ETV Bharat / state

ଉନ୍ମୋଚନ ହେଲା ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତି, ବ୍ୟକ୍ତିତ୍ବକୁ ଭଲପାଇବାକୁ ସୌମ୍ୟଙ୍କ ପରାମର୍ଶ

author img

By

Published : Apr 21, 2023, 10:51 PM IST

ଉନ୍ମୋଚନ ହେଲା ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତି
ଉନ୍ମୋଚନ ହେଲା ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତି

କେନ୍ଦ୍ରାପଡ଼ା ସହର ତିନିମୁହାଣୀ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ଉଦ୍ୟମରେ ଗଢ଼ା ଯାଇଥିବା ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ପରିଷଦ ପକ୍ଷରୁ ଆଜି ଏହି ମୂର୍ତ୍ତି ଉନ୍ମୋଚନ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାର୍ଟିଫିକେଟ ଘଟଣାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଉନ୍ମୋଚନ ହେଲା ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତି

କେନ୍ଦ୍ରାପଡ଼ା: ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବୀଣ ରାଜନେତା ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ମନେ ପକାଇଲା କେନ୍ଦ୍ରାପଡ଼ା । ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ସହଯୋଗୀ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ଉଦ୍ୟମରେ ଗଢ଼ା ଯାଇଥିବା ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ପରିଷଦ, କେନ୍ଦ୍ରାପଡା ପକ୍ଷରୁ ଆଜି କେନ୍ଦ୍ରାପଡ଼ା ସହର ତିନିମୁହାଣୀ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଭାଷାପ୍ରେମୀ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଓଡ଼ିଶାକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଟାଉନ ହଲ ଠାରେ ଆୟୋଜିତ ଏହି ସଭାରେ ବରିଷ୍ଠ ପ୍ରାବନ୍ଧିକ ତଥା ସାହିତ୍ୟ ସମାଲୋଚକ ଡ଼ଃ କୃଷ୍ଣଚନ୍ଦ୍ର ପ୍ରଧାନ ଓ ସୁସାହିତ୍ୟିକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ହରିହର କାନୁନଗୋଙ୍କୁ "ଜାନକୀ ବଲ୍ଲଭ ସାହିତ୍ୟ ସମ୍ମାନ- ୨୦୨୩" ପ୍ରଦାନ କରାଯାଇଥିଲା । ଏହି ଅବସରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦବୋଧନ ଦେଇ ପ୍ରତିମୂର୍ତ୍ତି ପ୍ରତିଯୋଗିତାକୁ ଛାଡି ବ୍ୟକ୍ତିତ୍ବକୁ ଭଲପାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଆରମ୍ଭ କରିବ ଆନ୍ଧ୍ର, ଏପଟେ ଶୁଭ ଦେଇ ଚୁପ ବସିଛନ୍ତି ରାଜ୍ୟ ସରକାର

ଏହି ଅବସରରେ ସେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପ୍ରଧାନମନ୍ତ୍ରୀ ନିଜର ଅହମିକା ଦେଖାଇଥିବା କହିଥିଲେ ସୌମ୍ୟ । କିନ୍ତୁ ଏହି କାରଣରୁ କିଛି ଲୋକଙ୍କ ମଧ୍ୟରେ ଏବେ ନେହେରୁ ବଡ଼ ନା ପଟେଲ ବଡ଼ ସେନେଇ ଶୀତଳ ଯୁଦ୍ଧ ଲାଗିଛି ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି ନକଲି ସାର୍ଟିଫିକେଟ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଆସିଥିବା ଜାଲ ସାର୍ଟିଫିକେଟ ମାମଲାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ । ସେ କହିଛନ୍ତି, "ଏହି ମାମଲାକୁ ପ୍ରଶମିତ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ତାଙ୍କ ସାର୍ଟିଫିକେଟ ସାର୍ବଜନୀନ କରାଇ ଯେଉଁମାନେ ଏଭଳି ମୂଲ୍ୟହୀନ କଥାକୁ ବ୍ୟାପ୍ତ କରାଉଛନ୍ତି, ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନିଅନ୍ତୁ ।" ଜଣେ କିରାଣୀ ଜାଲ ସାର୍ଟିଫିକେଟ ପାଇଁ ବନ୍ଧା ହୋଇପାରିବ, ହେଲେ ପ୍ରଧାନମନ୍ତ୍ରୀ ସାର୍ଟିଫିକେଟ ଦେବେ ନାହିଁ, ଏଭଳି କଥା ଆମ ସମ୍ବିଧାନରେ ଲେଖା ଯାଇନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ସୌମ୍ୟ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.