ETV Bharat / state

Chandrayaan-3: ମୁନ୍‌ ମିଶନରେ କେନ୍ଦ୍ରାପଡ଼ାର ପୁଅ ଶୁଭାଶିଷ, ସ୍ପେଶକ୍ରାଫ୍ଟରେ ଖଞ୍ଜିଛନ୍ତି ଯନ୍ତ୍ରାଂଶ

author img

By

Published : Jul 17, 2023, 9:54 PM IST

Updated : Jul 20, 2023, 3:46 PM IST

Kendrapara Boy Subhasis Nayak
Kendrapara Boy Subhasis Nayak

ମୁନ ମିଶନରେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ପୁଅ ଶୁଭାଶିଷ ନାୟକ । ଅତି କମ ବୟସରେ ଐତିହାସିକ ଚନ୍ଦ୍ରଯାନ-3ରେ ସାମିଲ ହୋଇ ହାତେଇଛନ୍ତି ସଫଳତା । ଭାରତର 3ୟ ମୁନ ମିଶନ ଚନ୍ଦ୍ରଯାନ-3ରେ ସେ ଖଞ୍ଜିଛନ୍ତି ଯନ୍ତ୍ରାଂଶ । ତାଙ୍କ ସଫଳତାର କାହାଣୀକୁ ନେଇ ଦେଖନ୍ତୁ ଏହି ରିପୋର୍ଟ

ମୁନ୍‌ ମିଶନରେ କେନ୍ଦ୍ରାପଡ଼ାର ପୁଅ

କେନ୍ଦ୍ରାପଡ଼ା: ଓଡ଼ିଆ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ପୁଅ ଶୁଭାଶିଷ ନାୟକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଅତି କମ ବୟସରେ ଆଜି ସେ ଏହି ସଫଳତା ହାସଲ କରିଛନ୍ତି । ଭାରତର ଐତିହାସିକ ମୁନ ମିଶନରେ ସେ ଦେଖାଇଛନ୍ତି ନିଜର ପାରଦର୍ଶିତା । ଭାରତର 3ୟ ମୁନ ମିଶନ ଚନ୍ଦ୍ରଯାନ-3 ଟିମରେ ସେ ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ବେଶ ଗର୍ବ ଅନୁଭବ କରିଛନ୍ତି ତାଙ୍କ ପରିବାରଠୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟବାସୀ । କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଶୁଭାଶିଷ ନାୟକ ଚନ୍ଦ୍ରଯାନ-୩ ର ବୈଷୟିକ ଟିମରେ କାର୍ଯ୍ୟ କରିଛନ୍ତି। ଖବର ଜଣାପଡିବା ପରେ ଶୁଭାଶିଷଙ୍କ ଗାଁରେ ଖୁସିର ଲହରୀ ଖେଳିଯାଇଛି ।

ମେକାନିକ କାର୍ଯ୍ୟରେ ପିଲାଟି ଦିନରୁ ଥିଲା ରୁଚି:- ଶୁଭାଶିଷ ପିଲାଟି ଦିନରୁ ବିଭିନ୍ନ ଯନ୍ତ୍ରାଂଶ ଏବଂ ବିଦ୍ୟୁତ ଉପକରଣ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ ପରେ ସ୍ଥାନୀୟ ଦାନପୁର ପଞ୍ଚାୟତ ଦୋହଳି ସ୍ଥିତ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିବା ପରେ କଟକ ଜଗତପୁର ସ୍ଥିତ ଏକ ଘରୋଇ ଆଇଟିଆଇ କଲେଜରେ ନାମ ଲେଖାଇଥିଲେ । ସେଠାରୁ ସଫଳତା ସହ ଉତ୍ତୀର୍ଣ୍ଣ ହେବାପରେ ଡିପ୍ଲୋମା ପାଠ ପଢିବା ପାଇଁ ଆଶା ରଖିଥିଲେ ସୁଦ୍ଧା ପାରିବାରିକ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଡିପ୍ଲୋମା ପାଠ ପଢି ପାରିନଥିଲେ । ତେବେ ଏଥିରେ ହାରି ନଯାଇ ଭୁବନେଶ୍ୱର ସ୍ଥିତ ସରକାରୀ CTTCରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିବା ବେଳେ ୨୦୧୮ ମସିହାରେ ISROରେ Technician ଭାବେ ଯୋଗଦେଇଥିଲେ । ପୁଅ ଚନ୍ଦ୍ର ଯାନ ଟିମରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଶୁଭାଶିଷଙ୍କ ବାପାମାଆ ଖୁସିବ୍ଯକ୍ତ କରିଛନ୍ତି l

ଏହା ବି ପଢନ୍ତୁ- ଆଜି ଜହ୍ନରାଇଜକୁ ଯିବ ଚନ୍ଦ୍ରଯାନ-3, ଜାଣନ୍ତୁ ଲିଡ୍‌ କରୁଥିବା ରକେଟ ୱିମେନଙ୍କ ବିଷୟରେ



ପିତାମାତାଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା:- ଶୁଭାଶିଷଙ୍କ ଏହି ଯୋଗଦାନ ପାଇଁ ସାରା ଜିଲ୍ଲା ଗର୍ବ କରୁଥିବା ବେଳେ ଏହି ଅବସରରେ ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ଥିବା ISROରେ କାର୍ଯ୍ୟରତ ଟେକ୍ନିସିଆନ ଶୁଭାଶିଷ ନାୟକଙ୍କ ପିତା ମଳୟ ନାୟକ ଓ ମାତା ନିର୍ମଳା ନାୟକଙ୍କୁ ବିଜେପି (BJP) ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ସୁରେନ୍ଦ୍ରନାଥ ମଲ୍ଲିକ, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ସେଠୀ, ବିଜେପି ନେତୃମଣ୍ଡଳୀ ତାପସ ରଞ୍ଜନ ନାୟକ ପ୍ରମୁଖ ମୁକୁନ୍ଦପୁର ଗାଁ ସ୍ଥିତ ସୁଭାଶିଷଙ୍କ ବାସଭବନକୁ ଯାଇଥିଲେ । ଉଭୟ ପିତାମାତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିବା ସହ ସେମାନଙ୍କୁ ମିଠା ଖୁଆଇଥିଲେ ବିଜେପି କାର୍ଯ୍ୟକର୍ତ୍ତା । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶୁଭାଶିଷ ନାୟକଙ୍କ ପାଇଁ ଦେଇଥିବା ଶୁଭେଚ୍ଛା ବାର୍ତ୍ତା ଓ ମହାପ୍ରଭୁଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିବା ବିଷୟରେ ତେଜେଶ୍ୱର ପରିଡ଼ା ତାଙ୍କ ବାପାମାଆଙ୍କୁ ମଧ୍ୟ ଜଣାଇଥିଲେ।

ଏ ନେଇ ବିଜେପି ରାଜ୍ୟ ପ୍ରବକ୍ତା ତେଜେଶ୍ବର ପରିଡା କହିଛନ୍ତି, "ଶୁଭାଶିଷ ଆମ ରାଜ୍ୟ ଓ ଦେଶ ପାଇଁ ଗର୍ବ । ପରିବାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏକାଗ୍ରତା ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଏହି ସ୍ଥାନରେ ପହଞ୍ଚିଛନ୍ତି । ଆଇଟିଆଇ ପାଠ ପଢି ମଧ୍ୟ ସେ ଆଜି ଇସ୍ରୋରେ ପହଞ୍ଚିଛନ୍ତି । ଯାହାକି ନିଶ୍ଚିତ ଭାବରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ । ବିଶେଷ ଭାବେ ସେ ନିଜକୁ ଦେଶସେବାରେ ନିୟୋଜିତ କରିଛନ୍ତି। ଯାହାକି ରାଜ୍ୟ ସମେତ କେନ୍ଦ୍ରାପଡ଼ାବାସୀଙ୍କ ଲାଗି ଗୌରବର କଥା ।"

ସେହିପରି ଶୁଭାଶିଷଙ୍କ ପିତା ଅଭୟ କୁମାର ନାୟକ କହିଛନ୍ତି, "ସେ ପିଲାବେଳୁ ଦୁଷ୍ଟ ଥିଲା । ହେଲେ ତା' ସହିତ ପାଠ ମଧ୍ୟ ପଢୁଥିଲା । ଆଇଟିଆଇ ପରେ ତାର ଡିପ୍ଲୋମା କରିବାକୁ ଇଚ୍ଛା ଥିଲା । ହେଲେ ଅର୍ଥ ଅଭାବରୁ ମୁଁ ତାକୁ ପଢାଇପାରିନଥିଲି । ହେଲେ ତାର କିଛି କରିବାର ଇଚ୍ଛା ଶକ୍ତି ତାକୁ ଇସ୍ରୋରେ ପହଞ୍ଚାଇଛି। ଏହି ମିଶନ ସଫଳ ହେଲେ ସେଦିନ ମୁଁ ବେଶି ଖୁସି ହେବି ।"



ଗରିବ ପରିବାରରେ ଜନ୍ମ:- ମୁକୁନ୍ଦପୁର ଗ୍ରାମର ଏକ ଅଭାବୀ ପରିବାରରେ ଶୁଭାଶିଷଙ୍କ ଜନ୍ମ । ନିଯୁକ୍ତି ପାଇବାର ୪ ବର୍ଷ ପରେ ସେ ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ । ବାପା ମଳୟ ନାୟକ ଓ ବଡ଼ବାପା ଅଭୟ ନାୟକ ସ୍ଥାନୀୟ ଚାନ୍ଦୋଳ ବଜାରରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଶୁଭାଶିଷ ଜଣେ ମେକାନିକାଲ୍ ଇଞ୍ଜିନିୟର ଭାବେ ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ କାମ କରିବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଉଭୟ କହିଛନ୍ତି । ଶୁଭାଶିଷଙ୍କ ମା ନିର୍ମଳା ନାୟକ ଜଣେ ଗୃହିଣୀ ହୋଇଥିବା ବେଳେ ଶୁଭାଶିଷ ଆଗକୁ ଆହୁରି ବଢ଼ନ୍ତୁ ବୋଲି ଆଶୀର୍ବାଦ କରିଛନ୍ତି।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱାନ ସ୍ପେସ୍ ସେଣ୍ଟରରୁ ଶୁକ୍ରବାର ଭାରତର ତୃତୀୟ ମୁନ୍ ମିଶନ୍ ‘ଚନ୍ଦ୍ରଯାନ–୩’ର ସଫଳ ଉତ୍‌କ୍ଷେପଣ କରାଯାଇଛି । ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରୟାନ୍-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ବୋଲି ଆଶା ରହିଛି । ଯଦି ଏହା ସଫଳ ହୁଏ ତେବେ ଇତିହାସ ରଚିବ ଭାରତ । ଏହି ଦିନ ଅଧିକ ଖୁସିହେବେ ବୋଲି କହିଛନ୍ତି ଶୁଭାଶିଷଙ୍କ ପରିବାର ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jul 20, 2023, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.