ETV Bharat / state

Weather Update: ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼, 4 ଦିନ ବର୍ଷିବ

author img

By

Published : Mar 25, 2023, 10:05 PM IST

ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼
ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼

ରାଜ୍ୟରେ ଆସନ୍ତାକାଲି ଠାରୁ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼

ଭୁବନେଶ୍ବର: ଆସନ୍ତାକାଲି(ରବିବାର) ଠାରୁ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର୍ ବିଶ୍ବାସ ।

ଆସନ୍ତାକାଲି ଠାରୁ ଓଡ଼ିଶାରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼ । ଏହା ସହିତ ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି,କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁର । ଏହାସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୨୬ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ନେଇ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ଉପକୂଳ ଓଡିଶାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି କୋରାପୁଟ, ରାୟଗଡ଼ା, ଗଜପତି ଓ ମୟୂରଭଞ୍ଜ । ସେହିପରି ୨୭ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ।

ଅନ୍ୟପଟେ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ବିଭାଗ । ପୁଣି ଆସନ୍ତା ୩୦ରେ ଆଉ ଏକ ପଶ୍ଚିମାଝଡ଼ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ବିଭାଗ । ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ଜାଗାରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ରାୟଗଡାର କାଶୀପୁରରେ ୨୪.୨ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଦିନର ତାପମାତ୍ରା ସର୍ବାଧିକ ୩୭.୪ ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ଦିନର ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.