ETV Bharat / state

ପ୍ରସ୍ତାବିତ ଶିଳ୍ପାନୁଷ୍ଠାନ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ, ଏକର ପିଛା କୋଟିଏ ଟଙ୍କା ଦାବି

author img

By ETV Bharat Odisha Team

Published : Dec 12, 2023, 10:27 AM IST

public hearing
ପ୍ରସ୍ତାବିତ ଶିଳ୍ପାନୁଷ୍ଠାନ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

Public Hearing Programme For Setting Up Industry : କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣି ପାଇଁ ରାମନଗର ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ପ୍ରସ୍ତାବିତ ଶିଳ୍ପାନୁଷ୍ଠାନ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ ବିହୀନ ଅପନିନ୍ଦାର ଅନ୍ତଃ ହେବାକୁ ଯାଉଛି । ଖୁବଶୀଘ୍ର କେନ୍ଦ୍ରାପଡା ସହ ଯୋଡ଼ି ହେବାକୁ ଯାଉଛି ଶିଳ୍ପର ନାଁ । ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ବାର୍ଷିକ 24 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ କେନ୍ଦ୍ରାପଡା ମହାକାଳପଡ଼ା ରାମନଗର ପଞ୍ଚାୟତରେ ପ୍ରଥମ ଦିନର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ସମ୍ବନ୍ଧୀୟ ସାଧାରଣ ଲୋକଙ୍କ କିଛି ସମସ୍ୟା କିମ୍ବା ଦାବି ରହିଥିଲେ ସେଗୁଡିକୁ ଉପସ୍ଥାପନ କରିବା ପାଇଁ କୁହାଯାଇଥିଲା ।

ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ବାର୍ଷିକ 24 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ରାମନଗର ପଞ୍ଚାୟତରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଏହି ଅଞ୍ଚଳର ପ୍ରାୟ ୭୦% ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଶିଳ୍ପାନୁଷ୍ଠାନ ପାଇଁ ଜମି ଗଲେ ଚାଷୀମାନେ ହଇରାଣ ହେବେ । ଉପଯୁକ୍ତ କ୍ଷତିପୂରଣ ନମିଳିଲେ ଜମି ଛଡାଯିବ ନାହିଁ ସାଧାରଣ ଲୋକେ ଦାବି କରିଥିଲେ । ଆଉ ମଧ୍ୟ ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ନିଯୁକ୍ତି ଉପରେ ଧ୍ୟାନ ଦେବା ପାଇଁ ଲୋକମାନେ ସେମାନଙ୍କ ଅଭିଯୋଗ ଜଣାଇଥିବା ବେଳେ ଅଧିକାରୀମାନେ ଏଥିରେ ସମ୍ମତି ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ନିପନ-ଆସେଲ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ପାଇଁ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣି: ଶିଳ୍ପମନ୍ତ୍ରୀ

ତେବେ ଜମି ଏକର ପିଛା ଏକ କୋଟି ଟଙ୍କା, ଜମି ହରାଇବାକୁ ଥିବା ପ୍ରତ୍ୟେକ ପରିବାରର ବରିଷ୍ଠ ସଦସ୍ୟଙ୍କୁ କମ୍ପାନୀ ପକ୍ଷରୁ ମାସିକ ଭତ୍ତା ବ୍ୟବସ୍ଥା, ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଓ ଚାଷ ଜମି ହରାଇବାକୁ ଥିବା ଚାଷୀଙ୍କ ପରିବାରର ସଦସ୍ୟଙ୍କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଯୋଗାଇ ଦେବାକୁ ଦାବି କରିଥିଲେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ହରାଇବାକୁ ଥିବା ରାମନଗର ଓ ବନବିହାରୀପୁର ବାସିନ୍ଦା ।

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯୋଗଦେଇ ଏହାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରାମନଗର ପଞ୍ଚାୟତର ସରପଞ୍ଚ ମିଲନ ଦେବନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଇଡକୋ ଭୂ-ଅଧିଗ୍ରହଣ ଅଧିକାରୀ, କେନ୍ଦ୍ରାପଡା ସ୍ୱତନ୍ତ୍ର ଭୂ-ଅଧିଗ୍ରହଣ ଅଧିକାରୀ, ଏଏମ ଆଣ୍ଡ ଏନଏସର ଅଧିକାରୀଙ୍କ ସମେତ ମହାକାଳପଡ଼ା ତହସିଲଦାର ଓ ବିଡ଼ିଓ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରକଳ୍ପ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପର ସ୍ୱପ୍ନ ପୂରଣ ହେବ ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.