ETV Bharat / state

ମୃତ୍ୟୁ ସହ ସେଲ୍ଫି ନେବାକୁ ପ୍ରତିଯୋଗିତା ! କେବେ ଚେତିବେ କେନ୍ଦ୍ରାପଡାବାସୀ ?

author img

By ETV Bharat Odisha Team

Published : Dec 9, 2023, 11:27 AM IST

Updated : Dec 9, 2023, 12:32 PM IST

ବିପଦପୂର୍ଣ୍ଣ ଭାବେ ମାଳ ମାଳ କୁମ୍ଭୀର ସହ ସେଲ୍ଫି
ବିପଦପୂର୍ଣ୍ଣ ଭାବେ ମାଳ ମାଳ କୁମ୍ଭୀର ସହ ସେଲ୍ଫି

Selfie with crocodile: କେନ୍ଦ୍ରାପଡାର ମାର୍ଶାଘାଇ ଅଞ୍ଚଳରେ କୁମ୍ଭୀର ସହ ନିଆଯାଉଥିବା ସେଲ୍ଫି ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଏଭଳି ବିପଦପୂର୍ଣ୍ଣ ଭାବେ ଯୁବଗୋଷ୍ଠୀ ମାଳ ମାଳ କୁମ୍ଭୀର ମଧ୍ୟରେ ସେଲ୍ଫି ଉଠାଇବା ଚିନ୍ତାର କାରଣ ସାଜିଛି ।

ମୃତ୍ୟୁ ସହ ସେଲ୍ଫି ନେବାକୁ ପ୍ରତିଯୋଗିତା !

କେନ୍ଦ୍ରାପଡା: କୁମ୍ଭୀର ସହ ସେଲ୍ଫି । ନଦୀ ପଠାରେ ମାଳ ମାଳ କୁମ୍ଭୀର ସହ ବିପଦପୂର୍ଣ୍ଣ ଭାବେ ନିଆଯାଉଛି ସେଲ୍ଫି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡଅଁରମୁଣ୍ଡ ଗ୍ରାମରେ । ବିପଦକୁ ଖାତିର ନ କରି କୁମ୍ଭୀର ସହ ମଜାଦାର ଭାବେ ସେଲ୍ଫି ନେବାରେ ବ୍ୟସ୍ତ ଗ୍ରାମବାସୀ । ଯାହା ଏବେ ଚିନ୍ତାରେ ବିଷୟ ପାଲଟିଛି । କୁମ୍ଭୀର ଆକ୍ରମଣ ଖବରରେ ସବୁବେଳେ ଶିରୋନାମାରେ ରହୁଛି କେନ୍ଦ୍ରାପଡା । ତଥାପି କୁମ୍ଭୀରକୁ ଖାତିର୍‌ ନକରି ସେଲଫି ନେବାରେ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା ।

ଆଜିର ସମୟରେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଯାଏ ସେଲ୍ଫି ଫଟୋ ଉଠାଇବାରେ ମାତିଛନ୍ତି । କିଏ ନିଜ ସାଙ୍ଗ ସହ ତ ଆଉ କିଏ ନଦୀନାଳ ଓ ନିଜ ପରିବାର ସହ ସେଲ୍ଫି ନେଇ ଗୋଟିଏ ପରେ ଗୋଟିଏ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡୁଛନ୍ତି । କିନ୍ତୁ କେନ୍ଦ୍ରାପଡାରେ ଯୁବଗୋଷ୍ଠୀ ମାତିଛନ୍ତି କୁମ୍ଭୀର ସହ ସେଲ୍ଫି ନେବାରେ । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବି ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡା ଜିଲ୍ଲା ଡଅଁରମୁଣ୍ଡ ଗ୍ରାମରରେ ଯୁବକ ମାନେ କୁମ୍ଭୀର ସହ ସେଲ୍ଫି ନେଉଥିବା ଦୃଶ୍ୟ ସାମ୍ନାକୁ ଆସିିଛି । ଏହି ସେଲ୍ଫି ଯେତିକି ମଜାଦାର ସେତିକି ବିପଦପୂର୍ଣ୍ଣ ମଧ୍ୟ । ନଦୀ ପଠାରେ ମାଳମାଳ କୁମ୍ଭୀର ମଧ୍ୟରେ ଜୀବନକୁ ଖାତିର ନକରି ସେଲ୍ଫିର ମଜା ନେଉଛନ୍ତି ଯୁବଗୋଷ୍ଠୀ । ଆଗରୁ କେନ୍ଦ୍ରାପଡା ଜିଲ୍ଲାରେ ଅନେକ ଲୋକଙ୍କ ଜୀବନ କୁମ୍ଭୀର ମୁହଁରେ ଯିବା ପରେ ବି ଏଠିକାର ଲୋକଙ୍କ ଏଭଳି ସେଲ୍ଫି ନିଶା ଚିନ୍ତାର କାରଣ ସାଜିଥିବା ବେଳେ ପ୍ରଶାସନ ମଧ୍ୟ ଏନେଇ ନୀରବ ରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ଗତ ତିନି ମାସ ଧରି କୁମ୍ଭୀରମାନେ ଏଭଳି ନଦୀ ପଠାରେ ବୁଲିବା ସହ ଖରାରେ ଶୋଉଥିବାର ଚିତ୍ର ସାମ୍ନାକୁ ଆସିଛି । ଯାହା ସ୍ଥାନୀୟ ଲୋକଙ୍କୁ ଯେତିକି ଆତଙ୍କିତ କରିଛି ସେଥିକି ମଧ୍ୟ ସେଲ୍ଫି ନେବାରେ ଆନନ୍ଦ ଦେଉଛି । ଗୋଟିଏ କି ଦୁଇଟି ନୁହେଁ ପାଞ୍ଚରୁ ସାତଟି କୁମ୍ଭୀର ପ୍ରତିଦିନ ନଦୀ ପଠାରେ ବୁଲିବାର ଦେଖିବାକୁ ମିଳୁଥିବା ସ୍ଥାନୀୟଲୋକେ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ୫ ଫୁଟିଆ କୁମ୍ଭୀର ଉଦ୍ଧାର

ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଡଅଁରମୁଣ୍ଡ ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଉକ୍ତ ଗାଁ ନିକଟ ଦେଇ ବହି ଯାଇଥିବା ଗୋବରୀ ନଦୀରେ ଗତ ତିନି ମାସ ହେବ କୁମ୍ଭୀର ଚଳପ୍ରଚଳ ହେଉଥିବାର ଦେଖି ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ତେବେ ଗାଁର ଯୁବକ ମାନେ ନଦୀ କୂଳରେ ବୁଲୁଥିବା ବେଳେ ଏକ ୧୬ ଫୁଟ ଲମ୍ବର କୁମ୍ଭୀର ନଦୀ ପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ ଏବଂ ନିକଟରେ ଆଉ ଏକ କୁମ୍ଭୀର ନଦୀରେ ମାଛ ଖାଉଥିବା ମଧ୍ୟ ଦେଖିବାକୁ ପାଇଥିଲେ । ଯାହାପରେ ସେଲ୍ଫି ନେବା ଆରମ୍ଭ ହୋଇଯାଇଥିଲା ।

ଅନ୍ୟପଟେ ଯଦି କୁମ୍ଭୀର ଗୁଡିକୁ ଯଥାଶୀଘ୍ର ନଦୀରୁ ଉଦ୍ଧାର ନ କରାଯାଏ ତାହା ହେଲେ ଆଗାମୀ ଦିନରେ ରାଜରାସ୍ତା ଘେରାଉ କରିବେ ବୋଲି ବାରମ୍ବାର ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ନଦୀନାଳ ଘେରା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ନଦୀନାଳରେ କୁମ୍ଭୀର ମାନଙ୍କର ଗତିବିଧି ବଢି ଚାଲିଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇ ଜନଜୀବନ କ୍ଷୟକ୍ଷତି ହେଉଥିବାର ଘଟଣା ଦିନକୁ ଦିନ ବଢି ଚାଲିଛି ।

ବିଶେଷ କରି ମାଛ ଧରୁଥିବା ଲୋକେ ଓ ଚାଷୀ ଏହାଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି । ଲୋକେ ନଦୀକୁ ମାଛ ଧରିବାକୁ ଯିବାକୁ ଡରୁଥିବା ବେଳେ ଚାଷୀ ବିଲକୁ ଯିବାକୁ ଡରୁଛି । ଏକ ମାସ ତଳେ ନଦୀପଠାରେ ଚରୁଥିବା ଛେଳିକୁ ମଧ୍ୟ କୁମ୍ଭୀର ଟାଣି ନେବାର ଚିତ୍ର ଦେଖିବାକୁ ମିଳିଥିଲା । ଫଳରେ ନଦୀକୁଳିଆ ଗ୍ରାମବାସୀ ଆତଙ୍କିତ ଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଦାବି ହୋଇଛି ।

ଅନ୍ୟପଟେ ବିପଦପୂର୍ଣ୍ଣ ଭାବେ ଯେଭଳି ଯୁବଗୋଷ୍ଠୀ କୁମ୍ଭୀର ସହ ସେଲ୍ଫି ନେବାରେ ମାତିଛନ୍ତି ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ଦାୟୀ କିଏ ରହିବ ? ଏଠି ପ୍ରଶ୍ନ ଉଠୁଛି ଭୁଲ୍ କାହାର ବନ ବିଭାଗର ନା ସେଲ୍ଫି ନେଉଥିବା ଯୁବକ ମାନଙ୍କର ? ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକ ରହିଛି ।

ଇଟିଭି ଭାରତ,କେନ୍ଦ୍ରାପଡା

Last Updated :Dec 9, 2023, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.