ETV Bharat / state

୫୦ ବର୍ଷର ଜମିଜମା ସମସ୍ୟା ସମାଧାନ, ମୁଖ୍ୟମନ୍ତ୍ରୀ ବାଣ୍ଟିବେ ପଟ୍ଟା

author img

By ETV Bharat Odisha Team

Published : Dec 3, 2023, 7:04 AM IST

ଜମିଜମା ସମସ୍ୟା ନେଇ ସମୀକ୍ଷା ବୈଠକ
ଜମିଜମା ସମସ୍ୟା ନେଇ ସମୀକ୍ଷା ବୈଠକ

Long pending land issues: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ 5T ଅଧ୍ୟକ୍ଷ । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧାନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରିଛନ୍ତି । ଏହି ଜମିଜମା ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ପାଣ୍ଡିଆନ ପୂର୍ବରୁ ଜିଲ୍ଲା ଗସ୍ତ ସମୟରେ ବିସ୍ଥାପିତମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ମୋଟ ୧୯ଟି ଗାଁର ଜମିଜମା ସମସ୍ୟା ସମାଧାନ କରାଯାଇଛି ବୋଲି ଏହି ସମୀକ୍ଷା ବୈଠକରୁ ଜଣାପଡିଛି ।

ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୭ଟି ଗାଁର ବିସ୍ଥାପିତମାନଙ୍କୁ ପଟ୍ଟା ବଣ୍ଟନ କରିବେ । ଏହି ଗାଁ ଗୁଡିକ ହେଲା ଲେମେଇତିକ୍ରା, ପାତ୍ରପଲ୍ଲୀ, ଛାଡରମା, ଦୁଆଁମୁଣ୍ଡା, ଲାଛିପାଲ୍ଲୀ, ସାହସବାଗ ଓ ବିନିକା । ଏହି ୭ଟି ଗ୍ରାମରେ ପ୍ରାୟ ୯୦୦ଟି ପରିବାର ପଟ୍ଟା ପାଇବେ । ସେହିପରି ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇଛି । ଉଭୟ ଘରବାଡି ଓ ଚାଷଜମି ପଟ୍ଟା ମଧ୍ୟ ମୁଖ୍ୟମନ୍ତ୍ରୀ ଡିସେମ୍ବର ୧୪ ତାରିଖ ଦିନ ବଣ୍ଟନ କରିବେ । ଜଟଣୀ ଖାସମାହାଲ ଜମି ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । ଜାନୁଆରୀ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ ।

ଏହା ମଧ୍ୟ ପଢନ୍ତୁ: 5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ଵ

ପୁରୀ ଜିଲ୍ଲାରେ ଖାସମାହାଲ ଜମି ସମସ୍ୟାର ସମାଧାନ ରାଜସ୍ବ ବିଭାଗ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ହୋଇଥିବା ଲିଜକୁ ନିୟମିତ କରାଯିବ । ଏଥିପାଇଁ ସରକାର ଉପଯୁକ୍ତ ପରିମାଣର ଦେୟ ଧାର୍ଯ୍ୟ କରି ଲିଜ୍‌ଧାରୀଙ୍କ ଠାରୁ ଆଦାୟ କରିବେ । ଏହି ସମସ୍ତ କାର୍ଯ୍ୟ ପାଇଁ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯିବ ।

ସେହିପରି ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ ଓ ସପନେ ଆଦି ଗ୍ରାମରେ ହାଇଟେକ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି । ସର୍ଭେକୁ ତ୍ବରାନ୍ବିତ କରିବା ପାଇଁ ଏହାର ଆଇନଗତ ସମୟ ସୀମାକୁ କମ୍ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟ ପାଇଁ ଅଧିକ ରାଜସ୍ବ କ୍ଷେତ୍ରାଧିକାରୀମାନଙ୍କୁ ନିୟୋଜିତ କରାଯାଇ ୨୦୨୪ ମାର୍ଚ୍ଚ ସୁଦ୍ଧା ସର୍ଭେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ନବ ନିଯୁକ୍ତ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନ ସଚିବ ମାନସ ରଞ୍ଜନ ବାରିକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ତଥା ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.