ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହିଁ ପ୍ରଶାସନ ଓ ଶିକ୍ଷା ବିଭାଗ ! ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

author img

By ETV Bharat Odisha Team

Published : Nov 29, 2023, 6:27 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହିଁ ପ୍ରଶାସନ ଓ ଶିକ୍ଷା ବିଭାଗ!  ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ
ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହିଁ ପ୍ରଶାସନ ଓ ଶିକ୍ଷା ବିଭାଗ! ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହିଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ସଙ୍ଗୀନ ଅଭିଯୋଗ ସହ ରାଜପଥ ଅବରୋଧ ଚେତାବନୀ ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହିଁ ପ୍ରଶାସନ ଓ ଶିକ୍ଷା ବିଭାଗ! ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦ୍ରାପଡା: ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହିଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ । ନ୍ୟାୟପାଳିକାର ନିର୍ଦ୍ଦେଶକୁ କେମିତି ଫୁ କରିଦିଆଯାଇପାରେ ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି ବଳିରାଜ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ (ମର୍ଜର) ଘଟଣାରେ । କେନ୍ଦ୍ରାପଡ଼ା ବ୍ଳକ ବଗଡ଼ା ପଞ୍ଚାୟତ ଅଧୀନ ବଳିରାଜ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ଏକ ସ୍କୁଲରେ ମିଶ୍ରଣ ମାମଲାରେ ହାଇକୋର୍ଟ ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଏହି ସ୍କୁଲରେ ପାଠପଢା ଜାରି ରଖିବା ନେଇ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ଅଢେଇ ମାସ ବିତିଥିବା ବେଳେ ସେଦିଗରେ ସ୍ଥାନୀୟ ପ୍ରଶାସନ କୌଣସି ନିଷ୍ପତ୍ତି ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଏହାକୁ ଆସନ୍ତା ସପ୍ତାହେ ମଧ୍ୟରେ କାର୍ଯ୍ୟକାରୀ କରାନଗଲେ ସେମାନେ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

୧୯୩୯ ମସିହାରେ ସ୍ଥାପିତ ହୋଇଥିଲା ଏହି ସ୍କୁଲ । ଦେଶ ସ୍ବାଧିନ ହେବା ପୁର୍ବରୁ ଏହି ବିଦ୍ୟାଳୟ ହିଁ ପ୍ରାଥମିକ ଶିକ୍ଷାର ପ୍ରାଣକେନ୍ଦ୍ର ଥିବା ଓ କଳପଡା ଏବଂ ବଗଡ଼ା ପଞ୍ଚାୟତର ବହୁ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଲାଭ କରୁଥିବା ଯୋଗୁଁ ଏହାକୁ ସେ ସମୟରେ ପରାଧିନ ଭାରତର ସ୍ୱପ୍ନର ବିଦ୍ୟାଳୟ ଭାବେ ଗଢ଼ାଯାଇଥିଲା । ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀରେ ମୋଟ ୩୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୨୦୨୦ ମସିହାରେ ଚଞ୍ଚକତା କରି ଏହି ବିଦ୍ୟାଳୟରେ ନାମ ଲେଖାନଯାଇ ଏହି ବିଦ୍ୟାଳୟକୁ ଏକ କି.ମିରୁ ଅଧିକ ଦୂରରେ ଥିବା ତୁଣୁପୁର ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ (ମର୍ଜର) କରାଯାଇଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ଅଭିଯୋଗ ନେଇ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସବୁଆଡେ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ସମସ୍ତେ ହାତ ଟେକି ଦେଇଥିଲେ । ଏହାପରେ ଏକମାତ୍ର ବିକଳ୍ପ ଭାବେ ଗ୍ରାମବାସୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।

୨୦୨୨ ମସିହା ମାର୍ଚ୍ଚ ମାସରେ ଜଗନ୍ନାଥପୁର, ଢି଼ଅସାହି, ଅରଡା, ବଗଡ଼ା ଓ ବଳିରାଜ ଗାଁର ଅନୁସୂଚିତ ଜାତି ଓ ସାଧାରଣ ବର୍ଗର ଲୋକେ କର୍ତ୍ତୃପକ୍ଷ ଶୁଣୁନଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଏହି ମାମଲାରେ ଗ୍ରାମବାସୀ ଶିକ୍ଷାସଚିବ,କେନ୍ଦ୍ରାପଡା ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ,ବ୍ଲକ ଶିକ୍ଷାଧିକାରୀ ଓ ମିଶ୍ରଣ ହୋଇଥିବା ତୁଣୁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପକ୍ଷ କରିଥିଲେ ଗ୍ରାମବାସୀ । ତେବେ ଏହି ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଏହି ବିଦ୍ୟାଳୟକୁ ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ବଳିରାଜଠାରେ ଚାଲୁ ରଖିବା ଓ ଆସନ୍ତା ୧୫ ଦିନ ମଧ୍ୟରେ ବିଦ୍ୟାଳୟ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଗତ ସେପ୍ଟେମ୍ବର ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ଦ୍ଦେଶ ମିଳିବାର ଅଢେଇ ମାସ ବିତି ଯାଇଥିଲେ ସୁଦ୍ଧା ଉକ୍ତ ସ୍ଥାନରେ ବିଦ୍ୟାଳୟ ଖୋଲିବା ପାଇଁ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଭବିଷ୍ୟତରେ ଏକ ଜନ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ :- ଆହୁରି ୫ ବର୍ଷ ମିଳିବ ମାଗଣା ଚାଉଳ

ଆସନ୍ତା ୭ ଦିନ ମଧ୍ୟରେ ଯଦି ବଳିରାଜ ଠାରେ ବିଦ୍ୟାଳୟ ପୁନଃ ଖୋଲାନଯାଏ ତେବେ ଏହି ପାଞ୍ଚଖଣ୍ଡ ମୌଜାର ଜନସାଧାରଣ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ ଉଚ୍ଚ ନ୍ୟାୟାଳୟର କୌଣସି ନିର୍ଦ୍ଦେଶ ପାଇନଥିବା ଓ ନିର୍ଦ୍ଦେଶ ପାଇବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ନ୍ୟାୟପାଳିକା ନିର୍ଦ୍ଦେଶକୁ ଅବମାନନା କରି ଶିକ୍ଷା ବିଭାଗ ଚୁପ ବସିଥିବା ବେଳେ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଚେତାବନୀ ଏବେ ପ୍ରଶାସନ ପାଇଁ ଅଡୁଆ ବଢ଼ାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.