ETV Bharat / state

ଆଶ୍ଚର୍ଯ୍ୟ ! ଏକା ସାଙ୍ଗରେ ତିନୋଟି ସନ୍ତାନ ଜନ୍ମ ଦେଲେ ମହିଳା

author img

By ETV Bharat Odisha Team

Published : Sep 1, 2023, 4:28 PM IST

woman gave birth to three children together
ଗୋଟିଏ ଗର୍ଭରୁ ଏକା ସାଙ୍ଗରେ ତିନୋଟି ସନ୍ତାନ ଜନ୍ମ

ଗୋଟିଏ ଗର୍ଭରୁ ଏକା ସାଙ୍ଗରେ ତିନୋଟି ସନ୍ତାନ ଜନ୍ମ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଏଭଳି ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ଗୋଟିଏ ଗର୍ଭରୁ ଏକା ସାଙ୍ଗରେ ତିନୋଟି ସନ୍ତାନ ଜନ୍ମ

କେନ୍ଦ୍ରାପଡ଼ା: ଏକକାଳୀନ ତିନୋଟି କନ୍ୟା ସନ୍ତାନକୁ ଜନ୍ମଦେଲେ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଏଭଳି ଘଟଣା ଘଟିଛି । ଉକ୍ତ ଗ୍ରାମର ରାକେଶ ରୋଶନ ଦାସଙ୍କ ପତ୍ନୀ ସରୋଜିନୀ ଦାସଙ୍କର ଏକଥରକେ ତିନୋଟି କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଉଭୟ ମାଆ ଏବଂ ତିନି ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

ଗତ ବୁଧବାର ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ସରୋଜିନୀ ଦାସଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସରୋଜିନୀଙ୍କର ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିଲା । ପରେ ପରିବାର ଲୋକେ ସହର ଉପକଣ୍ଠ ଗୁଆଳସିଂ ପଞ୍ଚାୟତ ନିକଟରେ ଅବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ସରୋଜିନୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଅଲ୍ଟ୍ରାସାଉଣ୍ଡ ସମୟରେ ସରୋଜିନୀଙ୍କ ଗର୍ଭରେ ତିନୋଟି ସନ୍ତାନ ଥିବା ଓ ପ୍ରଥମ ସନ୍ତାନଟି ସାମାନ୍ୟ ତେରଛା (Converse) ସ୍ଥିତିରେ ଥିବା ଦେଖି ଡାକ୍ତର ସଙ୍ଗେସଙ୍ଗେ ପିଲାଟିକୁ ଅସ୍ତ୍ରୋପଚାର କରି ବାହାର କରିଥିଲେ । ଅନ୍ୟ ଦୁଇଟି ଶିଶୁଙ୍କୁ ମଧ୍ୟ ଅନୁରୂପ ଭାବେ ଅସ୍ତ୍ରୋପଚାର କରି ଗର୍ଭରୁ ବାହାର କରାଯାଇଥିଲା । ବର୍ତ୍ତମାନ ତିନି ସନ୍ତାନ ଓ ମାଆ ସରୋଜିନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏନେଇ ପରିବାର ଲୋକେ କହିଛନ୍ତି, "ଏହି ଅସ୍ତ୍ରୋପଚାର ଓ ଶିଶୁକନ୍ୟାଙ୍କ ଜନ୍ମ ପାଇଁ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ "ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ" କାର୍ଡ ହିଁ ଅଭାବୀ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ତିନୋଟି କନ୍ୟା ସନ୍ତାନ ଜନ୍ମରେ ପରିବାର ଲୋକେ ଖୁସି ଥିବାବେଳେ ତିନି ଶିଶୁଙ୍କ ନାମକରଣ ଗଙ୍ଗା, ଯମୁନା ଓ ସରସ୍ୱତୀ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଏକା ସାଙ୍ଗରେ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ତେବେ ଏଭଳି ଗର୍ଭଧାରଣ ବେଳେବେଳେ ଉଭୟ ମା ଓ ଶିଶୁଙ୍କ ପାଇଁ ବିପଦଜନକ ରହିଥାଏ । ବିଳମ୍ବରେ ବିବାହ ସହ ମାତୃତ୍ୱ ପାଇଁ ଗର୍ଭଧାରଣ ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି ଡାକ୍ତର କହିଛନ୍ତି । ତେବେ ପୂର୍ବରୁ ଜଣେ ମହିଳାଙ୍କ ପେଟରୁ ୫ କିଲୋରୁ ଊର୍ଦ୍ଧ୍ବ ଟ୍ୟୁମର ବାହାର କରି ରେକର୍ଡ କରିଥିବା ଏହି ହସ୍ପିଟାଲରେ ପୁନଃ ଏହି ଟ୍ରିପଲେଟ(Triplet)ଶିଶୁ କନ୍ୟା ଜନ୍ମ ହେବା ଏକ ରେକର୍ଡ ବୋଲି ବିବେଚନା କରାଯାଇଛି । ଏହି ଅସ୍ତ୍ରୋପଚାରରେ ହସ୍ପିଟାଲର ଡାକ୍ତର ଦେବପ୍ରସାଦ ସାହୁ, ଡାକ୍ତର ରିତେନ୍ଦ୍ର ମହାନ୍ତି, ଫାର୍ମାସିଷ୍ଟ ସୁପ୍ରିୟା ଷଣ୍ଢ, ଷ୍ଟାଫ ନର୍ସ କଳ୍ପନା ସେଠୀ, ଲକ୍ଷ୍ମୀପ୍ରିୟା, ବେବିଲତା ଜେନା ପ୍ରମୁଖ ସହଯୋଗ କରିଥିଲେ ।

ଇଟିଭି ଭାରତ,କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.