ETV Bharat / state

ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଆରମ୍ଭ କରିବ ଆନ୍ଧ୍ର, ଏପଟେ ଶୁଭ ଦେଇ ଚୁପ ବସିଛନ୍ତି ରାଜ୍ୟ ସରକାର

author img

By

Published : Apr 21, 2023, 9:20 PM IST

ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଥରେ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବ । ୨୦୦୮ରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଶୁଭ ଦେଇଥିବା ବେଳେ ଉଭୟ ନଦୀର ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଶୁଭ ଦେଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ୧୫ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଅଧିକ ପଢ଼ନ୍ତୁ

ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଆରମ୍ଭ କରିବ ଆନ୍ଧ୍ର
ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଆରମ୍ଭ କରିବ ଆନ୍ଧ୍ର

ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଆରମ୍ଭ କରିବ ଆନ୍ଧ୍ର

ଗଜପତି: ଓଡ଼ିଶା ସୀମାରେ ଥିବା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ସାନ୍ତା ବୋମାଲି ମଣ୍ଡଳମ୍ ଅନ୍ତର୍ଗତ ମୂଲାପେଟାରେ ବିଭିନ୍ନ ଉନ୍ନୟନମୂକ କାର୍ଯ୍ୟ ପାଇଁ ଶୁଭ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ସୀମାନ୍ତବର୍ତ୍ତୀ ଅଞ୍ଚଳର ଉନ୍ନତି ପାଇଁ ତାଙ୍କ ସରକାର ପ୍ରତିଶୃତି ବଦ୍ଧ ଏବଂ ଏଥିପାଇଁ ଟଙ୍କାର କୌଣସି ଅଭାବ ରହିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଖସଡା ପ୍ରସ୍ତୁତି ଚାଲିଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସୀମାନ୍ତବର୍ତ୍ତୀ ଅଞ୍ଚଳ ଗସ୍ତ ବେଳେ କହିଥିଲେ । ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାକୁ ବିଶେଷ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରିଛନ୍ତି ।

ବନ୍ଦର ଓ ମାଛ ହାଟ ପାଇଁ ଶୁଭଦେଲେ ଜଗନ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡିଶା ସୀମାରେ ଥିବା ଆନ୍ଧ୍ର ପ୍ରଦେଶ ଶ୍ରୀକୁଲମ୍ ଜିଲ୍ଲାର ସାନ୍ତା ବୋମାଲି ମଣ୍ଡଳମ୍ ଅନ୍ତର୍ଗତ ମୂଲାପେଟା ଠାରେ ପହଁଞ୍ଚି ବନ୍ଦର ନିର୍ମ।ଣ ପାଇଁ ଶୁଭ ପ୍ରଦାନ କରିଥିଲେ । ୪ ହଜାର ୩୬୨ କୋଟି ଟଙ୍କା ବ୍ୟୟରେ ନିର୍ମ।ଣ ହେବାକୁ ଥିବା ଏହି ବନ୍ଦର କାମ ୩ ବର୍ଷ ମଧ୍ୟରେ ସରିବ ବୋଲି ସେ କହିଛନ୍ତି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ଶ୍ରୀକାକୁଲମ୍ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବାସହ ବିଭିନ୍ନ ସାମଗ୍ରୀ ଆମଦାନୀ ଓ ରପ୍ତାନୀ ସୁରୁଖୁରୁରେ ହୋଇପାରିବ । ସେହିଭଳି ଏଚେର୍ଲ। ମଣ୍ଡଳମ ବୁଡାଗେଟଲାରେ ଏକ ମାଛ ହାଟ ନିର୍ମାଣ କରିବା ପାଇଁ ଶୁଭ ଦେଇଛନ୍ତି ଜଗନ । ଏହାଦ୍ବାରା ଏହି ଅଞ୍ଚଳରେ ରହିଥିବା ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ମାରିବା ପରେ ତାହାକୁ ବିକ୍ରି କରିବାର ସୁଯାଗ ପାଇବେ ।

ବାପା ଶୁଭ ଦେଇଥିବା ପ୍ରକଳ୍ପକୁ ପୁଣି ଆରମ୍ଭ କରିବେ ଜଗନ: ତେବେ ଜଗନଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀଙ୍କ ଦ୍ବାରା ୨୦୦୮ ମସିହାରେ ଆନ୍ଧ୍ରର ରେଗଲୁପାଡୁଠାରେ ଶୁଭ ଦିଆଯାଇଥିବା ମହେନ୍ଦ୍ର ତନୟା ପ୍ରକଳ୍ପ କାମ ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡିରହିଛି । ତେଣୁ ଏହି କାମକୁ ପୁନଃ ଆରମ୍ଭ କରିବା ପାଇଁ ମଧ୍ୟ ସେ ୩ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପଲାସା ଏବଂ ମେଳିଆପୁଟି ମଣ୍ଡଳର ଜଳ ସମସ୍ୟା ଦୂର ହୋଇପାରିବ । ସେହିପରି ବଂଶଧାରା ନଦୀର ତଳ ମୁଣ୍ଡରେ ଥିବା ଆନ୍ଧ୍ରର ଗୋଟା ବ୍ୟାରେଜ୍ ନିକଟସ୍ଥ ହିରମଣ୍ଡଳମ୍ ଠାରେ ଥିବା ରିଜର୍ଭୟାର୍ଡ ଉନ୍ନତି ପାଇଁ ୧୭୬.୩୫ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଇଛନ୍ତି । ଏହି ସବୁ ପ୍ରକଳ୍ପ କାମ ବର୍ତ୍ତମାନ ଠାରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ବୋଲି ସେ କହିଛନ୍ତି । ଏହା ବାଦ୍ ଆହୁରି ଅନେକ ଛୋଟବଡ ପ୍ରକଳ୍ପ ପାଇଁ ମଧ୍ୟ ସେ ଶୁଭ ଦେଇଛନ୍ତି ।

ଆନ୍ଧ୍ର ସରକାରଙ୍କ ପ୍ରକଳ୍ପରେ ଶୁଖିଯିବ ଗଜପତି: ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୁଧବାର ପ୍ରଦାନ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ଉପରେ ମିଶ୍ର ପ୍ରଭାବ ପଡିବ । ବନ୍ଦର ଏବଂ ମାଛ ହାଟ ନିର୍ମ।ଣ ହେଲେ ଏହାର ସୁଫଳ ଗଜପତି ଜିଲ୍ଲାବାସୀଙ୍କୁ ମିଳିବ । କିନ୍ତୁ ମହେନ୍ଦ୍ର ତନୟା ଏବଂ ବଂଶଧାରା ନଦୀ ଉପରେ ଯେଉଁ ପ୍ରକଳ୍ପ ନିର୍ମ।ଣ ପାଇଁ ସେ ପାଣ୍ଠି ଯୋଗାଇ ଦେଇଛନ୍ତି, ତାହା କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ଏକ ପ୍ରକାର ଶୁଷ୍କ ହୋଇଯିବ । ଏହାସହ ଗୁଣପୁର ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଆନ୍ଧ୍ରର ଏହି ଦୁଇ ପ୍ରକଳ୍ପକୁ ବିଫଳ କରିବା ପାଇଁ ଓଡିଶା ସରକାର ଉଭୟ ନଦୀର ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମ।ଣ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ଆଜି ଯାଏଁ ସଫଳ ହୋଇପାରିନାହିଁ । ମହେନ୍ଦ୍ରତନୟା ନଦୀର ଉପରେ ମୁଣ୍ଡରେ ପ୍ରକଳ୍ପ କାମ ଅଧପନ୍ତରିଆ ହୋଇ ପଡିରହିଥିବା ବେଳେ ବଂଶଧାରା ନଦୀର ଉପର ମୁଣ୍ଡରେ ହେବାକୁ ଥିବା ପ୍ରକଳ୍ପ ଆଜି ଯାଏଁ ଆରମ୍ଭ ହୋଇନାହିଁ । ତେଣୁ ଏଥିପ୍ରତି ସରକାର ତୁରନ୍ତ ସତର୍କ ହୋଇ କାର୍ଯ୍ୟ ଆରମ୍ଭ କରିବା ଦିଗରେ ଅଞ୍ଚଳବାସୀ ଦାବି କରିଛନ୍ତି ।

୧୫ ବର୍ଷେ ତଳେ ପ୍ରକଳ୍ପ ଆରମ୍ଭ କରିଥିଲେ ଓଡ଼ିଶା ସରକାର, ଏବେ ବି ଅଧାପନ୍ତରିଆ: ଏବେ ମହେନ୍ଦ୍ରତନୟା ନଦୀର ଜଳକୁ ଲୁଟି ନେବା ପାଇଁ ଯୋଜନା କରି ୨୦୦୮ ମସିହା ଏପ୍ରିଲ ୧ ତାରିଖରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରେଗୁଲୁପାଡୁ ଠାରେ ଶୁଭ ଦେବା ପରେ ପାରଳାଖେମୁଣ୍ଡି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ଠିକ ମାସକ ପରେ, ଅର୍ଥାତ ଏପ୍ରିଲ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଦୀର ଉପରେ ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଶୁଭ ଦେଇଥିଲେ । ନଦୀର ଉପର ମୁଣ୍ଡରେ ପ୍ରକଳ୍ପ କରି ଆନ୍ଧ୍ରକୁ କଡ଼ା ଜବାବ ଦିଆଯିବ ବୋଲି ସେତବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏହାରି ଭିତରେ ୧୫ ବର୍ଷରୁ ଅଧିକ ସମୟ ବିତି ସାରିଛି । ଶୁଭ ଦିଆଯାଇଥିବା ୨ଟି ପ୍ରକଳ୍ପ ମଧ୍ୟରୁ ଡମ୍ବାପୁର ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିରହିଥିବା ବେଳେ ଚମ୍ପାପୁର ପ୍ରକଳ୍ପର ସ୍ଥିତି କଣ, ତାହା କାହାକୁ ଜଣାନାହିଁ । ତେବେ ବର୍ତ୍ତମାନ ଆନ୍ଧ୍ର ତାର ପ୍ରକଳ୍ପ କାମ ସାରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ମହେନ୍ଦ୍ର ତନୟା ଜଳ ଉପରେ ନିର୍ଭର କରୁଥିବା ଲୋକେ ଆଶଙ୍କା ମଧ୍ୟରେ ରହିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଶୀଘ୍ର ଡମ୍ବାପୁର ପ୍ରକଳ୍ପର କେନାଲ କାମ କରାଯାଇ ତାହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଇଛି ।

ତେବେ ବର୍ଷକରେ ସାରିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ପ୍ରକଳ୍ପ ୧୫ ବର୍ଷ ପରେ ବି ଅଧାପନ୍ତରିଆ । ବର୍ତ୍ତମାନ ଆନ୍ଧ୍ର ତାର ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଜଳ ଲୁଟି ନେଲେ ଏହି ଅଞ୍ଚଳର ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେବା ନିଶ୍ଚିତ । ଏଭଳି ସ୍ଥିତିରେ ସରକାର ଓଡିଶା ପ୍ରକଳ୍ପକୁ କେବେ କାର୍ଯ୍ୟକ୍ଷମ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.