ETV Bharat / state

ଏମ୍ସରେ ଆୟୁଷ ଔଷଧର ହେବ ଗବେଷଣା, ଆୟୁର୍ବେଦ ପଞ୍ଚକର୍ମ ଏବଂ ଯୋଗ ନେଇ ଆରମ୍ଭ ହେବ କୋର୍ସ

author img

By ETV Bharat Odisha Team

Published : Nov 17, 2023, 1:07 PM IST

ଏମ୍ସରେ ଆୟୁଷ ଔଷଧର ହେବ ଗବେଷଣା
ଏମ୍ସରେ ଆୟୁଷ ଔଷଧର ହେବ ଗବେଷଣା

ଏମ୍ସରେ ଆୟୁଷ ଔଷଧର ହେବ ଗବେଷଣା । ଏନେଇ ୧୦ ଜଣିଆ କମିଟି ଗଠନ ହୋଇଛି । ଆୟୁର୍ବେଦ ପଞ୍ଚକର୍ମ ଏବଂ ଯୋଗ ଉପରେ କୋର୍ସ ଆରମ୍ଭ ନେଇ ଲକ୍ଷ ରହିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଏମ୍ସରେ ଆୟୁଷ ଔଷଧର ହେବ ଗବେଷଣା । ଏମ୍ସରେ ଖୁବଶୀଘ୍ର ଖୋଲିବ ଆୟୁଷ-ଆଇସିଏମ୍‌ଆର ଆଡ୍‌ଭାନ୍ସଡ ସେଣ୍ଟର । କର୍କଟ, ମଧୁମେହ, କାର୍ଡିଓଭାସ୍କୁଲାର ଭଳି ଅନେକ ରୋଗକୁ ପ୍ରଥମିକତା ଭାବରେ ଗୁରୁତ୍ବ ଦେଇ ଆରମ୍ଭ ହେବ ଗବେଷଣା । ଏହା ସହ ଆୟୁର୍ବେଦ ପଞ୍ଚକର୍ମ ଏବଂ ଯୋଗ ଉପରେ କୋର୍ସ ଏବଂ ଇଣ୍ଟର୍ଣ୍ଣସିପ୍ ଆରମ୍ଭ ହେବାର ମଧ୍ୟ ଲକ୍ଷ୍ୟ ରହିଥିବା ନେଇ ସୂଚନା ମିଳିଛି ।

ଏମ୍ସରେ ଆୟୁଷ ଔଷଧ ଗବେଷଣା ପାଇଁ ୧୦ ଜଣିଆ କମିଟି ଗଠନ ହୋଇଛି । ଯେକୌଣସି ରୋଗ ଉପରେ ଆୟୁଷ ଔଷଧର ବୈଜ୍ଞାନିକ ପ୍ରମାଣ ଖୋଜିବ ଏମ୍ସ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସମୟରେ ଲୋକମାନେ ଆୟୁର୍ବେଦିକ, ହୋମିଓପାଥି ଭଳି ଔଷଧ ସେବନ କରୁଥିଲେ ମଧ୍ୟ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ତେଣୁ ଶରୀରରେ ଆୟୁଷ ଔଷଧ କ’ଣ କାମ କରୁଛି ଏବଂ ଏହା ରୋଗ ପ୍ରତି କେତେ ମାତ୍ରାରେ ପ୍ରଭାବଶାଳୀ ସେନେଇ ଗବେଷଣା ଆରମ୍ଭ କରିବ ଏମ୍ସ । ଏନେଇ ଏମ୍ସରେ ଥିବା ଆୟୁଷ ବିଭାଗରେ ଆୟୁଷ-ICMR ଆଡ୍‌ଭାନ୍ସଡ୍ ସେଣ୍ଟର ଫର୍ ଇଣ୍ଟିଗ୍ରେଟିଭ୍ ହେଲ୍‌ଥ ରିସର୍ଚ୍ଚ ପ୍ରତିଷ୍ଠା ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦେଶକ୍ରମେ ଏହା କାର୍ଯ୍ୟ କରିବ ।

ତେବେ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଶେଷ ଭାବରେ ୪ଟି ରୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଏହି ଗବେଷଣା ପାଇଁ ସେଣ୍ଟ୍ରାଲ କାଉନ୍‌ସିଲ ଫର୍‌ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସେସ (ସିସିଆରଏଏସ୍‌) ଏବଂ ସେଣ୍ଟ୍ରାଲ କାଉନ୍‌ସିଲ୍ ଫର୍ ରିସର୍ଚ୍ଚ ଇନ୍‌ ହୋମିଓପାଥି (ସିସିଆର୍‌ଏଚ୍‌) ସହ ଏମ୍ସ ମଧ୍ୟରେ ଏମଓୟୁ ହୋଇଛି । ଏମ୍ସରେ ଆୟୁଷ ବିଭାଗରେ ୧୦ଟି ଶଯ୍ୟା ରହିଥିବା ବେଳେ ବର୍ତ୍ତମାନ ସମୟରେ ୬ଟି ଶଯ୍ୟା ବିଶିଷ୍ଟ ଆଇପିଡି ସୁବିଧା ରହିଛି । ପ୍ରତିଦିନ ଆୟୁଷକୁ ପାଖାପଖି ୭୦ ରୁ ଅଧିକ ରୋଗୀ ଓପିଡିକୁ ଆସୁଛନ୍ତି ।

ଏହାମଧ୍ୟ ପଢନ୍ତୁ..AIIMSରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ

ତେବେ ତଥ୍ୟ ଅନୁସାରେ, ୨୦୧୯ ମସିହାରୁ ୨୦୨୩ ଜୁନ୍‌ ସୁଦ୍ଧା ୩୬ ହଜାର ୮୦୬ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ୨୦୧୯ରେ ୬ ହଜାର ୯୫୪, ୨୦୨୦ରେ ୭ ହଜାର ୮୭,୨୦୨୧ରେ ୫ ହଜାର ୮୮୯,୨୦୨୨ରେ ୧୦ ହଜାର ୩୮୮ ଓ ୨୦୨୩ ମସିହା ଜୁନ୍‌ ସୁଦ୍ଧା ୬ ହଜାର ୪୮୮ ଜଣ ଚିକିତ୍ସା ପାଇଁ ଏମ୍ସ ଆୟୁଷ ବିଭାଗକୁ ଆସିଛନ୍ତି । ବିଶେଷ ଭାବରେ ଏମ୍ସ୍‌କୁ ଆୟୁଷ ଚିକିତ୍ସା ପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରୁ ରୋଗୀ ଆସିଥାଆନ୍ତି ।

ଆୟୁଷ ବିଭାଗକୁ ସାଧାରଣ ଭାବରେ ଆଣ୍ଠୁଗଣ୍ଠି ବାତ, ଶ୍ବାସ, ବ୍ୟାକ୍‌ପେନ୍‌, ପେଟ ରୋଗ ଜନିତ ସମସ୍ୟା, ମଧୁମେହ, ପୋଷ୍ଟ କ୍ୟାନ୍‌ସର ଥେରାପି, ଋତୁସ୍ରାବ ଅନିୟମିତତା, ଶିଶୁଙ୍କ ଥଣ୍ଡାକାଶ ଭଳି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆସୁଛନ୍ତି । ତେବେ ଆୟୁର୍ବେଦିକ, ହୋମିଓପାଥିକ ଚିକିତ୍ସା ସହ ବିଭାଗରେ ଯୋଗ ମଧ୍ୟ କରାଯାଉଛି । ଓପିଡି, ଆଇପିଡି ରୋଗୀଙ୍କୁ ମାଗଣା ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ଦିଆଯାଉଛି ବୋଲି କହିଛନ୍ତି ଆୟୁଷ ବିଭାଗର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ।

ସେ ଆଉ ମଧ୍ୟ କହିଛନ୍ତି, "ଓଡ଼ିଶାର ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ଭଦ୍ରକ, ବାଲେଶ୍ଵର ଏବଂ ପୁରୀ ଜିଲ୍ଲାରୁ ଜଏଣ୍ଟ୍‌ ପେନ୍‌, ପେଟ ରୋଗ ବ୍ୟାକ୍ ପେନ ଭଳି ରୋଗୀ ଅଧିକ ଆସୁଛନ୍ତି । ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁ ମାନଙ୍କର ଥଣ୍ଡା କାଶ ଜନିତ ରୋଗ ପାଇଁ ଆସୁଥିବା ବେଳେ ଅନ୍ୟ ଲୋକମାନେ ଥାଇରଏଡ ରୋଗ, ଆଲାର୍ଜି ଚିକିତ୍ସା ପାଇଁ ଅଧିକ ଆସୁଛନ୍ତି । ରାଜ୍ୟରୁ ୫୦ ପ୍ରତିଶତ ଯୌନ ଗତ ସମସ୍ୟା ନେଇ ଆୟୁଷ ବିଭାଗକୁ ଆସୁଛନ୍ତି । ଆୟୁଷ ଚିକିତ୍ସା ପାଇଁ ୧୫ ଦିନ ଔଷଧ ଖାଇବାକୁ ପଡିବ । ଔଷଧ ଖାଇବା ସହିତ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ ।"

ଅନ୍ୟପଟେ ଏମ୍ସ ଆୟୁଷ ବିଭାଗରେ ଆୟୁର୍ବେଦ ପଞ୍ଚକର୍ମ ଏବଂ ଯୋଗ ଉପରେ ସାର୍ଟିଫିକେଟ୍ କୋର୍ସ ଏବଂ ଇଣ୍ଟର୍ଣ୍ଣସିପ୍ ଆରମ୍ଭ ହେବାର ମଧ୍ୟ ଯୋଜନା ମଧ୍ୟ ରହିଛି । ଏହାସହ ଆୟୁଷରେ ସ୍ନାତକୋତ୍ତର, ପିଏଚ୍‌ଡି ଏବଂ ପିଡିଏଫ୍‌ ଆଦି ପାଠ୍ୟକ୍ରମ ମାଧ୍ୟମରେ ଏକାଡେମିକ ବିଭାଗର ବିକାଶ ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା ରହିଛି ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.