Bridge Collapse: ଭୁଶୁଡ଼ିଲା ନିର୍ମାଣଧିନ ଦ୍ଵିତୀୟ କେନ୍ଦ୍ରାପଡ଼ା ବାଇପାସ ସେତୁ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

author img

By

Published : Mar 15, 2023, 2:04 PM IST

Bridge Collapses

କେନ୍ଦ୍ରାପଡାରେ ନିର୍ମାଣଧିନ ଅବସ୍ଥାରେ ଭୁଶୁଡିଲା ୨୦୦ ମିଟର ସେତୁ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ । ଅଧିକ ପଢନ୍ତୁ

Bridge Collapse

କେନ୍ଦ୍ରାପଡା: ଦ୍ଵିତୀୟ ବାଇପାସ ସ୍ୱପ୍ନ ଦେଖିଥିବା କେନ୍ଦ୍ରାପଡ଼ା ସହରବାସୀଙ୍କୁ ପ୍ରଥମରୁ ଝଟକା । ସେତୁ ନିର୍ମାଣ କାମ ନସରୁଣୁ ଭୁଶୁଡିଲା ସେତୁ । ଆଜି ସକାଳୁ ପୋଲ କାମ ଚାଲୁଥିବା ବେଳେ ଭୁଶୁଡିଲା ୨୦୦ ମିଟର ସେତୁ । ବୈଷୟିକ ତ୍ରୁଟି, ନିମ୍ନମାନର କାମ ସାଙ୍ଗକୁ ଠିକାଦାର ଓ ପୂର୍ତ୍ତ ବିଭାଗର ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ୩୦ ଊର୍ଦ୍ଧ୍ବ ଶ୍ରମିକ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସହରକୁ ତିନିମୁହାଣୀ ମଧ୍ୟଦେଇ ମାତ୍ର ଗୋଟିଏ ରାସ୍ତା ରହିଥିବା ବେଳେ ଜନସଂଖ୍ୟା ବୃଦ୍ଧି କାରଣରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ଭାଗବତ ମହାନ୍ତି ଗୋବରୀ ନଦୀ ଉପରେ ଦ୍ଵିତୀୟ ବାଇପାସ ନିର୍ମାଣ ପାଇଁ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଥିଲେ । ପରେ ରାଜ୍ୟ ସରକାର ଏହି ଦାବି ଓ କେନ୍ଦ୍ରାପଡ଼ା ସହରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୪୦କୋଟି ଟଙ୍କା ବ୍ୟୟରେ ଗୁଲନଗର ଠାରୁ ଗରାପୁର କାଳୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ୨୦୨୧ ମସିହାରୁ ଏହି କାମ ଆରମ୍ଭ ହୋଇଥିଲା । ତେବେ କାମ ଶେଷ ନହେଉଣୁ ପୋଲ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ନିର୍ମାଣ କାମ ପାଇଁ ସ୍ଥାନୀୟ ଗୋବରୀ ନଦୀରୁ ଧସା ବାଲି ଉଠାଯିବା ସହ ସିମେଣ୍ଟ ଓ କଂକ୍ରିଟ ଭାଗ କମ ରହୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ସମାଜସେବୀ ।

ସେମାନେ ଅଭିଯୋଗ କରି କହିଛନ୍ତି, "ଏହି ନିର୍ମାଣାଧୀନ କାମରେ ARSS ନାମକ ଘରୋଇ କମ୍ପାନୀ ଟେଣ୍ଡର ନେଇଥିବା ବେଳେ କାମର ତଦାରଖ କରିବା ପାଇଁ କୌଣସି ପୂର୍ତ୍ତ ବିଭାଗର ଯନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀ ଆସୁନାହାନ୍ତି । କାମ ଆରମ୍ଭ କିମ୍ବା ଶେଷରେ ସୂଚନା ଫଳକ, ନାଗରିକ ଫଳକ ଇତ୍ୟାଦି ଲଗାଯିବାର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏହାକୁ ଭ୍ରୁକ୍ଷେପ ନକରି ଏସବୁ ବିନା ଏହି କାର୍ଯ୍ୟ ଜାରି ରହିଥିଲା । RTI ମାଧ୍ୟମରେ ଏହି କାମ ବିଷୟରେ ଜାଣିବାକୁ ଚାହୁଁଥିଲେ ମଧ୍ୟ ଏନେଇ ସୂଚନା ଦିଆଯାଇନଥିଲା ।"

ଅନ୍ୟପଟେ ନଗର ବିଜେପି ସଭାପତି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ 5T ଯୋଜନାକୁ ସିଧାସଳଖ ଟାର୍ଗେଟ କରିଛନ୍ତି । 5T ଯୋଜନାରେ ସ୍ୱଚ୍ଛତା ନଥିବା ଓ ୪ଟି ମେସିନ ଗତକାଲି ସୁଦ୍ଧା ଏହି ୨୦୦ ମିଟର ପୋଲ ରାସ୍ତା ଉପରେ ରଖା ଯାଇଥିଲେ ସୁଦ୍ଧା ଆଜି ସକାଳେ ଏହା ଭୁଶୁଡି ପଡିବା ବାସ୍ତବିକ କେତେ ସ୍ୱଚ୍ଛ ପ୍ରଶାସନ ଓ କାମ ଚାଲୁଛି ତାହା ଉପରେ ସନ୍ଦେହ ସୃଷ୍ଟି କରିଥିବା ସେ କହିଛନ୍ତି । ଏନେଇ ଦାୟିତ୍ୱରେ ଥିବା ଜନୈକ ARSS କମ୍ପାନୀର ଅଧିକାରୀଙ୍କୁ ପଚରା ଯିବାରୁ ସେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନଥିବା ବେଳେ କାମ ଠିକ ଥିଲା ଓ ଏଥିରେ କୌଣସି ଶ୍ରମିକ ଆହତ ହୋଇନଥିବା କହିଛନ୍ତି ।


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.