18ଦିନରେ 13ଟି ଶିଶୁ ମୃତ୍ୟୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

author img

By

Published : Sep 18, 2022, 5:58 PM IST

ଜିଲ୍ଲା ମୁଖ୍ୟାଳୟ ଶିଶୁ ୱାର୍ଡରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ନେଇ ବିବାଦ ଦେଖାଦେଇଛି । ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ

କେନ୍ଦୁଝର: ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ନେଇ ବିବାଦ । ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର (District Headquarters Hospital Of Keonjhar) । ଶିଶୁ ମୃତ୍ୟୁ ବିବାଦକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା । ସୂଚନା ଅନୁଯାୟୀ, ଆଜି 3 ଜଣ ଓ ଗତ କାଲି ଜଣେ ଶିଶୁ ମୃତ୍ୟୁ ନେଇ ଏଡିଏମ ଓ ଡକ୍ଟର କେ.ସି. ପୃଷ୍ଟି କହିଥିବାବେଳେ, ଅଧିକ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ ।

ଜିଲ୍ଲା ମୁଖ୍ୟାଳୟ ଶିଶୁ ୱାର୍ଡରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

ଚିକିତ୍ସା ପାଇଁ ଡାକ୍ତର ନ ଆସିବାରୁ ଏଭଳି ପରିସ୍ଥିତି ଉପୁଜି ଥିଲା ବୋଲି ମୃତ ଶିଶୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଏଣୁ ଏହାର ତଦନ୍ତ ହେଲେ ଘଟଣାଟି ଜଣାପଡ଼ିବ ବୋଲି କୁହାଯାଉଛି । ତେବେ ଚଳିତ ମାସ 13 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏନେଇ ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ନେଇ ଅଧିକ ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ତେବେ ଏନେଇ ପ୍ରିୟଙ୍କା ମୁଦୁଲି କହିଛନ୍ତି, "ମୋ ଭାଇର ପୁଅକୁ ଆମେ ଏଠାକୁ ନେଇକି ଆସିଥିଲୁ । ଆମେ ଏଠାକୁ ଆସି 9ଟା ବେଳକୁ ଆଡମିଟ କଲୁ । କିନ୍ତୁ ଆଡମିଟ୍‌ କରିକି ମାଆ ବାପାକୁ ପଶିବାକୁ ଦେଲେନି ଭିତରକୁ । ଗତକାଲି 9ଟାରୁ ଡାକ୍ତର ନାହାନ୍ତି ଏବେ ଦିନ 12ଟା ବେଳକୁ ଯାଇକି ଡାକ୍ତର ଆସୁଛନ୍ତି । ଏବେ ଆସିଲା ପରେ କହୁଛନ୍ତି କି ଆପଣଙ୍କର ପିଲା ନାହିଁ । ତାହେଲେ ଆମେ ଜାଣିବୁ କେମିତି ଶିଶୁର ମୃତ୍ୟୁ ସକାଳେ ହୋଇଛି ନା ରାତିରେ ହୋଇଛି । "

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ କହିଛନ୍ତି, "ଆମର ଗତ ରାତିରୁ ଏପର୍ଯ୍ୟନ୍ତ ଭିତରେ 3ଟି ଶିଶୁଙ୍କର ମୃତ୍ୟୁ ହୋଇଛି । ତା' ମଧ୍ୟରୁ ଦୁଇଟା ଶିଶୁ ଆଗରୁ ଥିଲେ ମେଡିକାଲରେ ଯେଉଁମାନେ ହେଲେ 7ଦିନ ହେଲା ମେଡିକାଲରେ ଥିଲେ ଆଉ ଜଣେ 6ଦିନର ଛୁଆ ଯିଏ କାଲି ରାତିରେ ରେଫର ହୋଇ ଆସିଥିଲା ଯୋଡାରୁ ଯାହାର ମୃତ୍ୟୁ ହୋଇଛି । ଏହି ମାସ ଭିତରେ 18ଦିନରେ 13ଟି ଶିଶୁ ମୃତ୍ୟୁ ହୋଇଛି ।"

ସେହିପରି ବୁଦ୍ଧିଜୀବୀ ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି, "ସମସ୍ତେ ଖବର ପାଇଲୁ ଶିଶୁ ଏବଂ ମାତୃ ବିଭାଗରେ ଦୁର୍ଭାଗ୍ୟଜନକ 6ଟି ଶିଶୁଙ୍କର ମୃତ୍ୟୁ ଘଟିଯାଇଛି । ଏନେଇ ହସ୍ପିଟାଲରେ ଉତ୍ତେଜନା ହୋଇଥିବାରୁ ଖବର ପାଇ ଏଠାରେ ପହଞ୍ଚି ଜାଣିଲୁ ଯେ ଗତକାଲି ଏବଂ ଆଜି ଭିତରେ 4ଜଣଶିଶୁଙ୍କର ମୃତ୍ୟୁ ଘଟିଛି । ତେବେ ଏଭଳି ଦୁର୍ଭାଗ୍ୟ ଜନକ ଘଟଣା କିଭଳି ଭବିଷ୍ୟତରେ ନ ହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଆମେ ଦାବି ଜଣେଇଛୁ ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.