ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଅଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.