ETV Bharat / bharat

ଆହୁରି ୫ ବର୍ଷ ମିଳିବ ମାଗଣା ଚାଉଳ

author img

By ETV Bharat Odisha Team

Published : Nov 29, 2023, 6:08 PM IST

ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି । 2020 କୋଭିଡ ଲହର ସମୟରେ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଏବେ 2028 ପର୍ଯ୍ୟନ୍ତ ମାଗଣା ରାସନ ପାଇବେ 80 କୋଟି ଲୋକ । ଅଧିକ ପଢନ୍ତୁ

2028 ପର୍ଯ୍ୟନ୍ତ ବୃଦ୍ଧି ହେଲା PMGKAY: 5 ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ
2028 ପର୍ଯ୍ୟନ୍ତ ବୃଦ୍ଧି ହେଲା PMGKAY: 5 ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ମୋଦି ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ଘୋଷଣା କରିସାରିଥିଲା ବେଳେ ଆଜି କେନ୍ଦ୍ର କ୍ୟାବିନେଟ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରିଛି । 2028 ପର୍ଯ୍ୟନ୍ତ ଏହି ଯୋଜନାରେ ଦେଶରେ 80 କୋଟି ଲୋକେ ମାଗଣା ରାସନ ପାଇବେ । ଏଥିପାଇଁ 11.8 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ଯୟ ଅଟକଳ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏହି ବଡ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

ଆଜି କ୍ୟାବେନେଟ ବୈଠକ ପରେ ମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟରେ ସୂଚନା ଦେଇ କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ଦେଶରେ ପ୍ରାୟ ସାଢେ 13 କୋଟି ଲୋକେ ଗରିବୀ ସୀମାରେଖାରୁ ମୁକ୍ତ ହୋଇଛନ୍ତି । ଏହା ଦେଶର ଅବବୃଦ୍ଧିର ଏକ ବଡ ସଙ୍କେତ । କୋଭିଡ ସମୟରେ ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏହାକୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ଆଜି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛି । ଏହି ନିଷ୍ପତ୍ତି ଆସନ୍ତାବର୍ଷ (2024) ଜାନୁଆରୀ ପହିଲାରୁ ଲାଗୁ ହେବ ।

ଏହା ମଧ୍ୟ ପଢନ୍ତୁ :- ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସରକାର: ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

2020 ମସିହାରେ କୋଭିଡ ଲହର ସମୟରେ ଏହି ଯୋଜନାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ଦାରିଦ୍ର୍ୟ ସୀମାରେଖା ତଳେ ପ୍ରତ୍ୟେକ ପରିବାରକୁ ପ୍ରତିମାସରେ 5 କେଜି ଚାଉଳ ପ୍ରଦାନ କରାଯାଉଥିଲା । ଏହା ପ୍ରାରମ୍ଭିକ ସମୟରେ ମାତ୍ର 3 ମାସ ପାଇଁ ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ କୋଭିଡ ସ୍ଥିତିରେ ଏହାର ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଏହି ଯୋଜନା ଚଳିତ ଡିସେମ୍ବରରେ ଶେଷ ହେବାକୁ ଥିବା ବେଳେ ନିକଟରେ ଛତିଶଗଡରେ ନିର୍ବାଚନ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହାକୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ଘୋଷଣା କରିଥିଲେ । ଆଜି କେନ୍ଦ୍ର କ୍ୟାବିନେଟ ଏନେଇ ଆନୁଷ୍ଠାନିକ ଅନୁମୋଦନ ଦେଇଛି । ବିରୋଧୀ ଏହାକୁ ନିର୍ବାଚନୀ ରାଜନୀତି ବୋଲି ଅଭିଯୋଗ କରିବା ଆରମ୍ଭ କଲେଣି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.