ETV Bharat / state

ଚାଷୀ ସମସ୍ୟା ଉଠାଇଲା ବିଜେପି, କୃଷି ଯନ୍ତ୍ରପାତି ଓ ଧାନ କିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

author img

By ETV Bharat Odisha Team

Published : Sep 2, 2023, 7:28 AM IST

ବିଜେପି କୃଷକ ମୋର୍ଚ୍ଚା
ବିଜେପି କୃଷକ ମୋର୍ଚ୍ଚା

ଚାଷୀ ସମସ୍ୟାକୁ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ଅଧିକ ପଢନ୍ତୁ

ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ପୁଣି ଚାଷୀ ସମସ୍ୟାକୁ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ବିଜେପି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ପାୱାରହାଉସ ଛକରୁ ଏକ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ କେନ୍ଦ୍ର ସରକାର ଚାଷୀମାନଙ୍କର ଆୟକୁ ଦ୍ବିଗୁଣିତ କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ୫୦ ପ୍ରତିଶତ ରିହାତିରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷିଯନ୍ତ୍ରପାତି କିଣା କାରବାରରେ ଓଡ଼ିଶାରେ ବ୍ୟାପକଭାବେ ଦୁର୍ନୀତି ହୋଇଛି । ବିଜୁ ଜନତା ଦଳର ବିଧାୟକ କୃଷି ଯନ୍ତ୍ରପାତି କିଣାରେ ତାଙ୍କ କମ୍ପାନୀ କୋଟି କୋଟି ଟଙ୍କା ଦୁର୍ନୀତି କରୁଥିବାର ଭିଜିଲାନ୍ସ ବିଭାଗ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ।

ଏହା ମଧ୍ୟ ପଢ଼ନ୍ତୁ.. ନବ ଦାସଙ୍କ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି ନେଇ ବିଜେପିର କମ୍ପନ

ସେହିପରି କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କା ଚାଷୀମାନଙ୍କୁ ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଓଡ଼ିଶାର ଚାଷୀ ତାର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି ନକରିପାରି ଶାଗ ମାଛ ଦରରେ ୧୨ଶହ/୧୩ଶହ ଟଙ୍କାରେ ଦଲାଲକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି । ଏହି ଧାନକିଣା କାରବାରରେ ସରକାରୀ ଦଳର ନେତା, ମନ୍ତ୍ରୀ, ପ୍ରଶାସନିକ କଳ, ମିଲରମାନଙ୍କ ମଧୁଚନ୍ଦ୍ରିକାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି । ତେଣୁ ଏହାର ସିବିଆଇ ତଦନ୍ତ କରିବାକୁ ସାହୁ ଦାବି କରିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପିଏମ୍ କିଷାନ ସମ୍ମାନନିଧି ଯୋଜନା ମାଧ୍ୟମରେ ୨ହଜାର କରି ତିନୋଟି କିସ୍ତିରେ ବର୍ଷକୁ ୬ହଜାର ଟଙ୍କା କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇନଥିବା କାରଣରୁ ୩୦ଲକ୍ଷରୁ ଅଧିକ ଚାଷୀ ଉକ୍ତ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ତାଲିକା ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚ।

ଏହାସହ କେନ୍ଦ୍ର ସରକାର ରିହାତି ମୂଲ୍ୟରେ ଚାଷୀମାନଙ୍କୁ ସାର ଓ କୀଟନାଶକ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେଉଛନ୍ତି । ଗୋଟିଏ ୟୁରିଆ ସାର ବସ୍ତା ଉତ୍ପାଦିତ ମୂଲ୍ୟ ୨୭ଶହ ଟଙ୍କା ହୋଇଥିବା ବେଳେ ତାକୁ ମାତ୍ର ୨୬୮ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାର ଚାଷୀ ରାଜ୍ୟ ସରକାର ସୀକୃତିପ୍ରାପ୍ତ ଡିଲର ପାଖକୁ ଯାଇ ସାର ନପାଇ ଖୋଲା ବଜାରରୁ ୫ଶହ ରୁ ୭ଶହ ଟଙ୍କାରେ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛି । ଖରିଫ ଚାଷରେ ଅନାବୃଷ୍ଟି କାରଣରୁ 17ଟି ଜିଲ୍ଲାରେ ଭୟଙ୍କର ମରୁଡି ସ୍ଥିତି ଦେଖା ଦେଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ସାରର ଏ କଳାବଜାର କାରବାରକୁ ବନ୍ଦ କରିବା ସହ ଏହାର ସଠିକ୍ ଆକଳନ କରି କୃଷି ବିଭାଗ ଏବଂ ରାଜସ୍ବ ବିଭାଗ ରିପୋର୍ଟ ଦିଅନ୍ତୁ ଏବଂ ସରକାର ଚାଷୀଙ୍କୁ ସହାୟତା ଦିଅନ୍ତୁ ବୋଲି ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା । ନଚେତ୍ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.