ETV Bharat / state

ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ, ଦାବି ପୂରଣ ନହେଲା ଯାଏଁ ଧରିବେନି ଷ୍ଟିଅରିଂ

author img

By

Published : Mar 15, 2023, 6:51 PM IST

ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ
ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ

କେନ୍ଦ୍ରାପଡ଼ାରେ ଡ୍ରାଇଭର ମହାସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ୯ ଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଙ୍ଘ । ଦାବିି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ରାପଡା ଡ୍ରାଇଭର ଏକତା ମହାମଞ୍ଚ ସଭାପତି । ଅଧିକ ପଢ଼ନ୍ତୁ

ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ

କେନ୍ଦ୍ରାପଡ଼ା: ପୂର୍ବରୁ ଚେତାବନୀ ଦେଇଥିଲେ ଆଉ ଆଜି ଆନ୍ଦୋଳନକୁ ଓହ୍ଲାଇଲେ ଡ୍ରାଇଭର ମହାସଙ୍ଘ । ପ୍ରାୟ ୯ ଟି ସଙ୍ଘର ସମସ୍ତ ଡ୍ରାଇଭର ମିଶି ଡ୍ରାଇଭର ଏକତା ମହାମଞ୍ଚ କରି ପୂର୍ବରୁ ସେମାନଙ୍କ ୯ ଦଫା ଦାବି ଉପସ୍ଥାପନ କରିଥିଲେ । ଏହା ମଧ୍ୟରୁ କିଛି ପୂରଣ କରିବା ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ କୌଣସି ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏନେଇ ଆଜି ସକାଳୁ ରାଜ୍ୟବ୍ୟାପୀ ଡ୍ରାଇଭର ମହାସଙ୍ଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛି । ଫଳରେ ଯାତାୟତ ପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ଅନ୍ୟପଟେ ଓଡିଶା ଡ୍ରାଇଭର ମହାସଂଘ ସେମାନଙ୍କର ଦାବିକୁ ଉପସ୍ଥାପନ କରିବାର ଶୈଳୀକୁ ବାରମ୍ବାର ପରିବର୍ତ୍ତିତ କରି ଆସିଛି । କେତେବେଳେ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରି ତ ଆଉ କେତେବେଳେ ସମଲେଇ ମନ୍ଦିରଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦଣ୍ଡ ମାରି ଦାବିକୁ ସଚିବ, ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରି ଆସିଛି ଡ୍ରାଇଭର ମହାସଙ୍ଘ । କିନ୍ତୁ ସେମାନଙ୍କ ପ୍ରଚେଷ୍ଟା ବିଫଳ ହୋଇଛି । ପୂର୍ବରୁ ଅର୍ଥାତ ଦୁଇ ସପ୍ତାହ ତଳେ ସରକାରଙ୍କୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ ହେଁ ସରକାରୀସ୍ତରରେ ଏହି ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ପରିବହନ ମନ୍ତ୍ରୀ ଟୁକୁନି ସାହୁ ପୂର୍ବରୁ ଏହି ୯ ଦଫା ଦାବି ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଡ୍ରାଇଭର ମହାସଂଘକୁ କମିଶନରେଟ ପୋଲିସର ଚେତାବନୀ, ଲୋକଙ୍କୁ ଅଟକାଇଲେ ହେବ କାର୍ଯ୍ୟାନୁଷ୍ଠାନ

ତେବେ ରାଜ୍ୟର ୫ ଲକ୍ଷ ଡ୍ରାଇଭର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଆଜି କେନ୍ଦ୍ରାପଡା ଦୁହୁରିଆ ଛକ ନିକଟରେ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ପିକେଟିଂ କରାଯାଇଥିଲା । ଅତ୍ୟାବଶ୍ୟକ ଗାଡି ଓ ପରୀକ୍ଷାର୍ଥୀମାନଙ୍କୁ ନେଇ ଯିବା ଆସିବା କରୁଥିବା ଜରୁରୀକାଳୀନ ଗାଡିକୁ ଛାଡି ଅନ୍ୟ ସମସ୍ତ ଗାଡି ଗୁଡିକୁ ଅଟକାଇଥିଲେ ଡ୍ରାଇଭର ଏକତା ମହାମଞ୍ଚର ସଦସ୍ୟ । ଅନ୍ୟପଟେ ସାମାଜିକ ସୁରକ୍ଷା, ଆବାସ ନିର୍ମାଣ, ପ୍ରତି ୧୦୦ କିଲୋମିଟର ଅନ୍ତରରେ ଡ୍ରାଇଭରମାନଙ୍କ ପାଇଁ ଶୌଚାଳୟ ନିର୍ମାଣ, ଦୁର୍ଘଟଣା ଜନିତ ମୃତ୍ୟୁ ଓ ଗୁରୁତର ଆହତ ହେଲେ ସହାୟତା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ଘୋଷଣା ନକରିବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହାମଞ୍ଚର ସଭାପତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.