ETV Bharat / state

ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

author img

By

Published : Jun 28, 2023, 7:04 AM IST

Updated : Jun 28, 2023, 3:11 PM IST

f
କେନ୍ଦୁଝରରେ ସଡକ ଦୁର୍ଘଟଣା

କେନ୍ଦୁଝରରେ ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବା ଘଟଣା । ମୃତକଙ୍କ ପରିବାରକୁ 3 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆହତଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର। ଅଧିକ ପଢନ୍ତୁ

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ

କେନ୍ଦୁଝର: ଷଠିଘରଠାରେ ମଙ୍ଗଳବାର ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ 3 ଲକ୍ଷ ଟଙ୍କାର ଅନୁକମ୍ପା ରାଶି। ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସମସ୍ତ ଆହତଙ୍କୁ ସମ୍ପୂର୍ଣ୍ଣ ମାଗଣା ସେବା ଦେବା ପାଇଁ ମଧ୍ୟ ଟ୍ୱିଟ୍ ଜରିଆରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି(ମଙ୍ଗଳବାର) ମଧ୍ୟରାତ୍ରିରେ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଷଠୀଘର ସାହି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଟ୍ରକ ମାଡିଯିବା ଫଳରେ ୫ ମୃତ ଓ ୭ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • କେନ୍ଦୁଝର ଜିଲ୍ଲା ଷଠୀଘରଠାରେ ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି।

    ଏହି…

    — CMO Odisha (@CMO_Odisha) June 28, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, କେନ୍ଦୁଝର ପୁରୁଣା ସହର ସ୍ଥିତ ଷଠୀଘର ସାହିର କାର୍ତ୍ତିକ ପାତ୍ରଙ୍କ ଝିଅର ବାହାଘର ହରିଚନ୍ଦନପୁର ବ୍ଲକ ମାନପୁର ଗାଁର ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତ ପାତ୍ରଙ୍କ ସହ ହେବାର ଥିଲା । ବରଯାତ୍ରୀମାନେ ରାତି ପ୍ରାୟ ସାଢେ ୧ଟା ସମୟରେ ରୋଷଣି କରି ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ । କନ୍ୟାଘର ଘର ମାତ୍ର କେଇ ମିଟର ଦୂରରେ ଥିଲା । ହେଲେ ଏହାପୂର୍ବରୁ ଜାତୀୟ ରାଜପଥରେ ବରଯାତ୍ରୀମାନେ ନାଚୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୭ ଜଣ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ହସ୍ପିଟାଲରେ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗୁଡିକ ମଧ୍ୟରୁ କାହାର ମୁଣ୍ଡ ତ କାହାର ପେଟ ଫାଟି ଏତେ ବୀଭତ୍ସ ହୋଇଯାଇଛି ଯେ ଚିହ୍ନିବା ମୁସ୍କିଲ ହୋଇପଡିଛି । ମୃତକଙ୍କ ମଧ୍ୟରେ ବରର ପୁତୁରା ସହ ଜଣେ ବରଯାତ୍ରୀ ଓ ଷଠିଘର ସାହିର ତିନି ଜଣ ରହିଛନ୍ତି । ଯାହାଫଳରେ ବିବାହ ଉତ୍ସବ ଲୁହରେ ଭିଜିଛି । ବର ବିବାହ ନକରି ଫେରିଯାଇଥିବା ଜଣାପଡିଛି । ଯେଉଁ କାରଣରୁ କନ୍ୟା ମଙ୍ଗୁଳା ହୋଇରହିଯାଇଛି ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ସେହି ସ୍ଥାନରେ ବାରମ୍ଵାର ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଏଠାରେ ଏକ ଓଭରବ୍ରିଜ ଦାବି କରି ସାହି ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ ଓ ମୃତଦେହ ଉଠାଇବାକୁ ଦେଇନଥିଲେ । ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତଦେହଗୁଡିକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ହେଲେ ରାସ୍ତା ଅବରୋଧ ଜାରି ରହିଛି । ଏହାଯୋଗୁଁ ଶହ ଶହ ଟ୍ରକ ରାସ୍ତା ଉପରେ ଛିଡା ହୋଇ ରହିଥିଲେ । ଘଟଣାସ୍ଥଳରେ ପୋଲିସ, ମାଜିଷ୍ଟ୍ରେଟ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ପହଞ୍ଚି ବୁଝାସୁଝା ଆରମ୍ଭ କରିଥିଲେ । ପରେ ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଘଟଣାରେ ଜିଲ୍ଲାପାଳ ରେଡ଼କ୍ରସ ପକ୍ଷରୁ ୪୦ ହଜାର ଟଙ୍କା ସହାୟତା ସହ ସମସ୍ତ ଗୁରୁତରଙ୍କୁ ସରକାରୀ ଚିକିତ୍ସା ମାଗଣାରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଫ୍ଲାଇଓଭର ବ୍ରିଜ ନିର୍ମାଣ ନେଇ ଜାତୀୟ ରାଜପଥ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ଜିଲ୍ଲାପାଳ । କେନ୍ଦୁଝର ଓ ଯୋଡ଼ା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁ ମଧ୍ୟ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ ରାଜପଥ ଅବରୋଧ ହଟିଥିବା ଜଣାପଡ଼ିଛି ।

ଏହାମଧ୍ୟ ପଢନ୍ତୁ: କାର-ଟ୍ରକ ମୁହାଁମୁହିଁ ଧକ୍କା; ଚାଲିଗଲା ବାପାମାଆ ଓ ଛୁଆର ଜୀବନ

ଏହାପୂର୍ବରୁ ଗଞ୍ଜାମ ଦିଗପହଣ୍ଡିରେ ଏପରି ଭୀଷଣ ସଡକ ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତିରେ ଭୋଜି ଖାଇ କନ୍ୟାଯାତ୍ରୀ ମିନି ବସରେ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମିନି ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା ସରକାରୀ ବସ୍ । ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା ଏବଂ ୭ ଜଣ ଗୁରୁତର ଆହତ ହୋଇଥିଲେ । ସବୁଠୁ ଦୁଃଖଦାୟକ ଥିଲା, ଏଥିରେ ୨ ଜଣ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ: ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: 11 ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, କେନ୍ଦୁଝର

Last Updated :Jun 28, 2023, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.