ETV Bharat / state

ଅଲିଭ ରିଡଲେ କଇଁଛକୁ ନଜର ରଖିବ ଡ୍ରୋନ

author img

By

Published : Dec 29, 2022, 11:49 AM IST

drone
drone

ଭିତରକନିକାର ପାଖାପାଖି ଅଞ୍ଚଳରେ ବହୁଳ ପରିମାଣରେ ଚିଙ୍ଗୁଡ଼ି ଘେରି, ଜଙ୍ଗଲ କଟା, ନିରୀହ ପଶୁପକ୍ଷୀ ଶିକାର ପରି ଅନେକ ତଥ୍ୟକୁ ନଜର ରଖିବା ନେଇ ଡ୍ରୋନ(DRONE) ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟାଳୟ । ଅଧିକ ପଢନ୍ତୁ

କଇଁଛକୁ ନଜର ରଖିବ ଡ୍ରୋନ

କେନ୍ଦ୍ରାପଡା: ଏସିଆ ମହାଦେଶର ଅନ୍ୟତମ ବୃହତମ ଆର୍ଦ୍ରଭୂମି ଭିତରକନିକା ଓ ଗହୀରମଥାରେ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବ ଡ୍ରୋନ । ଏହା ଆର୍ଦ୍ରଭୂମି ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରି,ତଟକ୍ଷୟ ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ସହ ବନ୍ୟ ଓ ସାମୁଦ୍ରିକ ଜୀବଙ୍କୁ ନେଇ ରହିଥିବା ଉତ୍ସୁକତାର ପରିସମାପ୍ତି ଘଟିବ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ରାଜ୍ୟସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପରେ ସ୍ଥାନୀୟ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଜୈବ ବିବିଧତାରେ ଭରା ଭିତରକନିକା ସୁରକ୍ଷା ଦିଗରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସବୁ ମହଲରୁ ସ୍ବାଗତ ମଧ୍ୟ କରାଯାଇଛି ।

ଆର୍ଦ୍ରଭୂମି ଭିତରକନିକା ସମଗ୍ର ବିଶ୍ବର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏଠାରେ ଥିବା ଲୁଣା ଜଙ୍ଗଲ ସହ ଧଳା କୁମ୍ଭୀର ଦେଖିବାକୁ ବିଭିନ୍ନ ସମୟରେ ଛୁଟି ଆସିଥାନ୍ତି ପର୍ଯ୍ୟଟକ । ଏଥିସହ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ଗହୀରମଥା ମଧ୍ୟ ପରିଚୟ ପାଇଛି। ଦେଶୀବିଦେଶୀ ପକ୍ଷୀଙ୍କ କଳରବ ସମାହାର ସହିତ ସୁଘଞ୍ଚ ହେନ୍ତାଳ ବଣ,ବିଭିନ୍ନ ଔଷଧୀୟ ବୃକ୍ଷ, ସମୁଦ୍ର ମଧ୍ୟରେ ଶୈବାଳ ଉଦ୍ୟାନ ଆକୃଷ୍ଟ କରେ ପର୍ଯ୍ୟଟକଙ୍କୁ । ତେବେ ଏହାର ପ୍ରଦୂଷଣ ବିଭିନ୍ନ କାରଣରୁ ବଢିଚାଲିଛି ।

ଭିତରକନିକାର ସାମୁଦ୍ରିକ ଅଞ୍ଚଳ ଗହୀରମଥାରେ ତଟକ୍ଷୟ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ଏହି ଦୃଷ୍ଟିକୋଣରୁ ବେଆଇନ ଭାବରେ ଗହୀରମଥାର ଗଭୀର ସାମୁଦ୍ରିକ ଅଞ୍ଚଳରେ ମାଛ ମାରୁଥିବା ମାଛ ମାଫିଆଙ୍କ ଟ୍ରଲର,ବୋଟ, ଡିଙ୍ଗି ଆଦି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ମଧ୍ୟ ମେରାଇନ ପୋଲିସ ଏବଂ ବନବିଭାଗ ନିୟୋଜିତ ଅଛନ୍ତି । ତେବେ ଭିତରକନିକାର ପାଖାପାଖି ଅଞ୍ଚଳରେ ବହୁଳ ପରିମାଣରେ ଚିଙ୍ଗୁଡ଼ି ଘେରି, ଜଙ୍ଗଲ କଟା, ନିରୀହ ପଶୁପକ୍ଷୀ ଶିକାର ପରି ଅନେକ ତଥ୍ୟକୁ ନଜର ରଖିବା ନେଇ ଡ୍ରୋନ(DRONE) ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟାଳୟ ।

ଅନ୍ୟପଟେ ଦୀର୍ଘ ଦିନରୁ ସମୁଦ୍ର ତଟବର୍ତ୍ତୀ ତଥା ଭିତରକନିକା ନିଷିଦ୍ଧାଞ୍ଚଳ ସମେତ ଗଭୀର ସମୁଦ୍ରରେ ବେଆଇନ ଭାବେ ମାଛ ମରାଯାଉଛି । ଦେଶୀ ବିଦେଶୀ ମାଛ ମାଫିଆଙ୍କ ଉପରେ ଅଙ୍କୁଶ ଲଗାଯାଇ ପାରୁ ନ ଥିବା ବେଳେ ବର୍ତ୍ତମାନ ଏକକୁଳା,ଅଗରନାସୀ, ନାସୀ -୨,ବାବୁବାଲି ସମେତ ଅନେକ ଜାଗାରେ ଆଗନ୍ତୁକ ଅଲିଭ ରିଡଲେ କଇଁଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାରଣରୁ ମାଛ ଜାଲରେ ପଡି ଅନେକ ଦୂରରୁ ଆସୁଥିବା କଇଁଛ ମାନଙ୍କ ଜୀବନ ବିପଦରେ ପଡୁଥିବା ନଜରକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-ଛାତ ଉପରେ ଭଳିକି ଭଳି ଫୁଲଫଳ ଓ ପରିବା, ଚର୍ଚ୍ଚାରେ MBA ଛାତ୍ର

ଜଙ୍ଗଲ ବିଭାଗର ସୁରକ୍ଷା ବ୍ୟବସ୍ଥା, କୋଷ୍ଟଗାର୍ଡ ସମେତ ସ୍ପିଡବୋଟ ପରି ସବୁ ସୁରକ୍ଷା ବ୍ୟବସ୍ଥାକୁ ବେଖାତିର କରି ମାରଣାସ୍ତ୍ରରେ ସଜ୍ଜିତ ହୋଇ ଗହୀରମଥାରେ ମାଛ ମାରୁଥିବା ମାଫିଆଙ୍କ ଉପରେ ଏହି ଡ୍ରୋନ କ୍ୟାମେରା ନଜର ରଖିପାରିବ । ଏଥିସହ ନିଷିଦ୍ଧ ସମୟରେ ସମୁଦ୍ର ତଟକୁ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲର, ଡଙ୍ଗା ଗୁଡିକୁ ମଧ୍ୟ ଡ୍ରୋନ କ୍ୟାମେରା ଦ୍ବାରା ନିରୀକ୍ଷଣ କରିହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କୋର୍ଟ । ଗୋଆରେ ଏଭଳି ଉପାୟରେ ନିରୀକ୍ଷଣ କରାଯାଉଥିବା ଉଚ୍ଚ ନ୍ୟାୟାଳୟରେ ଯୁକ୍ତି ଉପସ୍ଥାପନ କରିଥିଲେ ଜୈବ ବିବିଧତା ରକ୍ଷା ପାଇଁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ।

ଆର୍ଦ୍ରଭୂମି ସୁରକ୍ଷା ବଳୟରେ ଡ୍ରୋନ କ୍ୟାମେରା ଦ୍ବାରା ନିରୀକ୍ଷଣ କରାଯିବାକୁ ଥିବା ବେଳେ ମାଛମାଫିଆ ଓ ବନ୍ୟପ୍ରାଣୀ ଶିକାରୀଙ୍କ ଉପରେ ଏହି ଡ୍ରୋନ କ୍ୟାମେରାର ଆଖି କେତେ ସଫଳ ହେବ ତାହା ସମୟ କହିବ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.