ETV Bharat / state

ଶିଳ୍ପକୁ ସ୍ୱାଗତ ଓ ଦାବି ଆଗତ ମଧ୍ୟରେ ଶେଷ ହେଲା ଖରିନାସୀ ଶୁଣାଣୀ

author img

By ETV Bharat Odisha Team

Published : Dec 13, 2023, 10:09 AM IST

Public hearing in Kendrapara
ଶିଳ୍ପ ପାଇଁ ଦ୍ଵିତୀୟ ଦିନରେ ଜନଶୁଣାଣୀ

Steel Company Establishment in Kendrapara: କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ପ୍ରସ୍ତାବ ପାରିତ ପରେ ଏବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜିଲ୍ଲାରେ ମହାକାଳପଡାଠାରେ ଏନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଶିଳ୍ପ ପାଇଁ ଦ୍ଵିତୀୟ ଦିନରେ ଜନଶୁଣାଣୀ

କେନ୍ଦ୍ରାପଡା: ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ୨୪ ଏମ୍‌.ଟି.ପି.ଏ ଇଣ୍ଟିଗ୍ରେଟେଡ଼ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାରିତ ହେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଦିନ ଜିଲ୍ଲାର ମହାକାଳପଡା ତହସିଲ ଅନ୍ତର୍ଗତ ଖରିନାସୀ ଗ୍ରାମରେ ଏନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ସାମିଲ ହୋଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ।

ମହାକାଳପଡ଼ା ତହସିଲ୍ ଅନ୍ତର୍ଗତ ଖରିନାସୀ ଗ୍ରାମର ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ପ୍ରଭାବିତ ହେଉଥିବା ସାମାଜିକ ପ୍ରଭାବ ଆକଳନ ସର୍ଭେ ସମ୍ବନ୍ଧୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖରିନାସୀ ସରପଞ୍ଚ ବନିତା ରାଉତରାୟଙ୍କ ଅଧ୍ୟକ୍ଷତାରେ ଆନନ୍ଦ ଆଶ୍ରମ ବିଦ୍ୟା ନିକେତନ ପଡ଼ିଆଠାରେ ଏହି ସଭାର ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଜନଶୁଣାଣୀ ଶିବିରରେ ଜମି ହରାଉଥିବା ଶତାଧିକ ଚାଷୀ ଯୋଗ ଦେଇ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି ।

ତେବେ ଏତେ ସଂଖ୍ୟାରେ ଚାଷୀ ଯୋଗ ଦେଇ ସେମାନଙ୍କ ଦାବିପତ୍ର ଓ ମତାମତ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଖରିନାସୀ ଗ୍ରାମବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ନିଆ ଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ, ସେମାନଙ୍କ ପିଲାମାନଙ୍କୁ ଯୋଗ୍ୟତା ଭିତ୍ତିରେ ସ୍ଥାୟୀ ନିଯୁକ୍ତି ଦେବାର ସୁଯୋଗ ସୃଷ୍ଟି କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା । ଉପସ୍ଥିତ ଗ୍ରାମବାସୀଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ପ୍ରସ୍ତାବିତ ଶିଳ୍ପାନୁଷ୍ଠାନ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ, ଏକର ପିଛା କୋଟିଏ ଟଙ୍କା ଦାବି

ଏହି ଜନଶୁଣାଣୀ ଶିବିରରେ ଉପସ୍ଥିତ ଗ୍ରାମବାସୀ ଓ ଚାଷୀ ମାନଙ୍କର ସମସ୍ତ ମତାମତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଜୀବନଜୀବିକା, ସାମାଜିକ, ଅର୍ଥନୈତକ ତଥା ପରିବେଶ ଉପରେ ଶିଳ୍ପ ପ୍ରତିଷ୍ଠାର କି ପ୍ରଭାବ ରହିବ ତା ଉପରେ ଗତ ୬ ମାସ ଧରି ଏନ୍‌ସିଡିସି ଦ୍ୱାରା ସାମାଜିକ ପ୍ରଭାବ ଆକଳନ ସର୍ଭେ କରାଯାଇଥିଲା ବୋଲି ଇଡ୍‌କୋ ଅଧିକାରୀ ସମ୍ବିତ୍ ଗଡ଼ନାୟକ କହିଥିଲେ । ରାଜ୍ୟ ସରକାର ଆଣିଥିବା ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନ ନିୟମ ଅନୁଯାୟୀ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଶିବାଶିଷ ପରିଡ଼ା କହିଥିଲେ ।

ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସମସ୍ତ ଅତିଥି ସ୍ୱାଗତ କରିବା ସହ ଶିଳ୍ପ ପ୍ରତିଷ୍ଠା ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ, ସାମାଜିକ ବିକାଶ ସହ ମାନବ ସମ୍ବଳର ବିକାଶ ଘଟିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଜନଶୁଣାଣୀରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଏସ୍‌ପି ମଡ଼୍‌କର୍ ସନ୍ଦୀପ୍ ସମ୍ପଦ୍‌,ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜମିଗ୍ରହଣ ଅଧିକାରୀ ଅଞ୍ଜଳୀ ତରାଇ, ମହାକାଳପଡ଼ା ବିଡିଓ ସାଗର ନନ୍ଦ, ମହାକାଳପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.